ବିଶ୍ୱ ବନ ଦିବସ ପାଳିତ : ସହରାଞ୍ଚଳରେ ସୃଷ୍ଟି ହେବ ଜଙ୍ଗଲ

ଭୁବନେଶ୍ୱର : ସହରାଞ୍ଚଳରେ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ବଡ଼ ଓ ଛୋଟ ସହରରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରତି ସହରାଞ୍ଚଳର ଅତି କମ୍‌ରେ ୨୫ ଏକର ଜମିରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବାକୁ ସେଠାକାର କର୍ତୃପକ୍ଷଙ୍କୁ କୁହାଯିବ। ଯେଉଁ ସହର ଚାହିଁବେ ୧୦୦ରୁ ୨୦୦ ଏକର ପର୍ଯ୍ୟନ୍ତ ଜଙ୍ଗଲ ସୃଷ୍ଟି କରିପାରିବେ। ବଡ଼ ସହରଗୁଡ଼ିକରେ ବ୍ୟାପକ ବୃକ୍ଷରୋପଣ କରିବାକୁ କୁହାଯିବ। ସହରାଞ୍ଚଳ ଭିତରେ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦିଆଯିବା ସହ ସହର ବାହାରେ ବି ବୃକ୍ଷରୋପଣ କରିବା ଦିଗରେ ଲୋକଙ୍କୁ ସଚେତନ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି।

ବିଶ୍ୱ ବନ ଦିବସ ଅବସରରେ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ରାଉତରାୟ କହିଲେ, ୧୯୮୦ ପରେ ପରିବେଶ ସଚେତନତା ଓ ଜଙ୍ଗଲ ସୁରକ୍ଷା ଦିଗରେ ଲୋକମାନେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଜାତୀୟସ୍ତରରେ ଜଙ୍ଗଲ ଅବକ୍ଷୟକୁ ବିଚାରକୁ ନେଲେ ଓଡ଼ିଶାର ସ୍ଥିତି ଭଲ ରହିଛି। ଜଙ୍ଗଲ ଉପରେ ସାଧାରଣ ଲୋକଙ୍କ ନିର୍ଭରଶୀଳତା କମିଥିବାରୁ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୯୦୦ ବର୍ଗ କି.ମି. ଜଙ୍ଗଲ ବଢ଼ିଛି। ମହାନଦୀ, ଇବ୍‌, ତେଲ୍‌ ନଦୀକୂଳବର୍ତୀ ଅଞ୍ଚଳର ଏକ କିି.ମି. ପର୍ଯ୍ୟନ୍ତ ବୃକ୍ଷରୋପଣ କରାଯିବ। ସମସ୍ତ ସହରାଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି, ସହରାଞ୍ଚଳରେ ବୃକ୍ଷରୋପଣ, ଉପକୂଳବର୍ତୀ ବନୀକରଣ, ପରିବେଶ ପର୍ଯ୍ୟଟନ ଭଳି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ସାଧାରଣ ଲୋକଙ୍କ ଦ୍ୱାରା ହିଁ ଜଙ୍ଗଲର ସୁରକ୍ଷା ଓ ପୁନରୁଦ୍ଧାର କରାଯାଇପାରିବ। ଏବେ ସୁଦ୍ଧା ଓଡ଼ିଶାରେ ୧୨ ହଜାର ବନ ସଂରକ୍ଷଣ ସମିତି ଓ ଇକୋ-ଡେଭଲ୍‌ମେଣ୍ଟ କମିଟି ଗଠନ ହୋଇଛି। ଏହା ଜରିଆରେ ଜଙ୍ଗଲ ସୁରକ୍ଷା କରାଯାଉଛି। ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବ ବୋଲି ସେ କହିଥିଲେ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁବାସ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ସତ୍ୟନାରାୟଣନ୍‌ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ହାଇଲାଇଟ୍‌ସ ଅଫ୍‌ ଓଡ଼ିଶା ଫରେଷ୍ଟ୍ରି ସେକ୍ଟର-୨୦୧୮’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଜଙ୍ଗଲ ବିଭାଗର କ୍ଷେତ୍ର ଅଧିକାରୀଙ୍କୁ ପୁରସ୍କୃତ କରାଯିବା ସହ ଏକ ପ୍ରଦର୍ଶନୀକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ।

ଚନ୍ଦକାରେ ବିଶ୍ୱ ବନ ଦିବସ

ଖଣ୍ଡଗିରି : ଆଜି ଚନ୍ଦକା ଅଭୟାରଣ୍ୟରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଚନ୍ଦକା ଡିଏଫ୍‌ଓ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଅତିଥିଭାବେ ଯୋଗ ଦେଇଥିଲେ। ମୁଖ୍ୟ ବନ ସଂରକ୍ଷକ ଏଚ୍‌ କେ ବିସ୍ତା, ପି ଜେଡ୍‌ ମେକ୍ରୋ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଜଙ୍ଗଲ ସହ ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଚନ୍ଦକା ଡିଏଫ୍‌ଓ କେଦାର କୁମାର ସ୍ୱାଇଁ ଓ ସୁବ୍ରତ ଦେବତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ବାର୍ଡସ୍‌ ଅଫ୍‌ ଚନ୍ଦକା ଓ୍ଵାଇଲ୍ଡ ଲାଇଫ୍‌ ଡିଭିଜନ୍‌’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଚନ୍ଦକା ଅଭୟାରଣ୍ୟର ଡମପଡ଼ା, ଚନ୍ଦକା, ଭୁବନେଶ୍ୱର ଓ ହଳଦିଆ ରେଂଜର୍‌ଙ୍କ ସମେତ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର