ଜନତା କର୍ଫ୍ୟୁ ସାଇଡ୍‌ ଇଫେକ୍ଟ : ଗିଟାର ବଜାଇଲେ ଆଇପିଏସ୍‌, ପଖାଳ ଖାଇଲେ ଆଇଏଏସ୍‌ ଅଫିସର

ଭୁବନେଶ୍ବର : କରୋନାର ଭୟ ହେଉ କି ସରକାରୀ ନିର୍ଦ୍ଦେଶକୁ ସମ୍ମାନ; ଜନତା କର୍ଫ୍ୟୁକୁ ଜନସାଧାରଣ ଆନ୍ତରିକତାର ସହ ପାଳନ କରିଛନ୍ତି। କଟକରେ ଜଣେ ଗିରଫ ହେବା ସହ ଅନ୍ୟ କେତେକ ଜାଗାରେ ଛୋଟ ମୋଟ ଘଟଣାକୁ ଛାଡ଼ିଦେଲେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ତେବେ ୧୪ ଘଣ୍ଟାର କର୍ଫ୍ୟୁ ସମୟ ଘର ଭିତରେ କେମିତି କଟିଲା ସେ ନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ତଥା ବରିଷ୍ଠ ଆଇପିଏସ୍‌ ଅଫିସର ଡ. ସତ୍ୟଜିତ ମହାନ୍ତି ଗିଟାର ବାଦନ କରିବା ବେଳେ ଏକ ଭିଡିଓ ତାଙ୍କ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏକ ଚର୍ଚ୍ଚିତ ହିନ୍ଦୀ ଗୀତର ସ୍ବରରେ ଏହି ଗିଟାର ବାଦନ ଭିଡିଓଟିର ଅବଧି ୪୨ ସେକେଣ୍ଡର ରହିଛି। ଜଣେ ଆଇପିଏସ୍‌ ଅଫିସର ନିଖୁଣ ଭାବରେ ଗିଟାର ବଜାଇବାକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି। ଅପଲୋଡ୍‌ର ୪ ଘଣ୍ଟା ମଧ୍ୟରେ ଏହା ୨୯୦୦ ଥର ପ୍ଲେ ହୋଇଥିବା ବେଳେ ଏହାକୁ ୩୫୦ ଜଣ ପସନ୍ଦ କରିଛନ୍ତି। ୧୦ ଥର ଏହା ରି-ଟ୍ବିଟ୍‌ ହୋଇଛି। ଅନେକ ଦିନ ତଳର ଏହି ଅଭ୍ୟାସ ‘ଜନତା କର୍ଫ୍ୟୁ’ ସମୟରେ ଏକଲାପଣକୁ ଏକ ନୂଆ ବାଟ ଦେଖାଇଛି ବୋଲି ସେ କହିଛନ୍ତି। କୌତୁହଳପ୍ରଦ ହେଉଛି ବରିଷ୍ଠ ଆଇପିଏସ୍‌ ଅଫିସରଙ୍କର ଏଭଳି ଏକ ନିଶା ଅନେକଙ୍କୁ ଅଜଣା ଥିବା କମେଣ୍ଟରେ ଲେଖିଛନ୍ତି।

ସେହିଭଳି ଆଇଏଏସ୍‌ ଅଫିସର ପ୍ରଦୀପ ଜେନା ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ପଖାଳ, ଦହି, ଶାଗ, ବାଇଗଣ ଭଜା, ଆଳୁ ପୋଡ଼ା, ସାରୁ ପୋଡ଼ା, ବଡ଼ି ଚୂରା ରହିଛି। ‘ଜନତା କର୍ଫ୍ୟୁ’ ସମୟରେ ମଧ୍ୟାହ୍ନ ଭୋଜନରେ ପଖାଳ ବେଶ୍‌ ଆନନ୍ଦ ଦେଇଥିବା ସେ ଲେଖିଛନ୍ତି। ଆଗକୁ ପରିସ୍ଥିତି ଆହୁରି ଖରାପ ହେବାକୁ ରହିଛି। ଆଗକୁ ଯଦି କିଛି ବି ନ ମିଳେ ତେବେ ଏହି ପଖାଳ ସହ ଆଡ୍‌ଜଷ୍ଟ କରିହେବ, କିଛି ସମସ୍ୟା ନାହିଁ। ଆଳୁ ବି ଯଦି ଉପଲବ୍ଧ ନ ହୁଏ ତେବେ ଆମ୍ବୁଲ ସହ ବି କାମ ଚଳିଯିବ। କିନ୍ତୁ କରୋନାକୁ ଆଉଟ୍‌ କରିବାର ଅଛି, ଆଜି ସମସ୍ତଙ୍କୁ ଶପଥ ନେବାକୁ ପଡ଼ିବ ବୋଲି ସେ ଆହ୍ବାନ ଦେଇଛନ୍ତି।

ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଜନତା କର୍ଫ୍ୟୁ ଓ ତାଲା ବନ୍ଦକୁ ନେଇ ଏକ ଟ୍ବିଟ୍‌ କରିଛନ୍ତି। ଆଜିଠାରୁ ଆସନ୍ତା ୨୯ ତାରିଖ ଯାଏ ଯାହାର ଯାହା ସସମ୍ୟା ସେ କମିସନରଙ୍କୁ ଟ୍ୟାଗ୍‌ କରି ଟ୍ବିଟରରେ ପ୍ରଶ୍ନ ପଚାରି ପାରିବେ। ଲୋକମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ, କେବଳ କରୋନାକୁ ଦୂରେଇବା ଆମର ଲକ୍ଷ୍ୟ। ଏଣୁ କେହି ଘରୁ ବାହାରନ୍ତୁ ନାହିଁ, ଯାହା ବି ସମସ୍ୟା ହେଉଛି ମୋତେ ପଚାରନ୍ତୁ, ମୁଁ ସମାଧାନ କରିବି ବୋଲି ସେ ଲେଖିଛନ୍ତି।

ସେହିଭଳି ପୁଲିସ ଫୋନ୍‌ କରି ବରି‌ଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ କଥା ବୁଝୁଛି। ଏନେଇ ସୁଧୀର ମିଶ୍ର ନାମକ ଜଣେ ଯୁବକ ଟ୍ବିଟ୍‌ କରିଛନ୍ତି। ପୁଲିସ ତାଙ୍କ ମା’ଙ୍କ କଥା ପଚାରି ବୁଝିଥିବା ସେ ଲେଖିଛନ୍ତି। ସାରା ଦେଶରେ ମହାମାରୀକୁ ନେଇ ଭୟର ବାତାବରଣ ଖେଳିଥିବା ବେଳେ ପୁଲିସର ଏଭଳି ପଦକ୍ଷେପକୁ ଟ୍ବିଟରରେ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର