ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସରେ ବିଶ୍ୱ କୀର୍ତ୍ତିମାନ : ବିଶ୍ୱକୁ ସ୍ୱଚ୍ଛତାର ବାର୍ତ୍ତା ଦେଲା ପୁରୀ, ଏକକାଳୀନ ଶହେଟି ସ୍ଥାନରେ ସଫା ହେଲା ବେଳାଭୂମି

ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ, ବଲିଉଡ୍ ଓ ଓଲିଉଡ୍ କଳାକାର, ସାମିଲ୍ ହେଲେ ୧୦ ହଜାରରୁ ଅଧିକ ସ୍ବେଚ୍ଛାସେବୀ, ବେଳାଭୂମିର ପରିଚ୍ଛନ୍ନତା ଓ ସୁରକ୍ଷା ପାଇଁ ନେଲେ ସଂକଳ୍ପ

ପୁରୀ : ‘ମୋ ବିଚ୍’ ଅଭିଯାନକୁ ସୁଦୂରପ୍ରସାରୀ କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୦ ହଜାରରୁ ଅଧିକ ସ୍ବେଚ୍ଛାସେବୀ ଓ ସାଧାରଣ ଜନତା ଏହି ଅଭିଯାନରେ ସାମିଲ୍ ହୋଇ ଅସ୍ତରଙ୍ଗରୁ କୃଷ୍ଣପ୍ରସାଦ ପର୍ଯ୍ୟନ୍ତ ବ୍ୟାପ୍ତ ପୁରୀ ଜିଲ୍ଲାର ପ୍ରାୟ ୧୪୦ କିଲୋମିଟର ବେଳାଭୂମିକୁ ସଫା କରିବା ସହ ବିଶ୍ବକୁ ସ୍ବଚ୍ଛତାର ବାର୍ତ୍ତା ଦେଇଛନ୍ତି। ଅନ୍ୟପଟେ ବେଳାଭୂମିର ଶହେଟି ସ୍ଥାନରେ ଏକକାଳୀନ ସଫେଇ କାର୍ଯ୍ୟକ୍ରମର ଅୟୋଜନ କରି ବିଶ୍ବ କୀର୍ତ୍ତିମାନ ବି ସୃଷ୍ଟି କରିଛି।

ଏହି ଅବସରରେ ମନ୍ତ୍ରୀ, ବିଧାୟକ, ଅଭିନେତା, ଅଭିନେତ୍ରୀ, ସ୍ବେଚ୍ଛାସେବୀ, ଅଧିକାରୀ ସମୂହ ବାଲି ଉପରେ ଦସ୍ତଖତ ଦେଇ ବେଳାଭୂମିକୁ ସଫା ସହ ସୁରକ୍ଷା ଦେବାକୁ ସଂକଳ୍ପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ସ୍ବେଚ୍ଛାସେବୀଙ୍କ ଏହି ଉଦ୍ୟମକୁ ଭୂୟସୀ ପ୍ରଂଶସା କରିବା ସହ ଏହି ମହତ୍ବାକାଂକ୍ଷୀ କାର୍ଯ୍ୟକ୍ରମକୁ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ବଲିଉଡ, ଓଲିଉଡର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ‌ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।

 

ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଆଜି ସକାଳ ୬ଟାରୁ ଏହି ମେଗା ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଭିନ୍ନ ସଂଗଠନ, ସରକାରୀ ଅଧିକାରୀ, ଯୁବ ଗୋଷ୍ଠୀ, ମହିଳା, ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟସଭ୍ୟା ଏହି ଅଭିଯାନରେ ସାମିଲ୍ ହୋଇ ବେଳାଭୂମିକୁ ସଫା କରୁଥିବାର ଦେଖିବାକୁ ମିଳିଥିଲା। ଗ୍ରାମାଞ୍ଚଳରେ ବିଭିନ୍ନ ସଂଗଠନ ଓ ସ୍ବେଚ୍ଛାସେବୀଙ୍କ ସହଯୋଗରେ ସକାଳ ୬ଟାରୁ ୮ଟା ଯାଏ ଏବଂ ସହରାଞ୍ଚଳରେ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଝୁଡ଼ି, ବସ୍ତା ଆଦି ଧରି ଆବାଳବୃଦ୍ଧବନିତା ଏହି ଅଭିଯାନରେ ସାମିଲ୍ ହୋଇ ପରିଚ୍ଛନ୍ନ କରିବା ସହ ବେଳାଭୂମିର ସୌନ୍ଦର୍ଯ୍ୟକୁ ବଜାୟ ରଖିବାକୁ ବାର୍ତ୍ତା ଦେଇଥିଲେ। ପୁରୀ ପୌରାଞ୍ଚଳରେ ୧୭ଟି ଜୋନ୍‌ରେ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳ ସାଢ଼େ ୭ଟାରେ ପାନ୍ଥନିବାସ ପଛପାର୍ଶ୍ବ ବେଳାଭୂମି‌ରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତା ବିଦ୍ୟୁତ ଜମୱାଲ୍, ଅଭିନେତ୍ରୀ ନନ୍ଦିତା ଦାସ ପ୍ରମୁଖ ଯୋଗଦେଇ ଉତ୍ସବସ୍ଥଳରେ ଉପସ୍ଥିତ ୫ ହଜାରରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିବା ସହ ଆଗକୁ ଏହି ମହତ ଅଭିଯାନକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ବେଳାଭୂମିକୁ ସଫା ରଖିବା ସହ ସୁରକ୍ଷା ଦେବାକୁ ସଂକଳ୍ପ ନେଇଥିଲେ। ସେହିଭଳି ଓଲିଉଡ୍ କଳାକାର କୁନା ତ୍ରିପାଠୀ ବେଳାଭୂମି ସୁରକ୍ଷା ପାଇଁ ବହୁ ଶିକ୍ଷଣୀୟ ପରାମର୍ଶ ଦେଇଥିଲେ। କେବଳ ସହରାଞ୍ଚଳରେ ନୁହେଁ, ଗ୍ରାମାଞ୍ଚଳରେ ବି ବିଭିନ୍ନ ସ୍ଥାନରେ ଏହି ବେଳାଭୂମି ସଫେଇ କାର୍ଯ୍ୟକ୍ରମ ବେଶ ଫଳପ୍ରଦ ହୋଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ, ଓଡ଼ିଶା ଖଣି ନିଗମ, ପର୍ଯ୍ୟଟନ ବିଭାଗ ପ୍ରମୁଖ ସହଯୋଗର ହାତ ବଢ଼ାଇଥିଲେ।

ସମ୍ବନ୍ଧିତ ଖବର