ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ:  ୩ ଯବାନ ସହିଦ, ୨ ଗୁରୁତର

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ କୁମ୍ବିଂ ଅପରେସନ୍ ଚାଲିଥିବାବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ତିନି ଯବାନ ସହିଦ ହୋଇଛନ୍ତି। ଅନ୍ୟ ଦୁଇ ଯବାନ ଗୁରୁତର ହୋଇଛନ୍ତି। ସହିଦ ଯବାନମାନେ ହେଲେ ଦେବେନ୍ଦ୍ର କୁମାର ପଣ୍ଡିତ, ହରଦ୍ବାର ଶାହା ଓ କିରଣ ସୁରିନ୍। ଗୁରୁତର ହେଲେ ଦୀପ ଟପ୍ନୋ ଓ ନିକୁ ଓରାମ। ସେମାନଙ୍କୁ ହେଲିପ୍ଟେର ଯୋଗେ ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲକୁ ନିଆଯାଇଛି। ଘଟଣା ପରେ ସରଣ୍ଡା ପାର୍ଶ୍ବ ଲାଞ୍ଜି ଜଙ୍ଗଲରେ କୁମ୍ବିଂ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି।


ଆଜି ସକାଳେ କିଛି ନକ୍ସଲ ସରଣ୍ଡା ନିକଟ ଲାଞ୍ଜି ଜଙ୍ଗଲରେ ବଡ଼ ଧରଣର ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିବା ସ୍ଥାନୀୟ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ସିଆର୍‌ପିଏଫ୍ ଯବାନ ଓ ପୁଲିସ ମିଳିତ ଭାବେ ଲାଞ୍ଜି ଜଙ୍ଗଲକୁ ଘେରାବନ୍ଦୀ କରି କୁମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ନକ୍ସଲମାନେ ସେଠାରୁ ଖସିଯିବାକୁ ଯବାନଙ୍କ ଉପରୁ ଗୁଳି ଚାଳନା କରିଥିଲେ। ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ଉଭୟପଟୁ ଗୁଳି ଚାଳନା ଚାଲିଥିଲା। ଯବାନମାନେ ନକ୍ସଲମାନଙ୍କୁ କାବୁ କରିବାକୁ ଆଗକୁ ବଢ଼ୁଥିଲେ। ଯୋଜନା ମୁତାବକ ପୂର୍ବରୁ ନକ୍ସଲମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ତିନି ଯବାନ ସହିଦ ହୋଇଥିଲେ। ଅନ୍ୟ ଦୁଇ ଯବାନ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର