କୋଟିପତି ହୋଇବି ମନ୍ଦିର ସାମ୍ନାରେ ଭିକ ମାଗୁଛନ୍ତି ଏହି ବୃଦ୍ଧ

ଇନ୍ଦୋର: ନିଶା ମଣିଷକୁ ଚୋର, ଖଣ୍ଟରେ ପରିଣତ କରିବା ସହିତ ଧନୀରୁ ଗରିବ କରି ଦେଇଥାଏ। ମଣିଷ ନିଶାଗ୍ରସ୍ତ ହୋଇଗଲେ କୋଟିପତି ବି ଦିନେ ଦାଣ୍ଡର ଭିକାରୀ ପାଲଟି ଯାଏ। ଏମିତି ଏକ ଘଟଣା ମଧ୍ୟପ୍ରଦେଶ ଇନ୍ଦୋରରେ ଦେଖିବାକୁ ମିଳିଛି। ଗତ ୨ବର୍ଷ ହେବ କାଲକାମାତା ମନ୍ଦିର ସମ୍ମୁଖରେ ଭିକ ମାଗୁଥିବା ରମେଶ ଯାଦବଙ୍କୁ ଦେଖି ସ୍ୱେଚ୍ଛାସେବୀ ସଂସ୍ଥା ସାହାଯ୍ୟ ପାଇଁ ଆଗେଇ ଆସିଥିଲେ।

ଏନଜିଓ ପରିଚାଳକ ରୂପାଲୀ ଜୈନଙ୍କ କହିବାନୁସାରେ, ରମେଶ ଯାଦବଙ୍କ ସହ ତାଙ୍କ ଜୀବନ ବିଷୟରେ ଆଲୋଚନା କରିବା ପରେ ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଥିଲା। ରମେଶ ଯିଏକି ଦୁଇବର୍ଷ ହେବ ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ସିଏ ଜଣେ କୋଟିପତି। ରମେଶଙ୍କ କଥା ଶୁଣି ଆମେ ତାଙ୍କ ଘରକୁ ଯାଇଥିଲୁ। ତାଙ୍କ ଘର ଭିତର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ।

ଇନ୍ଦୋର ସହରରେ ତାଙ୍କ କେବଳ ବଙ୍ଗଳା ନାହିଁ ବିଭନ୍ନ ଆପାର୍ଟମେଣ୍ଟରେ ଫ୍ଲାଟ ବି ରହିଛି। ହେଲେ ଏଥିରୁ ହେଉଥିବା ଆୟ ନିଶାପାଣି କରି ରମେଶ ଉଡାଇ ଦେଉଥିଲେ। ଏଣୁ ପରିବାର ଲୋକେ ରମେଶଙ୍କୁ ଟଙ୍କା ଦେବା ବନ୍ଦ କରି ଦେଇଥିଲେ। ଭାବିଥିଲେ ଟଙ୍କା ନପାଇଲେ ରମେଶ ନିଶା ଖାଇବା ଛାଡ଼ି ଦେବ। କିନ୍ତୁ କିଛି ଲାଭ ମିଳି ନଥିଲା। ରମେଶ ନିଶା ଖାଇବା ପାଇଁ ନିଜ ଘର ଛାଡ଼ି ଚାଲି ଯାଇଥିଲେ। ଶେଷରେ କାଲକା ମନ୍ଦିର ପାଖରେ ବସି ଭିକି ମାଗିବା ଆରମ୍ଭ କରିଥିଲେ। ଏଠାରେ ଭକ୍ତମାନେ ଯାହା ଦିଅନ୍ତି ସେଥିରେ ସେ ଚଳି ଥାଆନ୍ତି। ଗତ ଦୁଇବର୍ଷ ହେବ ସେ ଭିକ୍ଷାବୃତ୍ତି କରୁଛନ୍ତି।

ସ୍ୱେଚ୍ଛାସେବୀ ସଂସ୍ଥା ରମେଶଙ୍କୁ ଉଦ୍ଧାର କରି କେନ୍ଦ୍ର ସରକାରଙ୍କ ଦିନବନ୍ଧୁ ପୁନର୍ବାସ ଯୋଜନାରେ ସାମିଲ କରି ନିଶାଭ୍ୟାସ ଛଡାଇବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର