ନୂଆ ଶିକ୍ଷା ନୀତିର ବିଭିନ୍ନ ଦିଗ
ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ବ: ଷଷ୍ଠ ଶ୍ରେଣୀଠାରୁ ଧନ୍ଦାମୂଳକ ଶିକ୍ଷାକୁ ବାଧ୍ୟତାମୂଳକ କରାଯିବ। ଏହି ପାଠ୍ୟକ୍ରମକୁ ଦୂର ନିରନ୍ତର ଭିତ୍ତିକ ମଧ୍ୟ କରାଯାଇଛି। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ଦେଖି ଧନ୍ଦାମୂଳକ ପାଠ୍ୟକ୍ରମକୁ ପ୍ରସ୍ତୁତ କରାଯିବ। ଏହାକୁ ‘ଲୋକବିଦ୍ୟା’ ଜ୍ଞାନ ଭାବେ ନାମିତ କରାଯାଇଛି। ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପିଲାମାେନ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବା ସହ ସ୍ଥାନୀୟ ଅଞ୍ଚଳର ଅଭିଜ୍ଞ ଲୋକଙ୍କ ପାଖରେ ଇଣ୍ଟର୍ନସିପ୍ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ଭୂମିକା : ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ରାଜ୍ୟରେ ଶିକ୍ଷା ନୀତି ପ୍ରଚଳନ କରିବାକୁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରିବେ। ଶିକ୍ଷା ନିର୍ଦ୍ଦେଶାଳୟ ଏହାର କାର୍ଯ୍ୟକାରିତା ଦେଖିବ। ଏସ୍ସିଇଆର୍ଟି ଏକାଡେମିକ୍ ବ୍ୟପାର ବୁଝିବ। ଷ୍ଟେଟ୍ ସ୍କୁଲ୍ ଷ୍ଟାଣ୍ଡାର୍ଡ ଅଥରିଟି (ଏସ୍ଏସ୍ଏସ୍ଏ) ସବୁ ସରକାରୀ ଓ ଘରୋଇ ସ୍କୁଲ୍ ପାଇଁ ସାର୍ବନିମ୍ନ ସାଧାରଣ ମାନ ପ୍ରସ୍ତୁତ କରିବ। ସବୁ ସରକାରୀ ଓ ଘରୋଇ ସ୍କୁଲ୍ ସର୍ବନିମ୍ନ ଯୋଗ୍ୟତା ଭିତ୍ତିରେ ମୂଲ୍ୟାୟନ ହେବେ ଓ ଅନୁମତି ପାଇବେ। ସାମାଜିକ କର୍ମୀ, ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ ଓ ସ୍ବେଚ୍ଛାସେବୀଙ୍କୁ ସ୍କୁଲ୍ ସହିତ ଯୋଡ଼ାଯିବ। ଅନ୍ଲାଇନ୍ ମାଧ୍ୟମରେ ପିଲାଙ୍କ ପ୍ରଦର୍ଶନ ଜାଣିବା ପାଇଁ ଯେ କୌଣସି ସମୟରେ ସ୍କୁଲ୍ରୁ ତଥ୍ୟ ଆଣି ତାହାକୁ ତଦାରଖ କରାଯିବ।
କ’ଣ ରହିବ ଶିକ୍ଷକଙ୍କ ଯୋଗ୍ୟତା: ଶିକ୍ଷାଦାନ ପାଇଁ ସର୍ବନିମ୍ନ ଯୋଗ୍ୟତା ରହିବ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଇଡି। ତେବେ ଯେଉଁମାନେ ଅନ୍ୟ ସ୍ବତନ୍ତ୍ର ବିଷୟରେ ବ୍ୟାଚେଲର୍ ଡିଗ୍ରି ହାସଲ କରିଥିବେ, ସେମାନଙ୍କ ପାଇଁ ଦୁଇ ବର୍ଷିଆ ବିଇଡି ପାଠ୍ୟକ୍ରମ ରହିବ। ଯେଉଁମାନେ ୪ ବର୍ଷିଆ ମଲ୍ଟି ଡିସିପ୍ଲିନାରି ବ୍ୟାଚେଲର୍ ଡିଗ୍ରି ହାସଲ କରିଥିବେ ସେମାନଙ୍କୁ ବର୍ଷିକିଆ ବିଇଡି ଡିଗ୍ରି ହାସଲ କରିବାକୁ ପଡ଼ିବ। ୨୦୨୧ ସୁଦ୍ଧା ଶିକ୍ଷକମାନଙ୍କ ତାଲିମ ପାଇଁ ‘କମ୍ପପ୍ରହେନ୍ସିଭ୍ ନ୍ୟାସ୍ନାଲ୍ କରିକୁଲମ୍ ଫ୍ରେମ୍ୱର୍କ’ ପ୍ରସ୍ତୁତ କରାଯିବ। ଶିକ୍ଷକ ଶିକ୍ଷା ଅନୁଷ୍ଠାନର ମାନ ହ୍ରାସକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ସ୍କୁଲ୍ ଶିକ୍ଷାର ସବୁ ସ୍ତରରେ ଶିକ୍ଷକମାନଙ୍କୁ ଟିଚର୍ ଏଲିଜିବଲ୍ ଟେଷ୍ଟ୍(ଟିଇଟି) ମାଧ୍ୟମରେ ନିଯୁକ୍ତି ମିଳିବ। ଶିକ୍ଷକ ବଦଳି ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ଅନ୍ଲାଇନ୍ ବ୍ୟବସ୍ଥା ରହିବ। ଶିକ୍ଷକମାନେ ଯେପରି ଟେକ୍ନୋଲୋଜି ସହ ତାଳ ଦେଇ ଶିକ୍ଷା ଦାନ କରିବେ, ତାହା ଉପରେ ଗୁରୁତ୍ବ ଦିଆଯିବ।
ୟୁଜି ପାଠ୍ୟକ୍ରମ ୪ ବର୍ଷ: ୟୁଜି(ଅଣ୍ଡର ଗ୍ରାଜୁଏଟ୍) ପାଠ୍ୟକ୍ରମ ଏଣିକି ୪ ବର୍ଷିଆ ହେବ। ୟୁଜିର ପ୍ରଥମ ବର୍ଷରେ ସାର୍ଟିଫିକେଟ୍ କୋର୍ସ, ଦ୍ବିତୀୟ ବର୍ଷରେ ଡିପ୍ଲୋମା, ତୃତୀୟ ବର୍ଷରେ ସ୍ନାତକ ଡିଗ୍ରି ପ୍ରଦାନ କରାଯିବ। ଛାତ୍ରଛାତ୍ରୀ ଚାହିଁଲେ ଚତୁର୍ଥ ବର୍ଷରେ ଗବେଷଣା ଭିତ୍ତିକ ବହୁ ବିଷୟକ ପାଠ୍ୟକ୍ରମ ପଢ଼ିପାରିବେ। ଏହାପରେ ସେମାନେ ଚାହିଁଲେ ବର୍ଷିକିଆ କିମ୍ବା ଦୁଇ ବର୍ଷିଆ ପିଜି ମଧ୍ୟ କରିପାରିବେ। ଏମ୍.ଫିଲ୍ ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ତେବେ ପିଜି ପରେ ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ବିଷୟ ଉପରେ ଗବେଷଣା କରି ପିଏଚ୍ଡି କରିପାରିବେ। ଅନ୍ୟପକ୍ଷରେ ପୂର୍ବଭଳି ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ସ୍ନାତକ ଓ ସ୍ନାତକତ୍ତୋର ରହିବ।
ଆଇଆଇଟିରେ ବି ପଢ଼ାଯିବ କଳା, ସଂସ୍କୃତି: ଦେଶରେ ଥିବା ଆଇଆଇଟି, ଏନ୍ଆଇଟି ପରି ବୈଷୟିକ ଶିକ୍ଷାନୁଷ୍ଠାନରେ କେବଳ ଇଞ୍ଜିନିୟରିଂ ଶିକ୍ଷା ଦିଆଯାଉଥିବାବେଳେ ଏଣିକି ବିଭିନ୍ନ ସେଠାରେ ଅନ୍ୟାନ୍ୟ ପାଠ୍ୟକ୍ରମ ସାମିଲ ହେବ। ୨୦୪୦ ସୁଦ୍ଧା ଏହିସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ କଳା, ସଂସ୍କୃତି, ବୌଦ୍ଧିକ ଶିକ୍ଷା ଦିଆଯିବ। ମାନବିକତା, ସୌହାର୍ଦ୍ଦ୍ୟ, ଶାନ୍ତି ପ୍ରତିଷ୍ଠା ଦିଗରେ କିଭଳି ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ପଢ଼ାଯିବ।
ପ୍ରତି ଜିଲ୍ଲାରେ ଖୋଲିବ ବହୁ ବିଷୟକ ଶିକ୍ଷାନୁଷ୍ଠାନ
ଛାତ୍ରଛାତ୍ରୀ ଏକାଥରେ ବିଭିନ୍ନ ବିଷୟରେ ଶିକ୍ଷାଗ୍ରହଣ କରିପାରିବେ।
ଉଚ୍ଚଶିକ୍ଷାରେ କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ରହିବନି। ୨୦୩୫ ସୁଦ୍ଧା ଗ୍ରସ୍ ଏନରୋଲ୍ମେଣ୍ଟ ରେସିଓ(ଜିଇଆର) ୫୦%ରେ ପହଞ୍ଚାଇବାକୁ ଲକ୍ଷ୍ୟ
ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀ ଯେ କୌଣସି ବର୍ଷରେ ଅଧାରୁ ପାଠପଢ଼ା ଛାଡ଼ିପାରିବେ ଏବଂ ପରେ ଯେଉଁଠୁ ଛାଡ଼ିଥିବେ ସେଠାରୁ ପୁଣି ପଢ଼ିପାରିବେ
ୟୁଜିସି ଓ ଏଆଇସିଟିଇକୁ ମିଶାଇ ହାୟର ଏଜୁକେସନ ରେଗୁଲେଟୋରି ଗଠନ ହେବ।