ଥରେ ଜଣେ ଧନୀଲୋକ କୌଣସି ଏକ ଯାତ୍ରାରେ ବାହାରି ଥିଲେ। ସେ ବାଟରେ ବରଗଛ ତଳେ ଜଣେ ସନ୍ଥକୁ ଦେଖିଲେ। ସନ୍ଥ ତାଙ୍କ ଅନୁଗାମୀମାନଙ୍କୁ କିଛି କିଛି ପୁଣ୍ୟ ଅର୍ଜନ କରିବା ପାଇଁ ଉପଦେଶ ଦେଉଥିଲେ। ଧନୀ ଲୋକଟି ପୁଣ୍ୟ ଅର୍ଜନ ନକରି ମୋ ଭଳି ଧନ ଅର୍ଜନ କରିବାର ଆବଶ୍ୟକତା ରହିଛି ବୋଲି ସନ୍ଥଙ୍କୁ କହିଲେ। ସନ୍ଥ ଜଣକ ଧୀର ଓ ଶାନ୍ତ ହୋଇ ସେଇ ଧନୀ ଲୋକଟିକୁ କହିଲେ କି ତୁମ୍ଭେ ସାରା ଜୀବନ ଅର୍ଜନ କରିଥିବା ଧନକୁ ତୁମ ମୃତ୍ୟୁପରେ ସ୍ବର୍ଗଲୋକକୁ ନେଇ ପାରିବ ନାହିଁ। ତୁମେ ଅର୍ଜିଥିବା ସବୁ ଧନକୁ ଏଇ ମର୍ତ୍ୟଲୋକରେ ଛାଡ଼ିକି ଯିବାକୁ ହିଁ ପଡ଼ିବ। ସନ୍ଥଙ୍କ ମୁଖରୁ ଏପରି ବାଣୀ ଶୁଣି ଧନୀଲୋକଟି ବ୍ୟସ୍ତ ହୋଇ ପଡ଼ିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏମିତି କିଛିଦିନ ବିତିଗଲା। ସେ ସନ୍ଥଙ୍କ କଥା ଭୁଲି ପାରିଲା ନାହିଁ। ଥରେ ସେ ତା’ର ସମସ୍ତ ବନ୍ଧୁବର୍ଗଙ୍କୁ ଡାକି ଏକ ବଡ଼ ସଭା ଓ ଭୋଜିର ଆୟୋଜନ କଲା। ସେଥିରେ ସେ ସେଇ ପ୍ରଶ୍ନଟି ପଚାରିଲା। ପରଲୋକକୁ ମୋ ଅର୍ଜିତ ଧନ କିପରି ଯିବ! ସେଇ ସଭାରେ ତାଙ୍କର ଜଣେ ବିଦେଶି ଫରନ୍ତା ବନ୍ଧୁ ଯୋଗ ଦେଇଥିଲେ। ତାଙ୍କ ପାଖରେ କିଛି ବିଦେଶି ମୁଦ୍ରା ଥିଲା। ସେ ସେଇ ମୁଦ୍ରାଗୁଡ଼ିକୁ ତାଙ୍କର ଧନୀ ବନ୍ଧୁଙ୍କୁ ଦେଇ କହିଲେ -ବନ୍ଧୁ ଏଇ ମୁଦ୍ରା ନେଇ ଆପଣ ପାଖ ଦୋକାନରୁ ମୋ ପାଇଁ କପେ ଚା ମଗାନ୍ତୁ। ତାପରେ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି। ଧନୀ ଲୋକଟି ମୁଦ୍ରାଗୁଡ଼ିକୁ ଦେଖି କହିଲା। ଏ ମୁଦ୍ରାଗୁଡ଼ିକରେ ଆମ ଦେଶରେ କିଛି ବି କିଣାକିଣି କରିବା ପାଇଁ ଚଳିବ ନାହିଁ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରୁ ଏ ବିଦେଶୀ ମୁଦ୍ରାସବୁ ଦେଇ ତା’ ବଦଳରେ ଆମ ଦେଶର ମୁଦ୍ରା ନେବାକୁ ପଡ଼ିବ। ବିଦେଶୀ ବନ୍ଧୁ ଜଣକ କହିଲେ ସେହିଭଳି ସ୍ବର୍ଗଲୋକରେ ପୁଣ୍ୟ ମୁଦ୍ରାର ପ୍ରଚଳନ ରହିଛି। ମର୍ତ୍ୟଲୋକରେ ଅର୍ଜିତ ମୁଦ୍ରାରୁ ସେବା କାର୍ଯ୍ୟ କଲେ ତାହା ସ୍ବର୍ଗଲୋକରେ ପୁଣ୍ୟ ମୁଦ୍ରାରେ ପରିଣତ ହୋଇଥାଏ। ଖାଲି ସେତିକି ନୁହେଁ ବନ୍ଧୁ ଆପଣଙ୍କ ପାଖରେ ଥିବା ମୂଲ୍ୟବାନ ସମୟ ଓ ବିଦ୍ୟାକୁ ଦାନକରି ସମାଜରେ ସେବାମୂଳକ କାର୍ଯ୍ୟ କଲେ ମଧ୍ୟ ପୁଣ୍ୟ ଅର୍ଜନ କରିହୁଏ। ଯେମିତିକି ଅନାଥ ଅଶ୍ରମ,ଜରାଶ୍ରମ,ପାଖ ଡାକ୍ତରଖାନା ଓ ବିଦ୍ୟାଳୟକୁ ଯାଇ ପିଲା ଓ ରୋଗୀମାନଙ୍କ ଆବଶ୍ୟକତାକୁ ପୂରଣ କରିବା, ଅସହାୟକୁ ସାହାଯ୍ୟ କରିବା, ସମସ୍ତଙ୍କ ମୁହଁରେ ହସ ଫୁଟେଇବା ଇତ୍ୟାଦି।
ବିଦେଶୀ ବନ୍ଧୁଙ୍କ ଉତ୍ତରରେ ଧନୀଲୋକଟିର ଆଖି ଖୋଲିଗଲା। ସେ ସନ୍ଥ ଓ ଗୁରୁଜନଙ୍କ ଶରଣାପନ୍ନ ହୋଇ ଏହିସବୁ ପୁଣ୍ୟକାର୍ଯ୍ୟରେ ମନ ନିବେଶ କଲା ।
ଅଷ୍ଟମ ଶ୍ରେଣୀ,କେଜିଏନ୍ ହାଇସ୍କୁଲ,
କାକଟପୁର,ପୁରୀ