ଇତି ଊଣେଇଶ (ସ୍ୱାସ୍ଥ୍ୟ) : କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡୁଛି ଘଣ୍ଟା ଘଣ୍ଟା

ଡାକ୍ତରଙ୍କ ବଦଳି ପାଇଁ ଅସ୍ତ୍ରୋପଚାର ବନ୍ଦ, ବୁଲା କୁକୁରଙ୍କ ପାଇଁ ମୁଣ୍ଡ ବିନ୍ଧା

କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କ ଧାଡ଼ିରେ ଘଣ୍ଟା ଘଣ୍ଟା ବିତି ଯାଉଛି। ରେଜିଷ୍ଟ୍ରେସନ୍‌ କରିବାଠାରୁ ଆରମ୍ଭ କରି ଡାକ୍ତରଙ୍କୁ ସାକ୍ଷାତ, ନିଦାନ ପାଇଁ ରସିଦ୍ କାଟିବା, ରକ୍ତ ପରୀକ୍ଷା ପାଇଁ ସବୁଠି ଧାଡ଼ି ବାନ୍ଧିବାକୁ ପଡ଼ୁଛି। ଧାଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ହସ୍ପିଟାଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ନ ଥିବାରୁ ଏଭଳି ସମସ୍ୟା ଜାରି ରହିଛି। କେବଳ ଧାଡ଼ିରେ ନୁହେଁ ପରୀକ୍ଷା କରିବା ପାଇଁ ମଧ୍ୟ ରୋଗୀଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷକରି ଅଲଟ୍ରାସାଉଣ୍ଡ ରୋଗୀଙ୍କୁ ବେଶି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଧାର୍ଯ୍ୟ ତାରିଖରେ ଅଲଟ୍ରା ସାଉଣ୍ଡ ନ ହୋଇପାରିବା ଲୋକମାନଙ୍କୁ ଘରୋଇ ଡାଏଗ୍ନୋଷ୍ଟିକ୍ କେନ୍ଦ୍ର ଆଡ଼କୁ ଯିବା ପାଇଁ ବାଧ୍ୟ କରିଥିଲା।

ଡାକ୍ତରଙ୍କ ବଦଳି ପାଇଁ ଅସ୍ତ୍ରୋପଚାର ବନ୍ଦ
ବର୍ଷ ଆରମ୍ଭରୁ କ୍ୟାପିଟାଲ ହସ୍ପିଟାଲ ଅସ୍ତ୍ରୋପଚାର ଭଳି ଏକ ଗୁରୁତ୍ବପୂର୍ଣ୍ଣ ସେବାକୁ ନେଇ ବିବାଦ ଘେରକୁ ଆସିଥିଲା। ଅସ୍ତ୍ରୋପଚାର ବିଭାଗର ୪ଜଣ ଡାକ୍ତରଙ୍କ ପଦୋନ୍ନତି ପରେ ବଦଳି ହୋଇଯିବା କାରଣରୁ ହସ୍ପିଟାଲରେ ଅସ୍ତ୍ରୋପଚାର ଠପ୍‌ ହୋଇଯାଇଥିଲା। ଡାକ୍ତରଙ୍କ ଅଭାବ ପାଇଁ ଓଟିକୁ ବନ୍ଦ କରି ଦିଆଯାଇଥିଲା। ପ୍ରତ୍ୟେକ ଦିନ ୮/୧୦ ଅସ୍ତ୍ରୋପଚାର ହେଉଥିବା କ୍ୟାପିଟାଲ ହସ୍ପିଟାଲରେ ଗରିବ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ଶେଷରେ ସ୍ବାସ୍ଥ୍ୟ ବିଭାଗର ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିଲା।

ବାତ୍ୟା ଅଘଟଣ, ଅଳ୍ପକେ ବର୍ତିଲେ ନବଜାତକ
‘ଫନି’ରେ କ୍ୟାପିଟାଲ ହସ୍ପିଟାଲ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା। ହସ୍ପିଟାଲ ପରିସରରେ ଥିବା ଗଛ ଭାଙ୍ଗିଯିବା ଫଳରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିଲା। ବେଶ୍ କିଛିଦିନ ପାଇଁ ବିଦ୍ୟୁତ୍ ଅଭାବରୁ ରୋଗୀମାନଙ୍କୁ ହସ୍ପିଟାଲ ପରିସରରେ ହନ୍ତସନ୍ତ ହେବାକୁ ପଡ଼ିଥିଲା। ତେବେ ହସ୍ପିଟାଲରେ ଏକ ବଡ଼ ଅଘଟଣ ଘଟିବା ପୂର୍ବରୁ ଅଳ୍ପକେ ବର୍ତି ଯାଇଥିଲା କ୍ୟାପିଟାଲ ହସ୍ପିଟାଲ। ବାତ୍ୟା ଚାଲିଥିବା ସମୟରେ ଶିଶୁ ୱାର୍ଡର ଏସ୍‌ଏନ୍‌ସିୟୁ ପରିସରରେ ଥିବା ସିଲିଂ ହଠାତ୍ ଖସି ପଡ଼ିଥିଲା। ଏହି ସମୟରେ ଏସଏନ୍‌ସିୟୁରେ ଥିବା ଷ୍ଟାଫ ନର୍ସ ଓ ଡାକ୍ତର ଉପସ୍ଥିତ ବୁଦ୍ଧି ଖଟାଇ ନବଜାତକମାନଙ୍କୁ ବାହାରକୁ ବାହାର କରିବାରେ ସଫଳ ହୋଇଥିଲେ। ପରେ ସେମାନଙ୍କୁ ଅନ୍ୟ ଡାକ୍ତରଖାନାଗୁଡ଼ିକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ପୂର୍ବରୁ ଶିଶୁ ୱାର୍ଡର ନବୀକରଣରେ ହୋଇଥିବା ବଡ଼ ଧରଣର କେଳେଙ୍କାରୀକୁ ସିଲିଂ ଖସି ପଡ଼ିବା ଘଟଣା ପୁଣିଥିରେ ଉଜାଗର କରି ଦେଇଥିଲା।

ବୁଲା କୁକୁରଙ୍କ ପାଇଁ ମୁଣ୍ଡ ବିନ୍ଧା
ରାଜଧାନୀର ବୁଲା କୁକୁର ଉଭୟ ପ୍ରାଣୀ ଚିକିତ୍ସା ଓ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଥିଲେ। ଗତ ଏପ୍ରିଲ ମାସରେ ସହିଦନଗରସ୍ଥିତ ଉପଖଣ୍ଡସ୍ତରୀୟ ପଶୁ ଚିକିତ୍ସା କେନ୍ଦ୍ରରେ ୧ମାସ ପାଇଁ କୁକୁର ବନ୍ଧ୍ୟାକରଣ ବନ୍ଦ ହୋଇଯାଇଥିଲା। ଚଳିତ ଆର୍ଥିକ ବର୍ଷ ପାଇଁ କିଣା ଯାଇଥିବା ଔଷଧ ଶେଷ ହୋଇଯିବା ପରେ ବନ୍ଧ୍ୟାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ରର କର୍ତୃପକ୍ଷ। ତେବେ କୁକୁର ବନ୍ଧ୍ୟାକରଣର ଧାର୍ଯ୍ୟ ଲକ୍ଷ୍ୟ ହାସଲ ଆଗକୁ ହାସଲ ନ ହୋଇପାରିବା ଅନୁଭବ କରିବା ପରେ ପଶୁ ଚିକିତ୍ସା ବିଭାଗ ପକ୍ଷରୁ କେନ୍ଦ୍ରର କର୍ତୃପକ୍ଷଙ୍କ କ୍ଷମତା ଅନୁଯାୟୀ ଔଷଧ କିଣିବା ପାଇଁ କହିଥିଲେ। କିଛିଦିନ ଭିତରେ ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ଔଷଧ ଆସିବା ପରେ କୁକୁର ବନ୍ଧ୍ୟାକରଣ ଆରମ୍ଭ ହୋଇଥିଲା। ବର୍ଷ ଶେଷ ଆଡ଼କୁ କୁକୁର କାମୁଡ଼ା ଇଞ୍ଜେକସନ୍ ଡାକ୍ତରଖାନାରେ ନ ମିଳିବା ରାଜ୍ୟ ଔଷଧ ନିଗମକୁ ପଦାରେ ପକାଇ ଦେଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଇଞ୍ଜେକସନ୍ ମିଳୁ ନ ଥିବାର ନୋଟିସ୍ ଲଗାଇଥିଲେ। କେବଳ କ୍ୟାପିଟାଲ ହସ୍ପିଟାଲ ନୁହେଁ ରାଜଧାନୀର ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ମଧ୍ୟ ଇଞ୍ଜେକସନ୍ ମିଳି ନ ଥିଲା। କିଛିଦିନ ପାଇଁ ଆକ୍ରାନ୍ତମାନେ ହନ୍ତସନ୍ତ ହେବା ପରେ କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକସନ୍ ମିଳିଥିଲା।

ସମ୍ବନ୍ଧିତ ଖବର