‘କରୋନା’କୁ ନେଇ ଜନସ୍ବାର୍ଥ ମାମଲା : ଜାହାଜ ଓ ବିମାନର ପ୍ରବେଶ ଉପରେ ଅଙ୍କୁଶ ପାଇଁ ନିବେଦନ

୩୧ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବନ୍ଦ

କଟକ : କରୋନା ଭୂତାଣୁ ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ହାଇକୋର୍ଟର ଆଇନଜୀବୀ ବିଜୟ କୁମାର ରଗଡ଼ଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କରୋନାକୁ ନେଇ ସାରା ବିଶ୍ବ ତଥା ଦେଶରେ ଆତଙ୍କ ଦେଖା ଦେଇଥିବାବେଳେ ରାଜ୍ୟ ସରକାର ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ରାପିଡ୍ ଆକ୍ସନ୍ ଟିମ୍ ଗଠନ କରିବା ଉଚିତ। କରୋନା ପ୍ରଭାବିତ ଦେଶରୁ ଆସୁଥିବା ଜାହାଜକୁ ଓଡ଼ିଶା ଉପକୂଳରେ ରହିବା ପାଇଁ ଓ ମାଲ୍‌ ପରିବହନ କରିବାକୁ ଅନୁମତି ଦିଆ ନଯାଉ। ଏଥି ସହିତ କରୋନା ପ୍ରଭାବିତ ଦେଶରୁ ଆସୁଥିବା ବିମାନ ଭୁବନେଶ୍ବର ବିମାନବନ୍ଦରକୁ ଯିବା ଆସିବା ଉପରେ ଅଙ୍କୁଶ ଜାରି କରାଯିବା ଆବଶ୍ୟକ। ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି କୌଣସି ପ୍ରକାର ଭିଡ଼ ଯେପରି ଏକାଠି ନ ହେବ ସେଥି ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଉଚିତ। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ଜଳ ସଂପଦ ସଚିବ, କେନ୍ଦ୍ର ସରକାର, ପାରାଦୀପ ପୋର୍ଟ ଟ୍ରଷ୍ଟ, ଧାମରା ପୋର୍ଟ, ଗୋପାଳପୁର ପୋର୍ଟ, ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରାଯାଇଛି।

୩୧ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ
ବାରଙ୍ଗ : ଆଜି ଠାରୁ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଏହାର ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକ ପାଇଁ ବନ୍ଦ କରାଯାଇଛି। ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇ କହିଛନ୍ତି, କରୋନା ସଂକ୍ରମଣର ମୁକା ବିଲା ପାଇଁ ଜନସମାଗମ ସ୍ଥଳୀକୁ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ମଳିବା ପରେ ସୁରକ୍ଷା କାରଣରୁ ବନ୍ଦ କରାଗଲା। ଏଠାକୁ ଦେଶ,ରାଜ୍ୟ ଓ ବିଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ଆସୁଥିବାରୁ କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଛି। ପୂର୍ବ ସତର୍କତା ଅବଲମ୍ବନ ପୂର୍ବକ ପର୍ଯ୍ୟଟକଙ୍କ ଲାଗି ବନ୍ଦ କରିବାକୁ ନିସ୍ପତି ନିଆ ଗଲା। ତେବ‌େ ନନ୍ଦନକାନନର କର୍ମଚାରୀମାନେ ପୂର୍ବ ଭଳି ଜୀବଜନ୍ତୁ ସେବାରେ ନିଯୋଜିତ ରହିବେ। ସେମାନେ ନିଜର ସୁରକ୍ଷା ଲାଗି ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ୍ ପରିଧାନ କରି ପରସ୍ପର ମଧ୍ୟରେ ଦୂରତା ରକ୍ଷା କରି ସେବାକାର୍ଯ୍ୟରେ ନିୟୋଜିତ ରହିବେ। ସୌଚ ରହିବା ସହ ସ୍ବଚ୍ଛତା ପ୍ରତି ଯତ୍ନବାନ ରହିବାକୁ ନି‌ର୍ଦ୍ଦେଶ ଦିଆଯାଇଛି। ଜରୁରୀ ସେବା ପାଇଁ ଡାକ୍ତରୀ ଦଳ ମଧ୍ୟ ସଜାଗ ରହିବେ ବୋଲି ଉପନି‌ର୍ଦ୍ଦେଶକ କହିଛନ୍ତି।

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବନ୍ଦ
ଭୁବନେଶ୍ୱର : କରୋନା ବ୍ୟାପିବାରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିବା ପରେ କୋରାପୁଟ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ତତ୍ପର ହୋଇଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ କ୍ଲାସ୍‌ ଓ ହଷ୍ଟେଲ ବନ୍ଦ କରାଯାଇଛି। ୪୮ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତି ଘୋଷଣା ପର୍ଯ୍ୟନ୍ତ ସମସ୍ତ ସେମିଷ୍ଟାର ପରୀକ୍ଷା ବାତିଲ କରାଯାଇଛି। ବିଶ୍ବବିଦ୍ୟାଳୟ ପରିସରରେ ହେବାକୁ ଥିବା ସମସ୍ତ ସେମିନାର, ସମ୍ମିଳନୀ ବାତିଲ କରାଯାଇଛି। ଷ୍ଟଡି ମ୍ୟାଟେରିଆଲ ଓ ପରୀକ୍ଷା ବାବଦରେ ସମସ୍ତ ପ୍ରକାରର ଜରୁରୀ ସୂଚନା ଦେବା ପାଇଁ ଶିକ୍ଷକମାନେ ଛାତ୍ରଙ୍କ ସହ ବରାବର ଯୋଗାଯୋଗରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘୋଷଣା ଉପରେ ଆସନ୍ତା ୨୨ ତାରିଖରେ ଆଉ ଥରେ ବିଚାର ଆଲୋଚନା କରାଯିବ। ପାଠପଢ଼ା ଓ ପରୀକ୍ଷା ହେବ ନାହିଁ, କିନ୍ତୁ ବିଶ୍ବବିଦ୍ୟାଳୟ ଖୋଲା ରହିବ। କର୍ମଚାରୀ ଏବଂ ପ୍ରଫେସର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ନେଇ ନିୟମିତ ଅଫିସ୍‌ ଆସିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।

ସମ୍ବନ୍ଧିତ ଖବର