କରୋନା, ଲକ୍‌ଡାଉନ୍‌ରେ କେମିତି ନେବେ ଆଖିର ଯତ୍ନ

ଡା. ଭାଗବତ ନାୟକ

ଚକ୍ଷୁ ଭଗବାନଙ୍କ ପ୍ରଦତ୍ତ ଶରୀରର ବିଶେଷ ଅଙ୍ଗ, ଯାହାର ଯତ୍ନ ଅପରିହାର୍ଯ୍ୟ। କରୋନା, ଲକ୍‌ଡାଉନ୍‌ ସମୟରେ ଏହାର ଗୁରୁତ୍ବ ଆହୁରି ବୃଦ୍ଧି ପାଇଛି। ସାମାନ୍ୟ ଅବହେଳା ଯୋଗୁଁ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଛି। ଗ୍ଲୁକୋମା, ଡାଇବେଟିକ୍‌ ରେଟିନୋପାଥି, ୟୁଭେୟାଟିସ ଭଳି ରୋଗ ଉପଯୁକ୍ତ ସମୟରେ ଚିକିତ୍ସା ଅଭାବରୁ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇପାରେ। ଯେଉଁଠୁ ବ୍ୟକ୍ତିଙ୍କ ଦୃଷ୍ଟିଶକ୍ତି ଫେରାଇବା ସମ୍ଭବ ହୁଏ ନାହିଁ। ଏପରିକି ମୋତିଆବିନ୍ଦୁ ମଧ୍ୟ ଅଧିକ ପାକଳ ହୋଇ କିଛି ସମୟ ପରେ ଜଟିଳ ହୋଇପଡ଼େ। ସରକାରୀ ସ୍ତରରେ କରୋନାକୁ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ ଇଲେକ୍ଟିଭ ସର୍ଜରି ବନ୍ଦ ରହିଛି। ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇପାରୁନାହିଁ। ୨୦୨୦ ମସିହାରେ ଏହିଭଳି ଅବସ୍ଥା ଯୋଗୁଁ ଅନେକ ନିଜର ଦୃଷ୍ଟିଶକ୍ତି ହରାଇଥିଲେ। ଗ୍ଲୁକୋମା ରୋଗୀଙ୍କ ଆଖିର ଚାପ ନିୟନ୍ତ୍ରଣରେ ନ ରହିଲେ କିମ୍ବା ଡାଇବେଟିକ୍‌, ରେଟିନୋପାଥର ଠିକ୍‌ ସମୟରେ ଇଂଜେକସନ୍‌, ଲେଜର୍ ସର୍ଜରି ନହେଲେ, ରୋଗୀକୁ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିଥାଏ। ଏବେ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବାରୁ ରୋଗୀମାନେ ଏ ବିଷୟରେ ଜାଗ୍ରତ ରହି ନିଜର ଚକ୍ଷୁ ପରୀକ୍ଷା କରାଇବା ଉଚିତ। ଆବଶ୍ୟକ ହେଲେ, ଡାକ୍ତରମାନେ ଅତ୍ୟାବଶ୍ୟକ ଉପଚାର କରିପାରିବେ।

କରୋନାରେ ଚକ୍ଷୁ ବାବଦରେ ଅନ୍ୟ ଏକ ଜରୁରୀ ପ୍ରସଙ୍ଗ ହେଲା, ଚକ୍ଷୁର କଂଜକ୍ଟିଭା ଦେଇ କରୋନା ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରିପାରେ। ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ, କରୋନା ପଜିଟିଭ୍‌ଙ୍କ ପ୍ରତ୍ୟକ୍ଷରେ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ପ୍ରୋଟେକ୍ଟିଭ୍‌ ଗଗଲ୍ସ ପିନ୍ଧିବା ଉଚିତ। ସେଥିପାଇଁ କୌଣସି ବ୍ୟକ୍ତିଙ୍କ ଗୋଟିଏ କିମ୍ବା ଦୁଇଟି ଆଖି ଲାଲ ହୋଇ ଯଦି ଅନ୍ୟ ଲକ୍ଷଣ ଯଥା ଜ୍ବର, ଦୁର୍ବଳତା ଅନୁଭବ ହୁଏ, ତେବେ ସେ ସଙ୍ଗରୋଧରେ ରହିବା ସହ କରୋନା ପରୀକ୍ଷା କରାଇନେବା ଉଚିତ।

କିଛି ଦିନ ହେଲା ମ୍ୟୁକର୍‌ ମାଇକୋସିସକୁ ନେଇ ଦେଶରେ ଚର୍ଚା ହେଉଛି। ଯାହା ଆଖିକୁ ମଧ୍ୟ ଗୁରୁତର ପ୍ରଭାବିତ କରେ। ମ୍ୟୁକର୍‌ ପ୍ରକୃତରେ ବ୍ଲାକ ଫଙ୍ଗସ୍‌ ନୁହେଁ। ଏହା ସଂକ୍ରମିତ ସ୍ଥାନରେ କଳାଦାଗ କରିଥାଏ। ଏହା ରକ୍ତନଳୀକୁ ବନ୍ଦ କରି ଶରୀରକୋଷକୁ ମାରି ଦେଇଥାଏ। ସେଥିପାଇଁ ମାଂସ, ହାଡ଼ ମଧ୍ୟ ନଷ୍ଟ ହୋଇଥାଏ। ଏହା ଏକ ମାରାତ୍ମକ ରୋଗ, ଯାହା ନାକରୁ ଚକ୍ଷୁ ଏବଂ ପରେ ମସ୍ତିଷ୍କକୁ ବ୍ୟାପିଥାଏ। ଏଥିରେ ରୋଗୀର ଆଖି ଲାଲ ପଡ଼ିବା, ଆଖି ଫୁଲି ବାହାରିବା, ହଠାତ୍‌ ଦୃଷ୍ଟିଶକ୍ତି ହରାଇ ବସିବା ଭଳି ଲକ୍ଷଣ ଦେଖାଦେଇଥାଏ। ଯେଉଁ ରୋଗୀମାନେ ମଧୁମେହ ଯୋଗୁଁ ପ୍ରଭାବିତ ହୋଇଥାଆନ୍ତି, ସେମାନଙ୍କୁ କରୋନା ଚିକିତ୍ସା ସମୟରେ ଷ୍ଟେରଏଡ୍‌ ଦିଆଯାଇଥାଏ। ଏହାଦ୍ବାରା ସେମାନଙ୍କ ଶରୀରରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ। ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ, ଅଧିକ ଦିନ ଅକ୍ସିଜେନ୍‌ ଥେରାପିରେ ରହିଥାଆନ୍ତି, ନାକ, ମୁହଁ ପରିଷ୍କାର ନଥାଏ; ସେମାନଙ୍କୁ ମଧ୍ୟ ଏହା ସଂକ୍ରମିତ କରିଥାଏ। ସେଥିପାଇଁ ଆବଶ୍ୟକତା ଅନୁସାରେ ଷ୍ଟେରଏଡ୍‌ ଚିକିତ୍ସା, ଶର୍କରା ପରିମାଣ ନିୟନ୍ତ୍ରଣ ରଖିବା, ସମୟ ସମୟରେ ନାକର ଗହ୍ବର ମେସିନ୍‌ ମାଧ୍ୟମରେ ପରୀକ୍ଷା କଲେ ହିଁ ଏହି ମାରାତ୍ମକ ରୋଗକୁ ଅଟକା ଯାଇପାରିବ। ନଚେତ୍‌ ନାକ, ହାଡ଼ର ସର୍ଜରି ସହିତ ଚକ୍ଷୁ ମଧ୍ୟ ବାହାର କରିବାକୁ ପଡ଼ିପାରେ, ଯାହା ରୋଗୀ ପାଇଁ ଗ୍ରହଣୀୟ ହୋଇନପାରେ। ମସ୍ତିଷ୍କକୁ ସଂକ୍ରମିତ କଲେ ୮୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଥାଏ।

ସେଥିପାଇଁ ମୋର ନିବେଦନ ଯେ ଡରନ୍ତୁ ନାହିଁ, କିନ୍ତୁ ସତର୍କ ରୁହନ୍ତୁ। ସରକାର, ଡାକ୍ତରଙ୍କ ପରାମର୍ଶ ନିୟମାବଳୀ ମାନି ଚଳନ୍ତୁ। ଟେଲିମେଡିସିନ୍‌ କିମ୍ବା ଅନଲାଇନ୍‌ରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏମ୍‌ସ ଭୁବନେଶ୍ବର ଭଳି ସରକାରୀ ଡାକ୍ତରଖାନାରେ ଟେଲିମେଡିସିନ୍‌, ସ୍ବାସ୍ଥ୍ୟ-ଆପ୍‌ ଜରିଆରେ ଆପଣମାନେ ଯୋଡ଼ି ହୋଇପାରିବେ। ଅତ୍ୟାବଶ୍ୟକ ସମୟରେ ଅନୁମତି ସହିତ ଡାକ୍ତରଖାନାକୁ ଆସିପାରିବେ। ଏମ୍‌ସ ଭୁବନେଶ୍ବର ସ୍ବାସ୍ଥ୍ୟ-ଆପ୍‌ ଜରିଆରେ ରୋଗୀ ନିଜ ପରାମର୍ଶ, ପ୍ରେସକ୍ରିପସନ୍‌ ମଧ୍ୟ ଦେଇପାରିବ। କିନ୍ତୁ କେବଳ ଚଷମା ପରିବର୍ତ୍ତନ, ଅଳ୍ପମାତ୍ରାରେ ଦୃଷ୍ଟିଶକ୍ତି ହ୍ରାସ ହୁଏ, ସେଥିପାଇଁ ଡାକ୍ତରଖାନା ଆସନ୍ତୁ ନାହିଁ। ସୁସ୍ଥ ଏବଂ ନିରାପଦ ରୁହନ୍ତୁ।

ସହକାରୀ ପ୍ରାଧ୍ୟାପକ,ଏମ୍ସ, ଭୁବନେଶ୍ବର

ସମ୍ବନ୍ଧିତ ଖବର