ଜୀବନ-ମନ୍ତ୍ର: ଶିବବିବାହ ବୃତ୍ତାନ୍ତ

ଶିବବିବାହ ହିନ୍ଦୁ ସମାଜର ଏକ ଆନନ୍ଦ ଉଲ୍ଲାସମୟ ପର୍ବ। ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ଏହାର ପୁଣ୍ୟ ତିଥି। ଏହା ‘ଶୀତଳ ଷଷ୍ଠୀ’ ଭାବରେ ପ୍ରସିଦ୍ଧ। ଏହାର ସୁନ୍ଦର ବର୍ଣ୍ଣନା ପୁରାଣରେ ଅଛି। ‘ଓଡ଼ିଆ ଲୋକ ଦର୍ଶନ ଓ ଲୋକଧାରା’ ପୁସ୍ତକରେ ଅରବିନ୍ଦ ପଟ୍ଟନାୟକ ଏହାର ରୋଚକ ଚିତ୍ର ଦେଇଛନ୍ତି।
ସେହି ବର୍ଣ୍ଣନା ଅନୁସାରେ- ଶିବ ବରବେଶ ହୋଇ ତାଙ୍କର ପାରିଷଦ ଗଣଙ୍କ ସହିତ ବିବାହ ଶୋଭାଯାତ୍ରାରେ ଯାଇଥିଲେ। ସେହି ଶୋଭାଯାତ୍ରାରେ ଭୂତ ଓ ପିଶାଚଗଣ, ଦେବଗଣ ଓ ଋଷିଗଣ ଥିଲେ। ନାରାୟଣ ଓ ବ୍ରହ୍ମା ମଧ୍ୟ ବିବାହ ଶୋଭାଯାତ୍ରାରେ ରହିଥିଲେ।
ବିବାହ ବିଧି ଅନୁସାରେ, ସଧବା ସ୍ତ୍ରୀମାନେ କଳସ ଜଳରେ ବରଙ୍କୁ ଗାଧୋଇ ଦେଇ ନବବସ୍ତ୍ର ପିନ୍ଧାଇ ଦେଲେ। ତାଙ୍କର ବାଟବରଣ ହେଲା। ଶ୍ୱଶୁର ହିମାଳୟ ତାଙ୍କୁ ବାଟବରଣ କରି ନେଲେ। ତାଙ୍କ ହାତଧରି ବାହନ ଉପରୁ ବେଦି ଉପରକୁ ଅବତରଣ କରାଇ ଆଣିଲେ। ବରଯାତ୍ରୀମାନେ ବେଦୀ ଚାରିପଟେ ଘେରି ରହିଲେ।
ଏହା ପରେ ଗର୍ଗଋଷି ଘଟିକାଗୃହରୁ ଆସି, ପାର୍ବତୀଙ୍କ ହାତରେ ଚାଉଳ ଆଞ୍ଜୁଳି ଦେଇ ଶିବଙ୍କୁ ଚାହିଁବାକୁ କହିଲେ। ଦହି, ଚାଉଳ ଓ ଫୁଲରେ ପାର୍ବତୀ ଶିବଙ୍କୁ ପୂଜା କରିବା ପରେ, ପରସ୍ପର ଚାହାଁ ଚାହିଁ ହେଲେ। ନାରଦ ଓ ଅନ୍ୟ ଋଷିମାନେ, ପାର୍ବତୀଙ୍କୁ ପ୍ରତିପୂଜା କରିବାକୁ ଶିବଙ୍କୁ କହିଲେ। ଏହିପରି ପୂଜା ବିନିମୟ ହେଲା।
ଏହାପରେ ବର-ବଧୂଙ୍କ ବନ୍ଦାପନା। ସାବିତ୍ରୀ, ଲକ୍ଷ୍ମୀ ଓ ଅରୁନ୍ଧତୀ ଆସି ତାଙ୍କୁ ବନ୍ଦାପନା କଲେ। ସେମାନଙ୍କ ମସ୍ତକରେ ହରିଦ୍ରା ଓ ତଣ୍ଡୁଳ ପକାଇଲେ। ହିମାଳୟ କହିଲେ- ଏବେ କନ୍ୟାଦାନ ସମୟ ହେଲା; ମାଙ୍ଗଳିକ ପାଠ ହେଉ। ତା’ପରେ କନ୍ୟାଦାନ ବିଧି ଅନୁସାରେ ହିମାଳୟ ଶିବଙ୍କ ହାତରେ ପାର୍ବତୀଙ୍କୁ ସମର୍ପଣ କଲେ।
ପୁରାଣବର୍ଣ୍ଣିତ ଏହି ବିବାହ ବିଧି ଅତ୍ୟନ୍ତ ବିଶେଷତ୍ୱପୂର୍ଣ୍ଣ ଭାବରେ ସୂଚାଏ- ଯେ ବିବାହ ବର ଓ କନ୍ୟା ଉଭୟଙ୍କର ପାରସ୍ପରିକ ପୂଜା। ଏଥିରେ ବର ଓ କନ୍ୟା ଉଭୟେ ପରସ୍ପରର ପୂଜାର୍ହ।

ସମ୍ବନ୍ଧିତ ଖବର