କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଫସି ରହିଛନ୍ତି ଶ୍ରମିକ

ଭୁବନେଶ୍ବର: ଲକ୍‌ଡାଉନ ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଫସି ରହିଛନ୍ତି ନୟାଗଡ଼ର କୈଳାସ ଚନ୍ଦ୍ର ଦାଶ(୪୩) ଓ ପୁରୀର ସ୍ନେହାଶିଷ ବେହେରା (୪୪)। ଆହାର ନଚେତ୍ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ବାରା ଦିଆଯାଉଥିବା ଖାଦ୍ୟ ଖାଇ ହସ୍ପିଟାଲ ବାରଣ୍ଡାରେ ପଡ଼ି ରହିଛନ୍ତି। ଦୁହେଁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ରହି କାମ କରୁଥିଲେ। ଲକ୍‌ଡାଉନ ହେବାରୁ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଗାଡ଼ି ମଟର ବନ୍ଦ ହୋଇଯିବା ସହ ପାଖରେ ପଇସା ନଥିବାରୁ ଘରକୁ ଯାଇ ପାରି ନଥିଲେ। ରହିବା ଖାଇବାରେ ଅସୁବିଧା ତା’ ସହ ପୁଲିସ ଭୟ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ରହିବା ବାଧ୍ୟ କରିଛି।

କୈଳାସ କୁହନ୍ତି, ଗତବର୍ଷ ଲକ୍‌ଡାଉନ ସମୟରେ କାମ ବନ୍ଦ ହୋଇଯାଇଥିଲା। ତେଣୁ ଏବର୍ଷ ବହୁ ଆଶାରେ ଭୁବନେଶ୍ବର ଆସିଥିଲୁ। ଆଉ ବଡ଼ କାମ ମଧ୍ୟ ମିଳି ଥିଲା। କିନ୍ତୁ ଲକ୍‌ଡାଉନ ସବୁ ସାରିଦେଲା। କାମ ଆରମ୍ଭ ହେଉ ହେଉ ବନ୍ଦ ହୋଇଗଲା। ପାଖରେ ଟଙ୍କାଟିଏ ମଧ୍ୟ ନାହିଁ। କ’ଣ ଖାଇବୁ କେମିତି ରହିବୁ ଭାବି ଭାବି ଏହି ହସ୍ପିଟାଲ ବାରଣ୍ଡାରେ ଆସି ରହିଲୁ। ଦୁଇବେଳା ଖାଇବା ମୁଠେ ମିଳି ଯାଉଛି। ୧୯ ତାରିଖ ଲକ୍‌ଡାଉନ ଖୋଲିଲେ ପୁଣି କାମକୁ ଯିବୁ। ଯେଉଁ ଘର ନେଇଥିଲୁ ଭଡ଼ା ନ ଦେଇ ପାରିବା ଫଳରେ ଛାଡ଼ି ଦେଇଛୁ। ଘରେ ପିଲାଛୁଆ ସଂସାର ଚଳିବା ପାଇଁ ଟଙ୍କା ଆବଶ୍ୟକ। କିନ୍ତୁ ଟଙ୍କା ନାହିଁ, କ’ଣ ନେଇ ଘରକୁ ଯିବୁ। ତେଣୁ ଲକ୍‌ଡାଉନ ନଖୋଲିଲା ପର୍ଯ୍ୟନ୍ତ ଏହି ବାରଣ୍ଡାରେ ପଡ଼ି ରହିବୁ।
ସେହିପରି ସ୍ନେହାଶିଷ କୁହନ୍ତି, ଦୀର୍ଘ ଦିନ ହେବ ସେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ରହି କାମ କରୁଥିଲେ। କିନ୍ତୁ ପୂର୍ବ ବର୍ଷ ଲକ୍‌ଡାଉନ କାମ ଛଡ଼େଇ ନେଇଥିଲା। ଏବେ ପାଖରେ ସଞ୍ଚିତ ସବୁ ଟଙ୍କା ସରି ଯାଇଛି। ଘରେ ଖାଇବାକୁ ପଇସା ନାହିଁ। ତା’ପରେ ପିଲାଛୁଆଙ୍କ ପାଠ ପଢ଼ା ପାଇଁ ଟଙ୍କା ଆବଶ୍ୟକ। ଝିଅ ବାହାଘର ମଧ୍ୟ ଆଗକୁ ଅଛି। ସ୍ତ୍ରୀ ପର ଘରେ ପାଇଟି କରି ଏବେ ଘର ଚଳାଉଛି। ଏମିତି ସମୟରେ ମୁଁ ଘରକୁ ଖାଲି ହାତରେ କେମିତି ଫେରିବି? ଗାଁକୁ ଗଲେ ତ ଏ ସମୟରେ କିଛି କାମ ମିଳିବନି। ତେଣୁ ରାଜଧାନୀରେ ରହି ଲକ୍‌ଡାଉନ ଖୋଲିବା ପରେ କାମ ଅନ୍ବେଷଣ କରିବି। ପୁଲିସ ମାଡ଼ ଭୟରେ ଏଠାରେ ପଡ଼ି ରହିଛି।

ସମ୍ବନ୍ଧିତ ଖବର