ଦି ୱିଜଡମ୍ ଟ୍ରି ଗ୍ଲୋବାଲ ସ୍କୁଲ୍‌ର ଅନ୍ତର୍ଜାତୀୟ ମହିଳା ଦିବସ

‘ଶିକ୍ଷା ଅଧିକାର ଆଇନରେ ଶୈଶବ ଶିକ୍ଷା ଅଣଦେଖା ହୋଇଛି’

ଭୁବନେଶ୍ବର: ଶିକ୍ଷା ଅଧିକାର ଆଇନରେ ଶୈଶବ ଶିକ୍ଷାକୁ ଆଦୌ ଗୁରୁତ୍ବ ଦିଆଯାଇ ନାହିଁ। ଶୈଶବ ଶିକ୍ଷା ଜଣେ ଶିଶୁ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଏହାକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ଯାଇଥିଲେ ହେଁ ସେଥିରେ କୌଣସି ପ୍ରକାର ଶିକ୍ଷଣୀୟ କାର୍ଯ୍ୟକ୍ରମ ହେଉନାହିଁ। ଫଳରେ ଅନେକ ବାପା ମା’ ସେମାନଙ୍କ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ପସନ୍ଦ କରୁନାହାନ୍ତି। ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ହେଲେ ନର୍ସରି କିମ୍ବା ପ୍ରି-ସ୍କୁଲ ସହ ଏହାକୁ ଯୋଡ଼ିବାକୁ ହେବ। ସମ୍ବିଧାନରେ ଶିକ୍ଷା ରାଜ୍ୟ ଅଧୀନରେ ଆସୁଥିବାରୁ ଏଥିରେ କେନ୍ଦ୍ର ସରକାର କୌଣସି ଚାପ ପକାଇପାରିବେ ନାହିଁ। ରାଜସ୍ଥାନରେ କିଛି ଅଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍କୁଲ ସହ ଯୋଡ଼ା ଯାଇଥିବା ବେଳେ ଏଥିରେ ସୁଫଳ ଦେଖିବାକୁ ମିଳୁଛି ବୋଲି ମତ ରଖିଛନ୍ତି ବିଶିଷ୍ଟ ଶିକ୍ଷାବିତ୍‌ ପଦ୍ମଶ୍ରୀ ଗୌରୀ ଈଶ୍ବରନ୍। ଦି ୱିଜଡମ୍ ଟ୍ରି ଗ୍ଲୋବାଲ ସ୍କୁଲ ପକ୍ଷରୁ ଆଜି ହୋଟେଲ ଦି କ୍ରାଉନ୍‌ରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ସହିତ ଶ୍ରୀମତୀ ଈଶ୍ବରନ୍‌ ଶୈଶବ ଶିକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ, ସହରାଞ୍ଚଳରେ ବସବାସ କରୁଥିବା ଶିଶୁମାନଙ୍କୁ ଶୈଶବ ଶିକ୍ଷା ମିଳି ପାରୁଥିବା ବେଳେ ଗ୍ରାମାଞ୍ଚଳରେ ଅଧିକାଂଶ ଶିଶୁଙ୍କ ପାଇଁ ଏହା ଉପଲବ୍ଧ ହେଉନାହିଁ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ସ୍କୁଲଗୁଡ଼ିକର ଯାଞ୍ଚ ପାଇଁ ରହିଥିଲେ ହେଁ ସେମାନେ ସ୍କୁଲଗୁଡ଼ିକୁ ନିୟମିତ ପରିଦର୍ଶନ କରୁନାହାନ୍ତି। ତେଣୁ ଗ୍ରାମାଞ୍ଚଳରେ ଥିବା ସ୍କୁଲର ତଦାରଖ ଦାୟିତ୍ବ ପଞ୍ଚାୟତ ନେବାର ଆବଶ୍ୟକତା ରହିଛି। ଏହାସହ ଶିକ୍ଷାର ଢାଞ୍ଚାରେ ମଧ୍ୟ ପରିବର୍ତନ ଆଣିବାକୁ ହେବ। ବି.ଏଡ୍ ଶିକ୍ଷାରେ ୫୦ ବର୍ଷ ତଳେ ଯେଉଁ ପାଠ୍ୟକ୍ରମ ଥିଲା, ତାହା ଆଜି ମଧ୍ୟ ରହିଛି। ‌ଏଥିରେ ପରିବର୍ତନର ଆବଶ୍ୟକତା ରହିଛି।

ଶୈଶବ ଶିକ୍ଷାର ଆରମ୍ଭ ନେଇ ଶ୍ରୀମତୀ ଈଶ୍ବରନ୍ କହିଥିଲେ ଯେ ଜଣେ ଶିଶୁ ନିଶ୍ବାସ/ପ୍ରଶ୍ବାସ ନେବାଠାରୁ ଏହାର ଶିକ୍ଷାର ଆରମ୍ଭ ହେଲା ବୋଲି ଧରାଯାଏ। ଏପରିକି ମହାଭାରତରେ ମା’ ଗର୍ଭରେ ଥିବା ସମୟରେ ଜଣେ ଶିଶୁ ଶିକ୍ଷା ଲାଭ କରିଥିଲା ବୋଲି କୁହାଯାଏ। ତେଣୁ ଶିକ୍ଷକ ଓ ପିତାମାତାମାନେ ଶିଶୁର ଉପଯୁକ୍ତ ଯତ୍ନ ନେବା ସହ ଶିଶୁକୁ ଆବଶ୍ୟକ ଇନପୁଟ୍ ଦିଆଯିବା ଜରୁରୀ। ଶିଶୁର ସୃଜନଶୀଳତାକୁ ପରିପ୍ରକାଶ କରିବାର ସୁଯୋଗ ଦିଆଯିବା ଆବଶ୍ୟକ। ସ୍କୁଲସ୍ତରରୁ ହିଁ ଏହାର ଆରମ୍ଭ ହେବା କଥା। ଏକବିଂଶ ଶତାବ୍ଦୀରେ ନବପ୍ରବର୍ତନ ହିଁ ସଫଳତା ଆଣିପାରିବ। ତେଣୁ ଶୈଶବ ଶିକ୍ଷା ହିଁ ନବପ୍ରବର୍ତନ ଆଡ଼କୁ ଟାଣି ନେଇଥାଏ। ଶୈଶବ ଶିକ୍ଷା ଆଜି କେବଳ ଜେଜେବାପା ଜେଜେମା’ କାହାଣୀ କିମ୍ବା ସ୍କୁଲର ଶ୍ରେଣୀଗୃହ ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ। ପ୍ଲେ’ ସ୍କୁଲ ବା କ୍ରୀଡ଼ା କୌତୁକ ଓ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରିବା ଶିଶୁକୁ ଶିକ୍ଷା ଦିଆଯାଇ ପାରିବ। ଯଦିଓ ସହରାଞ୍ଚଳରେ ଶିଶୁମାନଙ୍କୁ ଏସବୁ ସୁବିଧା ଉପଲବ୍ଧ ହେଉଛି ମାତ୍ର ଗ୍ରାମାଞ୍ଚଳରେ ବସବାସ କରୁଥିବା ୮୦ ପ୍ରତିଶତ ଶିଶୁ ଏଥିରୁ ବଞ୍ଚିତ ହେଉଛନ୍ତି। ଏଥିପାଇଁ ଅନେକ ସଚେତନ ମଧ୍ୟ ନୁହନ୍ତି। କେବଳ ସହର ନୁହେଁ, ସଂପୂର୍ଣ୍ଣ ଦେଶରେ ଏଥିରେ ପରିବର୍ତନ ଆଣିବାକୁ ପଡ଼ିବ। ପ୍ଲେ’ ସ୍କୁଲଗୁଡ଼ିକରେ ବ୍ୟୟବହୁଳ ଜିନିଷପତ୍ର ବଦଳରେ ସ୍ଥାନୀୟ ଅଞ୍ଚଳରେ ଯାହା ଉପଲବ୍ଧ ହେଉଛି, ତାହାକୁ ବ୍ୟବହାର କରି ଶିଶୁମାନଙ୍କୁ ଶିକ୍ଷା ଦିଆଯାଇ ପାରିବ। ଅପରପକ୍ଷରେ ଜଣେ ଶିଶୁର ବିକାଶରେ ପିତାମାତାଙ୍କ ଗୁରୁ ଦାୟିତ୍ବ ରହିଛି। ଆଜିର ସମୟରେ କର୍ମଜୀବୀ ପିତାମାତା ନିଜ ଶିଶୁ ପାଇଁ ସମୟ ଦେଇ ପାରୁନାହାନ୍ତି। ଘରେ ପହଞ୍ଚିବା ବେଳେ ଶିଶୁଟିଏ ବିଦ୍ୟାଳୟରେ ଘଟିଥିବା ଘଟଣା ସଂପର୍କରେ ପିତାମାତାଙ୍କୁ କହିବାକୁ ଚାହୁଥିବା ବେଳେ ସେମାନଙ୍କ ନିକଟରେ ଏହାକୁ ଶୁଣିବାର ଧୈର୍ଯ୍ୟ ରହୁନାହିଁ। ପୁରୁଣା ସମୟରେ ଯୌଥ ପରିବାରରେ ଯଦି ପିଲା ପାଇଁ ପିତାମାତାଙ୍କ ସମୟ ନ ଥାଏ, ତା’‌େହଲେ ଜେଜେବାପା କିମ୍ବା ଜେଜେମା’ ଏହାକୁ ପୂରଣ କରିଥାନ୍ତି। ମାତ୍ର ଆଜିର ନ୍ୟୁକ୍ଲିୟର ପରିବାରରେ ଏହା ଦେଖିବାକୁ ମିଳୁନାହିଁ। ଯାହାର ପ୍ରଭାବ ଶିଶୁ ଉପରେ ପଡ଼ିଥାଏ। ଘରେ ପିତାମାତା କିଭଳି ବ୍ୟବହାର କରୁଛନ୍ତି, କିଭଳି ନିଜ ପଡ଼ୋଶୀଙ୍କ ସହ ସଂପର୍କ ରଖୁଛନ୍ତି ତାହା ଶିଶୁ ଉପରେ ପ୍ରଭାବ ପକାଇଥାଏ। ଏହାସହ ଶିଶୁକୁ ଅଯଥାରେ କିଛି ଜିନିଷ ଦେବା ଉଚିତ୍ ନୁହେଁ। ବହୁ ପିତାମାତା ଅନ୍ୟ ସହ ପ୍ରତିଯୋଗିତା କରି ପିଲା ମାଗିବା ପୂର୍ବରୁ ହିଁ ଜିନିଷକୁ ଧରାଇ ଦେଉଛନ୍ତି। ଯାହା ଠିକ୍ ନୁହେଁ। ପିଲାଟି କୌଣସି ଜିନିଷର ମୂଲ୍ୟ ବୁଝିବା ପରେ ହିଁ ତାକୁ ସେହି ଜିନିଷ ଦିଆଯିବା ଉଚିତ୍।

ଅନେକ ସ୍କୁଲ ନିଜକୁ ଇଣ୍ଟରନ୍ୟାସନାଲ ସ୍କୁଲ ବୋଲି ‌କହୁଥିବା ବେଳେ ଏହାକୁ କଟାକ୍ଷ କରି ସେ କହିଥିଲେ ଯେ ଏହା ଏକ ଆଳଙ୍କାରିକ ଶବ୍ଦ। କେବଳ ପିତାମାତାଙ୍କୁ ଆକୃଷ୍ଟ କରିବା ପାଇଁ ଏହାକୁ ବ୍ୟବହାର କରାଯାଉଛି। ବିଶ୍ବସ୍ତରୀୟ ସ୍କୁଲରେ ପରିଣତ ହେବାକୁ ହେଲେ ଶିକ୍ଷକଙ୍କୁ ତାଲିମ ଦେବା ସହ ସେସବୁ ସ୍କୁଲରେ ଯେଉଁ ଶିକ୍ଷା ପଦ୍ଧତି ଗ୍ରହଣ କରାଯାଉଛି, ତାହାକୁ ଆପଣାଇବାକୁ ହେବ ବୋଲି ଶ୍ରୀମତୀ ଈଶ୍ବରନ୍ କହିଥିଲେ। ପରେ ଭୁବନେଶ୍ବରରେ ଶୈଶବ ଶିକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ହାପି ଆୱାର୍ସ ସ୍କୁଲର ପୁଷ୍ପା ଧାୱନ ଓ ନିଧି ଧାୱନ୍, ବ୍ଲସମ୍ ସ୍କୁଲର ନାଦିଆ ମଗବେଲପୋର, ମଦର୍ସ ପବ୍ଲିକ୍ ସ୍କୁଲର ପଲ୍ଲୀ ପଟ୍ଟନାୟକ, ଡିପିଏସ୍ କଳିଙ୍ଗର ମାଲା ମିଶ୍ର, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ମୋନାଲିଆ ବଳ, ବିଏମ୍‌ସିଏସ୍‌ ତକ୍ଷଶୀଳାର ସିକତା ଦାସ, ଲିଟିଲ ଷ୍ଟେପ୍ ପ୍ଲେ ସ୍କୁଲର ସୁଧା ମିଶ୍ର ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଦି ୱିଜଡମ୍ ‌ଟ୍ରି ଗ୍ଲୋବାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକ ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ନିର୍ବାହୀ ଟ୍ରଷ୍ଟି ପଞ୍ଚମୀ ମାନୁ ଉକିଲ ଅତିଥ ପରିଚୟ ପ୍ରଦାନ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ବାଗତିକା ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର