ରାଜଧାନୀର ଭୌଗଳିକ ସ୍ଥିତି ବାଧକ ସାଜିଛି: ୱାଟ୍କୋ
ଲକ୍ଷେ ଲୋକ ଏବେ ଆକ୍ବାଗାର୍ଡ ମାନର ପାଣି ପାଉଛନ୍ତି
୧ଲକ୍ଷ ୪୧ହଜାର ଲୋକଙ୍କୁ ପାଣି ସଂଯୋଗ ଦିଆ ସରିଲାଣି
ଭୁବନେଶ୍ବର : ରାଜଧାନୀର ଈଶାନେଶ୍ବର ବସ୍ତିରେ ଓଡ଼ିଶା ଜଳ ନିଗମ (ୱାଟ୍କୋ) ପକ୍ଷରୁ ପ୍ରଥମେ ଆରମ୍ଭ ହୋଇଥିଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିସନ୍। ଏହା ପରେ ପୁରୀରେ ଆରମ୍ଭ ହୋଇଥିଲା ଏହି ମିସନ୍। ଲକ୍ଷ୍ୟ ଥିଲା ଭୁବନେଶ୍ବର ଓ ପୁରୀ ବାସିନ୍ଦାଙ୍କୁ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇବା। ହେଲେ ଆଜି ପୁରୀ ସହରର ଅଢ଼େଇ ଲକ୍ଷ ବାସିନ୍ଦାଙ୍କୁ ୨୪ଘଣ୍ଟା ବିଶୁଦ୍ଧ ପାଣି ଯୋଗାଇବାକୁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିସନ୍ ଆରମ୍ଭ ହୋଇଛି। କିନ୍ତୁ ପ୍ରଥମେ ଭୁବନେଶ୍ବରରେ ଏହି ମିସନ୍ ଆରମ୍ଭ ହୋଇଥିଲେ ହେଁ ଏଯାଏ ଅଧପନ୍ତରିଆ ହୋଇ ରହିଛି। ତେଣୁ ପୂରା ରାଜଧାନୀବାସୀଙ୍କୁ ଟ୍ୟାପ୍ରେ କେବେ ଆକ୍ବାଗାର୍ଡ ମାନର ପାଣି ମିଳିବ ସେନେଇ ପ୍ରଶ୍ନ ଉଠିଲାଣି।
ଏ ନେଇ ୱାଟ୍କୋ ପରିଚାଳନା ନିର୍ଦ୍ଦେଶକ ଇଂ. ପି.କେ ସ୍ବାଇଁ କହିଛନ୍ତି ଯେ ଆମେ ଭୁବନେଶ୍ବରକୁ ଅଗ୍ରାଧିକାର ଦେଇ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିସନ୍ ପ୍ରକଳ୍ପ କରୁଛୁ। ଲୋକଙ୍କୁ ଆକ୍ବାଗାର୍ଡ ମାନର ପାଣି ଯୋଗାଇବା ପୂର୍ବରୁ ସବୁ ଘରକୁ ପାଣି ସଂଯୋଗ ଓ ୨୪ଘଣ୍ଟା ପାଣି ଯୋଗାଣକୁ ଗୁରୁତ୍ବ ଦେଉଛୁ। ଏବେ ଭୁବନେଶ୍ବରରେ ସହିଦନଗର, ୟୁନିଟ-୬, କଳିଙ୍ଗ ନଗର କେ-୮ ଏବଂ କେ-୩ (ବି), ନୀଳାଦ୍ରିବିହାର, ଈଶାନେଶ୍ବର ବସ୍ତି, ଆମ ରାଜ୍ୟର ବଡ଼ ବସ୍ତି ସାଲିଆସାହି, ଲୋକସେବା ଭବନ, ଖାରବେଳ ଭବନରେ ୨୪ଘଣ୍ଟା ପାଣି ଯୋଗାଣ ସହ ଟ୍ୟାପ୍ ଯୋଗେ ଆକ୍ବାଗାର୍ଡ ମାନର ପାଣି ଯୋଗାଣ ହେଉଛି। ଏବେ ଫୁଲେଶ୍ବର ବସ୍ତିରେ ଏହି ପ୍ରକଳ୍ପ କାମ ହେଉଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ୨୪ଘଣ୍ଟା ପାଣି ଯୋଗାଣ ବ୍ୟବସ୍ଥା ହେଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ଲକ୍ଷରୁ ଅଧିକ ଲୋକ ଏହା ଦ୍ବାରା ଉପକୃତ ହେଲେଣି। ପାଣିର ମାନ ଯେପରି ହ୍ରାସ ପାଇବନି ସେଥିପାଇଁ ପ୍ରତିଦିନ ବିଭିନ୍ନ ସ୍ଥାନରୁ ପାଣି ସଂଗ୍ରହ କରି ମାନ ଯାଞ୍ଚ ହେଉଛି। ପାଣି ପ୍ରଦୂଷିତ ନହେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ରାଜଧାନୀରେ ପ୍ରାୟ ୧୦ଲକ୍ଷ ଲୋକ ରହୁଥିବାବେଳେ ସମସ୍ତଙ୍କୁ କେବେ ଏହି ସୁବିଧା ମିଳିବ ସେନେଇ ପଚାରିବାରୁ ଶ୍ରୀ ସ୍ବାଇଁ କହିଛନ୍ତି ଯେ ଭୁବନେଶ୍ବରର ଭୌଗୋଳିକ ସ୍ଥିତି ବା ଟପୋଗ୍ରାଫି ଦୃଷ୍ଟିରୁ ଏଠାରେ ୨୪ଘଣ୍ଟା ପାଣି ଯୋଗାଇବା ବଡ଼ ଆହ୍ବାନ। କେଉଁଠି ବହୁତ ଉଚ୍ଚା ତ କେଉଁଠି ସମତଳ। ଆମେ ପାଣି ଯୋଗାଇଲେ ପାଣି ତଳକୁ ଗଡ଼ିଯାଉଛି। ଫଳରେ ଉଚ୍ଚା ଅଞ୍ଚଳର ଲୋକ ପାଉନାହାନ୍ତି। ଏହାର ସମାଧାନ ପାଇଁ ଆମେ ବହୁତ ନୂଆ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରୁଛୁ। ରାଜଧାନୀକୁ ବହୁ ଜୋନ୍ରେ ବିଭକ୍ତ କରି ପାନୀୟ ଜଳ ଯୋଗାଣ କରୁଛୁ। ପାଣି ସମାନ ଭାବେ ଆବଣ୍ଟନ ହେଲେ ୨୪ଘଣ୍ଟା ପାଣି ଯୋଗାଣ ହୋଇପାରିବ। ଏହାପରେ ଆମେ ଆକ୍ବାଗାର୍ଡ ମାନର ପାଣି ଯୋଗାଇବୁ। ରାଜଧାନୀରେ ପାଣି ଯୋଗାଣରେ ଏହି ସବୁ ସମସ୍ୟା ଥିବାରୁ କେବେ ସୁଦ୍ଧା ଭୁବନେଶ୍ବରରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିସନ୍ ଶେଷ ହେବ ତାହା କହିହେବନି। କିନ୍ତୁ ବିଭାଗୀୟ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦେଉଥିବାରୁ ଆମେ ଏହାକୁ ୫-ଟି ଯୋଜନାରେ କାର୍ଯ୍ୟକାରୀ କରୁଛୁ। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ୧ଲକ୍ଷ ୪୧ ହଜାର ଲୋକଙ୍କ ଘରକୁ ପାଣି ସଂଯୋଗ ଦିଆ ସରିଲାଣି। ପ୍ରତି ଘରକୁ ପାଣି ସଂଯୋଗ ଲକ୍ଷ୍ୟରେ ଆମେ କାମ କରୁଛୁ। ଭୁବନେଶ୍ବରରେ ସବୁ ଘରକୁ ପାଣି ସଂଯୋଗ ଦିଆ ସରିଛି। ଯେଉଁମାନେ ନୂଆ ଘର କରୁଛନ୍ତି ବା ନୂଆ ପାଣି ସଂଯୋଗ ଆବେଦନ କରୁଛନ୍ତି ଆମେ ତାଙ୍କୁ ଯଥାସମ୍ଭବ ଶୀଘ୍ର ସଂଯୋଗ ଦେଉଛୁ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।
ୱାଟ୍କୋରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଦୁଇରୁ ଅଢ଼େଇ ବର୍ଷ ମଧ୍ୟରେ ୬ଟି ଜିଲ୍ଲାରେ ୧୬ଟି ପୌରାଞ୍ଚଳରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିସନ୍ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟ ଶେଷ ହୋଇଛି। ଏଥିରେ କେନ୍ଦୁଝରରେ ୫ଟି ପୌରାଞ୍ଚଳ ଯଥା ଆନନ୍ଦପୁର, କେନ୍ଦୁଝର, ଯୋଡ଼ା, ଚମ୍ପୁଆ, ବଡ଼ବିଲ, ମୟୂରଭଞ୍ଜରେ ୪ଟି ପୌରାଞ୍ଚଳ ଯଥା ବାରିପଦା, କରଞ୍ଜିଆ, ଉଦଳା, ରାଇରଙ୍ଗପୁର, ସୁନ୍ଦରଗଡ଼ରେ ୪ଟି ପୌରାଞ୍ଚଳ ଯଥା ରାଉରକେଲା, ବୀରମିତ୍ରପୁର, ସୁନ୍ଦରଗଡ଼, ରାଜଗାଙ୍ଗପୁର, ଯାଜପୁରରେ ବ୍ୟାସନଗର, ବ୍ରହ୍ମପୁର ଓ କଟକ ସହରରେ ଏହି ମିସନ୍ କାର୍ଯ୍ୟକ୍ଷମ ହେବ।