ଥରେ ଆରୁଷ ବାପାଙ୍କୁ ପଚାରିଲା, ମୋର ମୂଲ୍ୟ କ’ଣ? କୁନି ପିଲାର ମୁହଁରୁ ଏଭଳି ପ୍ରଶ୍ନ ଶୁଣି ବାପା କିଛି ବୁଝିପାରିଲେ ନାହିଁ। ପୁଅକୁ ବୁଝାଇବା ପାଇଁ ଗୋଟିଏ ଉପାୟ ଚିନ୍ତା କଲେ। ଆରୁଷ ହାତରେ ଗୋଟିଏ ପଥର ଦେଇ କହିଲେ, ବାବୁରେ ତୁ’ ପଥର ନେଇ ବଜାରରେ ବିକ୍ରି କରି ଆସେ। କିନ୍ତୁ ଗୋଟିଏ ସର୍ତ୍ତ। ପଥର ବିକ୍ରି କରିବା ବେଳେ ଗ୍ରାହକଙ୍କୁ କିଛି କହିବୁ ନାହିଁ। ପଥରର ମୂଲ୍ୟ ପଚାରିଲେ କେବଳ ଦୁଇଟି ଆଙ୍ଗୁଳି ଦେଖାଇବୁ। ପିଲାଟି ଆଶ୍ଚର୍ଯ୍ୟ ହୋଇଗଲା। ପଥରକୁ କିଏ ବା କାହିଁକି କିଣିବ? ହେଲେ ବାପାଙ୍କ କଥା ମାନି ବଜାରକୁ ଗଲା।
Sambad is now on WhatsApp
Join and get latest news updates delivered to you via WhatsApp
ବଜାରର ଗୋଟିଏ କୋଣରେ ଯାଇ ବସି ପଡ଼ିଲା ଆରୁଷ। ବହୁ ସମୟ ପରେ ଗୋଟିଏ ବୁଢ଼ୀର ନଜର ପିଲାଟିର ପଥର ଉପରେ ପଡ଼ିଲା। ବୁଢ଼ୀ ଆସି ପଚାରିଲା, ପଥରର ଦାମ୍ କେତେ? ପିଲାଟି ବାପାଙ୍କ କଥାକୁ ମନେ ପକାଇ, କେବଳ ଦୁଇଟି ଆଙ୍ଗୁଠି ଦେଖାଇଲା। ବୁଢ଼ୀଟି ପଚାରିଲା ୨ ଶହ ଟଙ୍କା? ପିଲାଟି ଚକିତ ହୋଇଗଲା। ଗୋଟିଏ ପଥରର ଦାମ୍ ୨ ଶହା ଟଙ୍କା! ପଥର ତ କୌଣସି ବି ଜାଗାରେ ମିଳିଯିବ। ଘରକୁ ଯାଇ ବାପାଙ୍କୁ କହିଲା।
ପିଲାଟିର କଥା ଶୁଣିବା ପରେ ବାପା କହିଲେ, ପଥର ନେଇ ତୁ’ ସଂଗ୍ରହାଳୟକୁ ଯାଅା। ଆରୁଷ ସେଇଆ କଲା। ସଂଗ୍ରହାଳୟରେ ଥିବା ସମୟରେ ଜଣେ ବ୍ୟକ୍ତି ପିଲାଟି ପାଖକୁ ଆସିଲେ। ପଥରକୁ ଦେଖି କହିଲେ, ପଥରର ଦାମ୍ କେତେ? ପିଲାଟି ଦୁଇଟି ଆଙ୍ଗୁଠି ଦେଖେଇଲା। ବ୍ୟକ୍ତିଜଣଙ୍କ କହିଲେ ଦୁଇ ହଜାର ଟଙ୍କା?
ଏଥର ବାପା କହିଲେ, ଶେଷ ଥର ପାଇଁ ତୁ ଦୁର୍ଲଭ ପଥର ବିକ୍ରି ହେଉଥିବା ଦୋକାନକୁ ଯାଆ। ସେଠି ବି ତତେ ଯଦି କିଏ ପଥରର ଦାମ୍ ପଚାରେ, ତେବେ ଚୁପ୍ ରହିବୁ। କେବଳ ଦୁଇ ଆଙ୍ଗୁଠିକୁ ଦେଖାଇବୁ। ଦୋକାନରେ ଜଣେ ବୁଢ଼ା ବ୍ୟକ୍ତି ଥିଲେ। ପିଲାଟି ହାତରେ ପଥର ଦେଖି ଦୌଡ଼ି ଆସିଲେ। ଆଉ କହିଲେ ଏହି ପଥର ଖୋଜି ଖୋଜି ମୋ ଜୀବନ କଟିଗଲାଣି। ଏ ପଥର ମୋର ଦରକାର। କେତେ ଟଙ୍କା ନେବ? ପିଲାଟି ଦୁଇଟି ଆଙ୍ଗୁଳି ଦେଖାଇଦେଲା। ବୃଦ୍ଧ ଜଣକ କହିଲେ, କ’ଣ ୨ ଲକ୍ଷ ଟଙ୍କା? ଠିକ୍ ଅଛି ଦୁଇ ଲକ୍ଷ ଟଙ୍କା ଦେବାକୁ ମୁଁ ପ୍ରସ୍ତୁତ ମୋତେ ପଥର ଦେଇ ଦିଅ।
କ’ଣ ସବୁ ଘଟୁଛି ପିଲା କିଛି ବୁଝି ପାରୁ ନ ଥିଲା। ଗୋଟିଏ ପଥର ପାଇଁ ୨ ଳକ୍ଷ ଟଙ୍କା? ବାପାଙ୍କୁ କହିଲା, ଜଣେ ବୃଦ୍ଧ ବ୍ୟକ୍ତି ୨ ଲକ୍ଷ ଟଙ୍କା ଦେବା ପାଇଁ ରାଜିଥିଲେ। ସତରେ ଏହି ପଥର କ’ଣ ଏତେ ମୂଲ୍ୟବାନ୍? ବାପା ଉତ୍ତରରେ କହିଲେ ତୁ ପଚାରୁଥିଲୁ ନା, ତୋ’ର ମୂଲ୍ୟ କ’ଣ? କିଛି ବୁଝିପାରିଲୁ? ତୁମେ ନିଜକୁ କେଉଁଠି ରଖୁଛ, ତାହା ହିଁ ତୁମର ମୂଲ୍ୟ ସ୍ଥିର କରେ। ଜୀବନରେ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କ ପାଇଁ ତୁମେ ହିଁ ସବୁ କିଛି। ଆଉ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ତୁମକୁ କେବଳ ବସ୍ତୁ ଭଳି ବ୍ୟବହାର କରିବେ। ସେମାନଙ୍କ ପାଇଁ ତୁମର ମୂଲ୍ୟ କିଛି ନୁହେଁ। ତୁମର ମୂଲ୍ୟ କ’ଣ ହେବ ତାହା ତୁମେ ହିଁ ସ୍ଥିର କରିବ।
ଗ୍ୟାରେଜ୍ ଛକ, ଭୁବନେଶ୍ବର