ଗଙ୍ଗା ନଦୀରେ ସ୍ନାନ କରିବା କ୍ଷତିକାରକ ହୋଇପାରେ!

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ଗଙ୍ଗାକୁ ପବିତ୍ର ନଦୀ ବୋଲି ସମସ୍ତେ ମାନିଥାନ୍ତି। ଲୋକମାନଙ୍କର ବିଶ୍ୱାସ ରହିଛି ଗଙ୍ଗା ନଦୀରେ ସ୍ନାନ କଲେ ପାପ କ୍ଷୟ ହୋଇଥାଏ। ପବିତ୍ର ଗଙ୍ଗା ନଦୀ ସହ କୋଟି କୋଟି ଲୋକଙ୍କର ଆସ୍ଥା ଯୋଡି ହୋଇରହିଛି। କିନ୍ତୁ ଗଙ୍ଗା ଏବେ ଆଉ ପବିତ୍ର ହୋଇ ରହି ନାହିଁ। ଦିନକୁ ଦିନ ଗଙ୍ଗା ନଦୀ ପ୍ରଦୂଷିତ ହେବାରେ ଲାଗିଛି। ଗଙ୍ଗା ନଦୀରେ ସିବେଜ୍‌ ଜରିଆରେ ପକାଯାଉଥିବା ମଳମୂତ୍ର ଗଙ୍ଗାକୁ ଅନେକ କ୍ଷତି ପହଞ୍ଚାଉଛି।

ଏବେ ଗଙ୍ଗାରେ ଫିକଲ କୋଲିଫୋର୍ମ ବ୍ୟାକ୍ଟେରିଆ (ଏଫସି) ଭୟାବହ ସ୍ତରରେ ପହଞ୍ଚି ଯାଇଛି। ଯାହା ନଦୀରେ ମଳ ମୂତ୍ର ମିଶିବା କାରଣରୁ ହୋଇଥାଏ। ହିନ୍ଦୁସ୍ଥାନ ଟାଇମ୍‌ସର ଖବର ଅନୁସାରେ, ଗଙ୍ଗାରେ ମଳ ବ୍ୟାକ୍ଟେରିଆ ଯଥା ଫିକଲ କୋଲିଫୋର୍ମର ର୍ନିଦ୍ଦିଷ୍ଟ ସୀମା ୫-୧୩ ଗୁଣା ଅଧିକ ରହିଛି ଏବଂ ୫୦ ପ୍ରତିଶତ ପାଣି ଅଶୁଦ୍ଧ ହୋଇସାରିଛି। ଏପରିକି ଗଙ୍ଗାରେ ସ୍ନାନ କରିବା କ୍ଷତିକାରକ ହୋଇପାରେ।

ଏଫସି ବ୍ୟାକ୍ଟେରିଆ ସୀବରରୁ ଆସିଥାଏ। ଏହାର ର୍ନିଦ୍ଧାରିତ ସୀମା ପ୍ରତି ୧୦୦ମିଲି ଲିଟର ଏଫସି ୫୦୦ ଅଟେ । ଯାହା ଏବେ ବଢି ୨୫୦୦ ପର୍ଯ୍ୟନ୍ତ ପହଞ୍ଚି ସାରିଲାଣି। କେନ୍ଦ୍ର ପ୍ରଦୂଷଣ ବୋର୍ଡର ଆକଳନ ଅନୁସାରେ, ୟୁପିର ୧୬ଷ୍ଟେସନରେ ୫୦ ପ୍ରତିଶତରୁ ଅଧିକ ଜାଗାର ର୍ନିଦ୍ଧାରିତ ସୀମାରୁ ଅଧିକ ଫିକଲ କୋଲିଫୋର୍ମ ମିଳିଛି।

ତେବେ ସବୁଠାରୁ ଅଧିକ ପ୍ରଦୂଷଣ ସ୍ଥାନ ଗୁଡିକ ହେଉଛି, କାନପୁର, ଆଲ୍ଲାହାବାଦ, ବାରାଣାସୀ। କାନପୁରର ଜାଜାମଉ ପମ୍ପିଙ୍ଗ ଷ୍ଟେସନରେ ୨୦୧୭ ମସିହାରେ ଏଫସି ସ୍ତର ୧୦-୨୩ ଗୁଣା ଅଧିକ ଅଟେ। ବାରାଣାସୀର ମାଲବୀୟ ବ୍ରିଜରେ ଏଫସି ସ୍ତର ୧୩-୧୯ ଗୁଣା ଅଧିକ ଅଟେ। ୨୦୧୭ ମସିହା ଆକଳନରୁ ଜଣାପଡିଛି ଯେ, ୫ଟି ରାଜ୍ୟରେ ଗଙ୍ଗା ନଦୀରେ ପ୍ରଦୂଷଣର ସ୍ଥିତି ବହୁତ ଭୟାବହ ରହିଛି। ଯେଉଁଥିରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ରହିଛି।

ସମ୍ବନ୍ଧିତ ଖବର