‘ମୋ ବସ୍‌’ ଗାଇଡ୍‌ ଓ କ୍ୟାପଟେନ୍‌ଙ୍କୁ ଟିକା କେବେ?

ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି

ଭୁବନେଶ୍ବର : ଯେଉଁ କଣ୍ଟେନମେଣ୍ଟ ଜୋନ୍‌ ନାଁ ‌ଶୁଣିଲେ ଲୋକ ଡରୁଥିଲେ, ସେଠାରେ ମୋ ବସ୍‌ ପହଞ୍ଚି ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିଲା। ଯେତେବେଳେ ରାଜରାସ୍ତା ପୂରା ଖାଁ ଖାଁ ଥିଲା, ସେତେବେଳେ ଲୋକଙ୍କୁ ଜରୁରୀ ସେବା ଯୋଗାଉଥିଲା ମୋ ବସ୍‌। କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଯାତାୟାତର ମାଧ୍ୟମ ପାଲଟିଥିଲା ମୋ ବସ୍। ହେଲେ ଆଶ୍ଚର୍ଯ୍ୟର ବିଷୟ, ଏହି ମୋ ବସ୍‌ର କ୍ୟାପଟେନ୍ ଓ ଗାଇଡ୍ କରୋନା ଯୋଦ୍ଧା ବା ଆଗଧାଡ଼ିର କର୍ମୀ ହିସାବରେ ଗଣା ହେଉନାହାନ୍ତି।

କରୋନା ଟିକା ପ୍ରଥମେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବା ପରେ ଆଗଧାଡ଼ିର କର୍ମୀ ବା କରୋନା ଯୋଦ୍ଧାଙ୍କୁ ଦିଆଗଲା। ଏଥିରେ ପୁଲିସ, ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ର ସମସ୍ତ କର୍ମଚାରୀ ନେଲେ। ଏପରିକି ଯେଉଁମାନେ ଅଫିସରେ ରହି କାମ କରୁଥିଲେ, କରୋନା ପାଇଁ ସବୁ ଅଫିସ ଯେତେବେଳେ ବନ୍ଦ ଥିଲା ସେତେବେଳେ ବି ଘରେ ଥିଲେ, ସେମାନେ ‌କରୋନା ଟିକା ନେଇସାରିଲେଣି। ହେଲେ ଜରୁରୀ ସେବାରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ଯେଉଁ ମୋ ବସ୍‌ର କର୍ମଚାରୀମାନେ କଣ୍ଟେନମେଣ୍ଟ ଜୋନ୍‌ରେ ପଶିଥିଲେ, ସେମାନଙ୍କୁ ଏ ପର୍ଯ୍ୟନ୍ତ ଟିକା ଦିଆଯାଉନି।

ସବୁଠୁ ବିଡ଼ମ୍ବନାର ବିଷୟ, ଏବେ ମୋ ବସ୍‌ରେ ଦୈନିକ ପ୍ରାୟ ଲକ୍ଷାଧିକ ଲୋକ ଯାତାୟାତ କରୁଥିବା ବେଳେ ସେମାନଙ୍କ ସହ ବସ୍‌ର କ୍ୟାପେଟନ୍ ଓ ଗାଇଡ୍‌ ମିଶୁଛନ୍ତି। ଯଦି ଜଣେ ଗାଇଡ୍‌ ବା କ୍ୟାପଟେନ୍‌କୁ କରୋନା ହୋଇଥିବ, ତେବେ ତାହା ଚିହ୍ନଟ କରୁ କରୁ ସେ ହଜାର ହଜାର ଲୋକଙ୍କ ସଂସ୍ପର୍ଶରେ ଆସି ଯାଇଥିବେ। ଯେଉଁମାନେ ସୁପରସ୍ପ୍ରେଡର୍‌ ସାଜି ପାରନ୍ତି। ସାଧାରଣ ପରିବହନ ବ୍ୟବସ୍ଥାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ମୋ ବସ୍‌ କର୍ମଚାରୀଙ୍କୁ କାହିଁକି ଲୋକଙ୍କ ଜୀବନ ସହ ଖେଳିବାକୁ ଛାଡ଼ି ଦିଆଯାଇଛି, ତାହା ଜଣାପଡ଼ୁନି। ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ ଭଳି ରାଜ୍ୟରେ ସାଧାରଣ ପରିବହନ ବ୍ୟବସ୍ଥାରେ ସଂପୃକ୍ତ ଥିବା କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆ ସରିଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏମାନଙ୍କୁ ବିଚାରକୁ ନିଆଯାଇନି।

ଏନେଇ କ୍ରୁଟ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୋ ବସ୍‌ର ଗାଇଡ୍‌ ଓ କ୍ୟାପଟେନ୍‌ଙ୍କୁ ଟିକା ଦେବାକୁ ନଗର ଉନ୍ନୟନ ବିଭାଗ ଓ ବିଏମ୍‌ସିକୁ ଚିଠି ଲେଖାଯାଇଛି। ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ। ଲୋକ ଯେପରି ସୁରକ୍ଷିତ ଭାବେ ମୋ ବସ୍‌ରେ ଯାତାୟାତ କରିବେ ସେନେଇ ଆମେ ଯତ୍ନବାନ ଅଛୁ।

ସମ୍ବନ୍ଧିତ ଖବର