କରୋନାଭୂତାଣୁ ପ୍ରଭାବ: ଶହେରୁ ଊର୍ଧ୍ୱ ମାଙ୍କଡ଼ ନିଜନିଜ ଭିତରେ ଲାଗିଲେ ଲଢ଼େଇ

ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସ୍‌ ଭୟରେ ଦେଶଦେଶ ମଧ୍ୟରେ ଯାତାୟାତ ବିଚ୍ଛିନ୍ନ ହୋଇଛି। ଏହି କ୍ରମରେ ଥାଇଲ୍ୟାଣ୍ଡରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ହଜାରହଜାର ମାଙ୍କଡ଼ ନିଜନିଜ ଭିତରେ ଲଢ଼େଇ କରୁଥିବା ଦେଖିବାକୁ ମିଳିଛି। ଏହି ପୂରା ଲଢ଼େଇ ଗୋଟିଏ କଦଳୀ ପାଇଁ ହୋଇଥିବା ଜଣାପଡ଼ିଛି।

ଏଭଳି ଘଟଣା ଲାପ ବୁରି ଜିଲ୍ଲାରେ ଘଟିଛି। ଏହି ସ୍ଥାନକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସିଥାଆନ୍ତି। କିନ୍ତୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନାଭାଇରସ୍‌ ଭୟରେ କିଛିଦିନ ହେବ କୌଣସି ପର୍ଯ୍ୟଟକ ସେଠାକୁ ଯାଉ ନାହାନ୍ତି। ଏଭଳି ପରିସ୍ଥିତିରେ ସେହି ଅଞ୍ଚଳରେ ଥିବା ମାଙ୍କଡ଼ମାନେ କିଛି ଖାଇବାକୁ ପାଉ ନାହାନ୍ତି। ଏମିତିରେ ଜଣେ ମାଙ୍କଡ଼କୁ ଗୋଟିଏ କଦଳୀ କେମିତି ମିଳି ଯାଇଥିଲା। ମାଙ୍କଡ଼ ହାତରେ ଥିବା ଏହି କଦଳୀକୁ ଦେଖି ତାର ସାଥୀମାଙ୍କଡ଼ମାନେ ତାର ପଛରେ ଧାଇଁ ଥିଲେ ଏବଂ ନିଜନିଜ ମଧ୍ୟରେ ଲଢ଼େଇରେ ଲାଗି ଯାଇଥିଲେ।

ମାଙ୍କଡ଼ଙ୍କ ଏଭଳି ଲଢ଼େଇ ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇଯାଇଥିଲେ। ସାସାଲୁକ୍‌ ରତ୍ନାଚାଇ ଏହି ଘଟଣାକୁ ଦେଖି କହନ୍ତି, ‘ମୁଁ ଅନେକ ବର୍ଷ ହେବ ଏହି ସ୍ଥାନରେ ରହି ଆସୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ କଦଳୀ ପାଇଁ ମାଙ୍କଡ଼ମାନଙ୍କୁ ଏମିତି ଲଢ଼େଇ କରିବାର କେବେ ଦେଖି ନାହିଁ। ଯେଉଁ ସ୍ଥାନରେ ମାଙ୍କଡ଼ମାନେ ଲଢ଼େଇ ଲାଗୁ ଥିଲେ। ସେହି ସ୍ଥାନରେ ଏକ ମନ୍ଦିର ରହିଛି। ଏହି ସ୍ଥାନକୁ ପ୍ରତିଦିନ ଅନେକ ଭକ୍ତ ଓ ପର୍ଯ୍ୟଟକଙ୍କ ଯିବା ଆସିବା ଲାଗି ରହିଥାଏ। ସେମାନେ ମାଙ୍କଡ଼ମାନଙ୍କୁ ଖାଇବାକୁ ଦେଇ ଥାଆନ୍ତି। କିନ୍ତୁ କରୋନାଭାଇରସ୍‌ ସଂକ୍ରମଣ ପାଇଁ ଏହି ସ୍ଥାନକୁ କିଛିଦିନ ହେଲା କେହି ଆସୁ ନାହାନ୍ତି। ପୂରା ପରିବେଶ ଶୁନଶାନ୍‌ ହୋଇଯାଇଛି। ଯାହାର ପ୍ରଭାବ ମାଙ୍କଡ଼ମାନଙ୍କ ଉପରେ ଅଧିକ ପଡ଼ିଛି।’

ସମ୍ବନ୍ଧିତ ଖବର