ଥିଲେ ଜଣେ ସଂଗ୍ରାମୀ

ମାତ୍ର ୧୦ ବର୍ଷର ପିଲାଟିଏ। ଏ ବୟସରେ କିଏ ସିନା ଖେଳକୁଦରେ ମାତେ, ତାଙ୍କ ମନ କିନ୍ତୁ ଦେଶ ବିଦେଶ କଥାକୁ କାନେଇଥାଏ। ବେଶି କିଛି ବୁଝିପାରୁନଥିଲେ ହେଁ କେବଳ ଏତିକି ବୁଝୁଥିଲେ, ଗାନ୍ଧୀ ବୋଲି ଜଣେ ଲୋକ ଅଛି। ଯିଏ ଅତ୍ୟାଚାରୀ ଗୋରା ସରକାର ବିରୋଧରେ ଲୋକଙ୍କୁ ଏକାଠି କରୁଛି। ବାରମ୍ବାର ଏହା ଶୁଣିବା ପରେ ତାଙ୍କ କଅଁଳ ହୃଦୟରେ ମିଞ୍ଜିମିଞ୍ଜି ଜଳିବା ଆରମ୍ଭ କରିଥିଲା ଦୀପ ଶିଖାଟିଏ। ଯେବେ ଏକ ଶୋଭାଯାତ୍ରାରେ ଛାତ୍ରମାନେ ‘ପଞ୍ଚମ ଜର୍ଜ କି ଜୟ…ବୋଲି ଉଚ୍ଚାରଣ କରୁଥିଲେ, ସେତେବେଳେ ଭବାନୀ ଚରଣ ପଟ୍ଟନାୟକଙ୍କ ମୁହଁରୁ ଉତୁରି ଆସୁଥିଲା, ମହାତ୍ମା ଗାନ୍ଧୀ କି ଜୟ…। ଏଥିପାଇଁ ଶିକ୍ଷକଙ୍କଠାରୁ ନିର୍ଧୁମ୍‌ ମାଡ଼ ଖାଇଲେ। ମାତ୍ର ନିଜ ଉକ୍ତିରେ ଅଟଳ ଥିଲେ ଭବାନୀ। କାଳକ୍ରମେ ସେ ପାଲଟି ଯାଇଥିଲେ ଦେଶମାତୃକାର ବୀର ସଂଗ୍ରାମୀ। ସେ ଆଉ ନାହାନ୍ତି। ହୁଏତ ଜନମାନସରୁ ବି ସେ କେବେ ଅପସରି ଯିବେ। ମାତ୍ର ଏ ମାଟି ତାଙ୍କ ବୀରତ୍ବର ସ୍ମୃତିକୁ କେବେ ପାସୋରିବ ନାହିଁ।

ଉପସ୍ଥାପନା: ସତ୍ୟନାରାୟଣ ରାଉତରାୟ, ଅଳଙ୍କରଣ: କମଳ ଲୋଚନ ପଣ୍ଡା

ଶୁଖୁଆ ବାଲିଙ୍କୁ ବିକ୍ରି ହୋଇଥିଲେ ଭବାନୀ
ସେ ଥିଲେ ୬ଭଉଣୀରେ ଗୋଟେ ଭାଇ। ପୁଣି ସାନ। ତେଣୁ ବାପା ନାରାୟଣ ଓ ମା’ କୁମୁଦିନୀଙ୍କର ବହୁ ପ୍ରତୀକ୍ଷିତ ପୁତ୍ର ସନ୍ତାନ। ୧୯୨୨ ମସିହା ମେ’ ୧୧ ତାରିଖ ଗୁରୁବାର ଭୋର୍‌ ସାଢ଼େ ୫ଟାରେ ତାଙ୍କ ଜନ୍ମ। ଏହି ପବିତ୍ର ବେଳାରେ ଜନ୍ମ ନେଇଥିବାରୁ ଭବିଷ୍ୟତରେ ସେ ଜଣେ ମହାନ ବ୍ୟକ୍ତିତ୍ବର ଅଧିକାରୀ ହେବେ ବୋଲି ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ। ଭବାନୀ ଏକମାତ୍ର ପୁତ୍ର ସନ୍ତାନ ହୋଇଥିବାରୁ ମା’ କୁମୁଦିନୀ ତାଙ୍କୁ କଣ୍ଡରା ସାହିର ଦେଈ ନାମକ ଜଣେ ଶୁଖୁଆ ବାଲିଙ୍କୁ ବିକ୍ରି କରିଦେଇଥିଲେ। ସମ୍ଭବତଃ ଏମିତି ବିକ୍ରି କରିବା ଦ୍ବାରା ତାଙ୍କ ପୁଅ ଉପରେ ଆଉ କାହାର ଖରାପ ଦୃଷ୍ଟି ପଡ଼ିବନି ବୋଲି ବିଶ୍ବାସ କରି ସେ ଏପରି କରିଥିଲେ। ଦେଈଙ୍କୁ ଭବାନୀ ମାଉସୀ ବୋଲି ଡାକୁଥିଲେ। ଦେଈ ବି ଭବାନୀଙ୍କୁ ଖୁବ୍‌ ଭଲ ପାଉଥିଲେ। ଭବାନୀଙ୍କୁ ଯେତେବେଳେ ଦେଖୁଥିଲେ, ତାଙ୍କ ହାତରେ କିଛି ପଇସା ଦେଉଥିଲେ। ବେଣୁଧର ସେନାପତିଙ୍କ ଦ୍ବାରା ରଚିତ ଭବାନୀ ପଟ୍ଟନାୟକଙ୍କ ଜୀବନୀ ‘ଅହିଂସାର ଅଭିବ୍ୟକ୍ତି’ରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି।

ବିଜୁ ବାବୁଙ୍କ ନିର୍ବାଚନ ପରିଚାଳନା
ହରେକୃଷ୍ଣ ମହତାବଙ୍କ ସରକାର ଭାଙ୍ଗିବା ପରେ ୧୯୬୧ରେ ସାଧାରଣ ନିର୍ବାଚନ ହେଲା। ସେତେବେଳେ ବିଧାନସଭା ଆସନ ୧୨୦ରୁ ୧୪୦କୁ ବଢ଼ି ସାରିଥାଏ। ଗଣତନ୍ତ୍ର ଦଳ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ବରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥାଏ। ଏ ସମୟରେ ଭବାନୀ ବାବୁ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୂରା ରଣନୀତି ପ୍ରସ୍ତୁତ କଲେ। ସମସ୍ତ ଯୋଜନାକୁ ସେ ପୂର୍ଣ୍ଣ ଗୋପନୀୟତାର ସହ ପ୍ରସ୍ତୁତି ଜାରି ରଖିଲେ। କଂଗ୍ରେସର ତୁଙ୍ଗ ନେତାମାନେ ବି ଏହା ଜାଣି ପାରୁନଥିଲେ। ୬ ସୂତ୍ରୀ ନୀତି ସହ ସେ ନ‌ିଜେ ନିର୍ବାଚନ କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ପରିଚାଳନା କରୁଥିଲେ। ତାଙ୍କର ରଣନୀତି ଯୋଗୁଁ ୧୪୦ଟି ଆସନରୁ କଂଗ୍ରେସ ୮୬ଟି ଆସନ ଦଖଲ କରି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଲାଭ କରି ସରକାର ଗଠନ କଲା। ବିଜୁବାବୁ ମୁଖ୍ୟମନ୍ତ୍ରୀ ହେଲେ। ବିଜୁ ବାବୁଙ୍କ ମନ୍ତ୍ରିମଣ୍ଡଳ ଗଠନରେ ମଧ୍ୟ ଭବାନୀ ବାବୁଙ୍କ ବହୁ ଭୂମିକା ଥିଲା।

ଗିରଫ ବେଳେ ମା’ଙ୍କୁ ଉତ୍ସାହିତ କରିବାକୁ ନାରା ଦେଇଥିଲେ
କେଉଟ ତୋଟାରେ ଗୁପ୍ତ ବୈଠକ ପରେ ନିମାପଡ଼ା ଥାନା ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡରେ ୨୭ଜଣ ସଂଗ୍ରାମୀ ଆହତ ହେଲେ। ସେଦିନ ଓ ପରେ ଏଇ ଘଟଣା ପାଇଁ ୪୩ ସଂଗ୍ରାମୀ ଗିରଫ ହେଲେ। ଗୁଳିକାଣ୍ଡ ଘଟଣା ପରେ ତରୁଣ ସଂଗ୍ରାମୀ ଭବାନୀଙ୍କୁ ପୁଲିସ୍‌ ଖୋଜିଥିଲା। ଶେଷରେ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ବନ୍ଦୀ କରାଗଲା। ଭବାନୀଙ୍କ ଗିରଫ ହେବା ଦେଖି ତାଙ୍କ ମା’ ଦୌଡ଼ି ଆସି ପୁଅର ଗିରଫ ହେବା ଦେଖି ଭୋ ଭୋ କାନ୍ଦିଥିଲେ। ମା’ଙ୍କର ଏପରି ଅବସ୍ଥା ଦେଖି ତାଙ୍କୁ ଉତ୍ସାହିତ କରିବା ପାଇଁ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ପୁଲିସ୍‌ ତାଙ୍କୁ ଯେତେଥର ଲାଠିରେ ପ୍ରହାର ଦେଉଥିଲା, ସେ ସେତେ‌ଥର ବନ୍ଦେ ମାତରଂ… ବୋଲି କହୁଥିଲେ।

ସମ୍ବନ୍ଧିତ ଖବର