ନିରଞ୍ଜନ ପୂଜାରୀଙ୍କ ପ୍ରଥମ ବଜେଟ୍‌

ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ଆଜି ଥିଲା ପ୍ରଥମ ବଜେଟ୍‌ ଉପସ୍ଥାପନ। ୨୦୧୧ ମସିହାରୁ ସେ ମନ୍ତ୍ରୀ ଭାବେ ବିଭିନ୍ନ ସମୟରେ ଏକାଧିକ ବିଭାଗର ଦାୟିତ୍ବରେ ରହିଛନ୍ତି। ପାଖାପାଖି ତିନି ବର୍ଷ ବିଧାନସଭାରେ ବାଚସ୍ପତି ମଧ୍ୟ ରହିଛନ୍ତି। ତେବେ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ସେ ଅର୍ଥ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ପ୍ରଥମ ଥର ପାଇଛନ୍ତି। ୨୦୧୯-୨୦ର କାମଚଳା ବଜେଟ୍‌ ତତ୍‌କାଳୀନ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ‌େ‌ବହେରା ଉପସ୍ଥାପନ କରିଥିଲା ବେଳେ ଆଜି ଶ୍ରୀ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କଲେ।

୪ ହଜାରରୁ ଅଧିକ ମତାମତ ମିଳିଲା
ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତାମତ ମଗାଯାଇଥିଲା। ମନ୍ତ୍ରୀ କହିଥିଲେ, ଏକ ସହଭାଗିତାର ପ୍ରକ୍ରିୟା ସ୍ବରୂପ ଆମେ ବିଭିନ୍ନ ବର୍ଗର ପ୍ରତିନିଧି ଓ ବିଶେଷଜ୍ଞଙ୍କ ସହ ପ୍ରାକ୍-ବଜେଟ୍‌ ପରାମର୍ଶ କରିଥିଲୁ। ବିଭିନ୍ନ ପ୍ରସଙ୍ଗ ଉପରେ ଆମେ ଏହି ବର୍ଷ ୪ ହଜାରରୁ ଅଧିକ ମତାମତ ବିଭିନ୍ନ ମାଧ୍ୟମ ଜରିଆରେ ପାଇଛୁ। ବଜେଟ୍‌ ପ୍ରସ୍ତୁତି ବେଳେ ଏହି ସବୁ ମତାମତକୁ ବିଚାରକୁ ନିଆଯାଇଛି।

ବିନା କାଗଜରେ ହେବ ବଜେଟ୍‌
ଆଗାମୀ ବର୍ଷଗୁଡ଼ିକରେ ବିନା କାଗଜରେ ଇଲେକ୍ଟ୍ରୋନିକ୍ ବଜେଟ୍‌ ପ୍ରସ୍ତୁତ କରିବ ଅର୍ଥ ବିଭାଗ। ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରିବେଶ ସୁରକ୍ଷା ଦିଗରେ ଚଳିତ ବର୍ଷ ଆମେ ବଜେଟ୍‌ ପୁସ୍ତିକାର ମୁଦ୍ରଣ ୫୦୦ ସେଟ୍‌ରୁ ୨୦୦ ସେଟ୍‌କୁ ହ୍ରାସ କରିଛୁ। ଅଂଶୀଦାରମାନଙ୍କୁ ବଜେଟ୍‌ ପୁସ୍ତିକା ଇଲେକ୍ଟ୍ରୋନିକ୍ ମା‌ଧ୍ୟମରେ ଯୋଗାଇ ଦିଆଯିବ। ଏହା ଦ୍ବାରା ଆମେ ୫୭ ଲକ୍ଷ ପୃଷ୍ଠାର ମୁଦ୍ରଣ କମାଇ ପାରିଛୁ ଏବଂ ପ୍ରାୟ ୭୦୦ ବୃକ୍ଷ ରକ୍ଷା କରିପାରିଛୁ। ଆସନ୍ତା ବର୍ଷଠାରୁ ଇଲେକ୍ଟ୍ରୋନିକ୍ ବଜେଟ୍‌ ପ୍ରସ୍ତୁତ କରିବା ପାଇଁ ଆଶା ରଖିଛୁ।
ଅର୍ଥ ମନ୍ତ୍ରୀ କହିଥିଲେ, ଆମେ ମହିଳା ସଶକ୍ତୀକରଣ ସହିତ ଶିଶୁମାନଙ୍କ ଉନ୍ନତି ଓ ଅଧିକାର ପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟ ସରକାର ଗତ ୭ ବର୍ଷ ଧରି ମହିଳା ବଜେଟ୍‌ ପ୍ରସ୍ତୁତ କରି ଆସୁଛନ୍ତି। ଚଳିତ ବର୍ଷ ଆମେ ୟୁନିସେଫ୍‌ ସହାୟତାରେ ଶିଶୁ ବଜେଟ୍‌ ପ୍ରସ୍ତୁତ କରିଛୁ। ବିସ୍ତୃତ ଆଲୋଚନା ସହ ପୃଥକ ଭାବେ ମହିଳା ଓ ଶିଶୁ ବଜେଟ୍‌ ପ୍ରସ୍ତୁତ କରାଯାଇ ବଜେଟ୍‌ ଦସ୍ତାବିଜ୍ ସହ ଉପସ୍ଥାପନ କରାଯାଇଛି।

ସମ୍ବନ୍ଧିତ ଖବର