ବରମୁଣ୍ଡା ଫ୍ଲାଏଓଭର୍‌ରେ ଅଘଟଣ: ଟ୍ରକ୍‌ ଧକ୍କାରେ ଯୁବକ ମୃତ

ଭୁବନେଶ୍ୱର : ରବିବାର ବିଳମ୍ବିତ ରାତିରେ ୧୬ନଂ ଜାତୀୟ ରାଜପଥ ବରମୁଣ୍ଡା ନିକଟରେ ଅଜଣା ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଇଛି।

ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୧୨ଟାରେ ଖୋର୍ଦ୍ଧା ପଟକୁ ଯାଉଥିବା ଏକ ଟ୍ରକ୍ ବରମୁଣ୍ଡା ଫ୍ଲାଏଓଭର୍‌ରେ ରାସ୍ତା ପାର ହେଉଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଯୁବକଜଣଙ୍କ କିଛି ଫୁଟ୍ ଦୂରକୁ ଛିଟକି ପଡ଼ିଥିଲେ। ତାଙ୍କ ମୁଣ୍ଡ ରାସ୍ତାରେ ମାଡ଼ ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛି।

 

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସବୁ ଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥ ପ୍ରାଧିକରଣ ଫ୍ଲାଏଓଭର୍‌କୁ ଆଲୋକୀକରଣ କରୁ ନଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଅନ୍ଧାର ଯୋଗୁଁ ଗାଡ଼ି ଚାଳକ ରାସ୍ତା ଜାଣି ପାରୁନାହାନ୍ତି। ସୂଚନାଯୋଗ୍ୟ, ଦୀର୍ଘ ମାସ ହେଲା ବରମୁଣ୍ଡାରୁ ଫ୍ଲାଏଓଭର୍‌ ରାସ୍ତା ଅନ୍ଧାରରେ ରହିଛି।

ସମ୍ବନ୍ଧିତ ଖବର