ବାଃ ରେଳବାଇ ! ମା‘ ଓ ନବଜାତଙ୍କ ଶୋଇବା ପାଇଁ ଟ୍ରେନରେ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ କୋଟି କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି। ଏହି କୋଟି କୋଟି ନାଗରିକଙ୍କ ମଧ୍ୟରେ ବହୁ ସଂଖ୍ୟକ ମା ଓ ନବଜାତ ଶିଶୁ ମଧ୍ୟ ଟ୍ରେନରେ ଯାତ୍ରା କରନ୍ତି | ଛୋଟ ପିଲାମାନଙ୍କୁ ଟ୍ରେନରେ ବୋହିକି ନେବାରେ ମା’ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି | ବିଶେଷକରି ସେମାନଙ୍କୁ ରାତିରେ ଶୋଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ | କାରଣ ଗୋଟିଏ ବର୍ଥରେ ଉଭୟ ମା ଓ ଶିଶୁ ଶୋଇବା କଷ୍ଟକର ହୋଇଥାଏ |

ଏଭଳି କିଛି ଅସୁବିଧାକୁ ଅନୁଭବ କରି ବର୍ତ୍ତମାନ ରେଳବାଇ ଏକ ନିଆରା ପ୍ରୟାସ କରିଛି, ଯେଉଁଥିରେ ମା’ ଏବଂ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବର୍ଥ ପ୍ରସ୍ତୁତ କରାଯାଇଛି | ଏହି ବ୍ୟବସ୍ଥା ବର୍ତ୍ତମାନ ପାଇଁ ପରୀକ୍ଷାମୂଳକ ଭାବରେ ବ୍ୟବହାର କରାଯାଇଥିବା ବେଳେ ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ଏହି ବ୍ୟବସ୍ଥା ସବୁ ଟ୍ରେନରେ ରହିବ | ମିଳିଥିବା ସୂଚନା ମୁତାବକ ଭାରତୀୟ ରେଳବାଇ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଲକ୍ଷ୍ନୌ ମେଲ(୧୨୨୩୦)ର କୋଚ୍ ନମ୍ୱର ୧୯୪୧୨୯ରେ ବର୍ଥ ନମ୍ବର ୪,୧୨ ଏବଂ ୬୦ରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି |

ଅର୍ଥାତ ଏହି ବର୍ଥରେ ମା-ଶିଶୁଙ୍କ ପାଇଁ ଅତିରିକ୍ତ ସିଟ ବ୍ୟବସ୍ଥା କରାଯାଇଛି | ଏହା ଦ୍ୱାରା ମା’ମାନଙ୍କୁ ଶିଶୁମାନଙ୍କ ସହିତ ଆରାମରେ ଶୋଇବାର ସୁବିଧା ଯୋଗାଇ ଦେବ | ଟ୍ରେନରେ ଯାଉଥିବା ମା’ମାନଙ୍କଠାରୁ ପ୍ରାପ୍ତ ମତାମତ ଆଧାରରେ ଭବିଷ୍ୟତରେ ଏହିପରି ବର୍ଥ ବ୍ୟବହାର କରାଯିବ | ଏଭଳି ବର୍ଥର ନାମ ‘ଫିଟ୍ ବେବି ସିଟ୍’ ରଖାଯାଇଛି | ‘ଫିଟ୍ ବେବି ସିଟ୍’ରେ ଫୋଲ୍ଡେବଲ୍ ସିଷ୍ଟମ ରହିଛି ଅର୍ଥାତ ଯେତେବେଳେ ସିଟ୍ ବ୍ୟବହାର ହୋଇନଥାଏ ଏହାକୁ ଫୋଲଡ଼ କରିହେବ | ସେହିପରି ଏହି ବର୍ଥରେ ଯେଭଳି ଶିଶୁଟି ପଡିଯିବନାହିଁ ସେଥିପାଇଁ ବାଡ଼ ମଧ୍ୟ ଦିଆଯାଇଛି | ବର୍ତ୍ତମାନ ରେଳବାଇର ଏହି ନୂତନ ବ୍ୟବସ୍ଥାକୁ ସମସ୍ତେ ପ୍ରଶଂସା କରୁଛନ୍ତି |

ସମ୍ବନ୍ଧିତ ଖବର