ଜେଏସ୍‌ପିଏଲ୍‌ ନିବେଶ ଲକ୍ଷେ କୋଟି ଟପିବ, ଟ୍ରିଲିଅନ୍ ଡଲାର ଅର୍ଥନୀତି ହେବ ଓଡ଼ିଶା,

ଜେଏସ୍‌ପିଏଲ୍‌ ନିବେଶ ଲକ୍ଷେ କୋଟି ଟପିବ

ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ (ଜେଏସ୍‌ପିଏଲ୍‌)ର ଅନୁଗୁଳ କାରଖାନାର ଉତ୍ପାଦନ କ୍ଷମତା ୨୦୩୦ ସୁଦ୍ଧା ୨୦ ନିୟୁତ ଟନ୍‌ରେ ପହଞ୍ଚିବ ଯାହା ବର୍ତ୍ତମାନ ୬ ନିୟୁତ ଟନ୍ ରହିଛି। ରାଜ୍ୟରେ କଂପାନିର ୪୫ ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ୨୦୩୦ ସୁଦ୍ଧା ତାହା ଲକ୍ଷେ କୋଟି ଟଙ୍କାରୁ ଅଧିକ ହୋଇଯିବ। ଜିନ୍ଦଲ ପ୍ରକଳ୍ପ ଯୋଗୁ ଏବେ ରାଜ୍ୟରେ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ତାହା ୧ ଲକ୍ଷ ଟପିଯିବ ବୋଲି ଜେଏସ୍‌ପିଏଲ୍‌ର ମୁଖ୍ୟ ନବୀନ ଜିନ୍ଦଲ କହିଛନ୍ତି। ବିଗତ ୧୫ ବର୍ଷ ଭିତରେ ଆମେ ଯେଉଁ ଠାରୁ ଯାହା ଯେତେ ଆୟ କରିଥିଲୁ ତାହାକୁ ଓଡ଼ିଶାରେ ନିବେଶ କରିଛୁ। କିନ୍ତୁ ଏହି ବର୍ଷଗୁଡ଼ିକ ବହୁତ ଆହ୍ବାନପୂର୍ଣ୍ଣ ଥିଲା। କିନ୍ତୁ ଏହି କଠିନ ସମୟରେ ଆମକୁ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଥିଲା। ଏସବୁ ଆହ୍ବାନ ଆମକୁ ଓଡ଼ିଶାରେ ଅଧିକ ନିବେଶ କରିବାକୁୁ ଉତ୍ସାହିତ କରିଛି। ରାଜ୍ୟରେ ଆମର ଏକ ପେଲେଟ୍ କାରଖାନା ମଧ୍ୟ ରହିଛି।

ଟ୍ରିଲିଅନ୍ ଡଲାର ଅର୍ଥନୀତି ହେବ ଓଡ଼ିଶା

ଭୁ‌ବନେଶ୍ବର : ଓଡ଼ିଶା ପାଖରେ ବଡ଼ ଅର୍ଥନୈତିକ ମହାଶକ୍ତି ହେବାର ସବୁ ପ୍ରକାର ଗୁଣ ରହିଛି। ୨୦୩୦ ସୁଦ୍ଧା ଏହି ରାଜ୍ୟର ଅର୍ଥନୀତି ଏକ ଟ୍ରିଲିଅନ୍ ଡଲାରରୁ ଅଧିକ ‌ହୋଇଯିବ ବୋଲି ଜେଏସ୍‌ଡବ୍‌ଲ୍ୟୁ ଗ୍ରୁପ୍‌ର ମୁଖ୍ୟ ସଜ୍ଜନ ଜିନ୍ଦଲ କହିଛନ୍ତି। ସେ କହିଲେ, ଆମେ ନିଜସ୍ବ ସୂତ୍ରରୁ ଏକ ସର୍ବେକ୍ଷଣ କରିଥିଲୁ ଯେଉଁଥିରୁ ଜଣାପଡ଼ିଛି ଯେ ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୧୦ ଟ୍ରିଲିଅନ୍‌ ଡଲାରରୁ ଅଧିକ ହେବାକୁ ହେଲେ ଅତି କମ୍‌ରେ ତିନିଟି ରାଜ୍ୟର ଅର୍ଥନୀତି ଏକ ଟ୍ରିଲିଅନ୍‌ ଡଲାରରୁ ଅଧିକ ହେବା ଦରକାର। ଦେଶର ମାତ୍ର ତିନିଟି ରାଜ୍ୟ ଏଭଳି ସଫଳତା ହାସଲ କରିପାରିବେ। ସେଗୁଡ଼ିକ ହେଉଛି ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଓଡ଼ିଶା। ଯଦି ଏହା ସମ୍ଭବ ହେବେ ତେବେ ଓଡ଼ିଶାର ମୁଣ୍ଡପିଛା ଆୟରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ହେବ ବୋଲି ସେ କହିଛନ୍ତି। ଓଡ଼ିଶାରେ ନିଜ ବ୍ୟବସାୟ ଯୋଜନା ସମ୍ପର୍କରେ ଘୋଷଣା କରି ‌ସେ କହିଛନ୍ତି ଯେ, ଆମେ ଓଡ଼ିଶାରେ ଏକ ବୃହତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛୁ ଓ ସେ ଦିଗରେ ଅଗ୍ରସର ହେଉଛୁ। କଂପାନି ରାଜ୍ୟରେ ବିପୁଳ ପରିମାଣର ନିବେଶ କରିବାକୁ ଚାହୁଁଛି। ରାଜ୍ୟରେ କଂପାନି ସିମେଣ୍ଟ୍‌ କାରଖାନାରେ ନିବେଶ କରିଥିବା ବେଳେ ପାରାଦୀପ ବନ୍ଦରରେ ଆମର ନୂଆ ବର୍ଥ ନିର୍ମାଣ କାମ ଜାରି ରହିଛି।

ଆସନ୍ତା ବର୍ଷ ଖୋଲିବ ‘ୱେଲ୍‌କମ୍ ହୋଟେଲ୍‌’

‘ୱେଲ୍‌କମ୍ ହୋଟେଲ୍‌’ ନାମରେ ଆଇଟିସି ରାଜ୍ୟରେ ନିର୍ମାଣ କରୁଥିବା ବିଳାସପୂର୍ଣ୍ଣ ହୋଟେଲ୍ ଆସନ୍ତା ବର୍ଷ ଶେଷ ଆଡ଼କୁ ଖୋଲିବ ବୋଲି ଆଇଟିସିର ଅଧ୍ୟକ୍ଷ ସଞ୍ଜୀବ ପୁରୀ କହିଛନ୍ତି। ଏହା ବ୍ୟତୀତ କଂପାନି ସ୍ଥାପନ କରୁଥିବା ସର୍ବବୃହତ କଞ୍ଜ୍ୟୁମର ଗୁଡସ୍‌ ଉତ୍ପାଦନ କାରଖାନାରୁ ଆସନ୍ତା ବର୍ଷ ଉତ୍ପାଦନ ଆରମ୍ଭ ହେବ ବୋଲି ସେ ଘୋ‌ଷଣା କରିଛନ୍ତି।‌ ମେକ୍ ଇନ୍‌ ଓଡ଼ିଶାର ପୂର୍ବ ସଂସ୍କରଣରେ କଂପାନି ଏହି ଦୁଇ ପ୍ରକଳ୍ପ ସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଥିଲା। କଞ୍ଜ୍ୟୁମର ଗୁଡସ୍‌ କାରଖାନାରେ କଂପାନି ଆଶୀର୍ବାଦ, ୟିପି ଓ ସନଫିଷ୍ଟ୍‌ ବାଣ୍ଡ୍‌ର ଉତ୍ପାଦଗୁଡ଼ିକୁ ପ୍ରସ୍ତୁତ କରିବ। କଂପାନି ପକ୍ଷରୁ ମାଲକାନଗିରିରେ ୨୦୦୦ ଏକରରେ ସାମାଜିକ ବନୀକରଣ ପ୍ରକଳ୍ପ ହାତକୁ ନିଆଯାଇଛି। ଏଠାରେ ଉତ୍ପାଦିତ ହେବାକୁ ଥିବା ଉତ୍ପାଦଗୁଡ଼ିକୁ ଆଇଟିସି ଖରିଦ କରିବ। ଆଗାମୀ ଦିନରେ କଂପାନି ଏହି ପ୍ରକଳ୍ପକୁ ୧୫ ହଜାର ଏକର ଜମିରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିବ। ଏହା ଦ୍ବାରା ୨୨ ନିୟୁତ ମାନବ ଦିବସର କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ପୁରୀ କହିଛନ୍ତି ଓଡ଼ିଶା ମାନୁଫାକଚରିଂ ନିବେଶ ପାଇଁ ଏକ ଉପଯୁକ୍ତ ସ୍ଥାନ। ବିଜୁ କୃଷକ କଲ୍ୟାଣ ଯୋଜନା ଜରିଆରେ କୃଷକମାନଙ୍କ ଆୟକୁ ଦ୍ବିଗୁଣିତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭା‌ବେ ଉଭା ହୋଇଛି। ପାଞ୍ଚଟି କୃଷି କର୍ମଣ ପୁରସ୍କାର ମଧ୍ୟରୁ ଓଡ଼ିଶାକୁ ଚାରିଟି ମିଳିଛି। ଏହା ବେଶ ଉଲ୍ଲେଖନୀୟ ଉପଲବ୍ଧି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର