ଇମ୍ମା ଓ୍ଵାଟ୍‌ସନ୍‌ ଓ ବରାକ୍‌ ଓବାମାଙ୍କୁ ଚିହ୍ନିବା ପାଇଁ ମେଣ୍ଢାଙ୍କୁ ତାଲିମ

ଲଣ୍ଡନ: ଜନ୍ତୁମାନେ ଯେ ଫଟୋ ଦେଖି ମଣିଷ ମୁହଁକୁ ଚିହ୍ନି ପାରନ୍ତି- ତାହା ଦର୍ଶାଇବା ପାଇଁ ବ୍ରିଟିସ୍‌ ଅଭିନେତ୍ରୀ ଇମ୍ମା ଓ୍ଵାଟ୍‌ସନ୍‌ ଏବଂ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବରାକ୍‌ ଓବାମାଙ୍କୁ ମୁଖମଣ୍ଡଳକୁ ଚିହ୍ନିବା ପାଇଁ କେମ୍ପ୍ରିଜ୍‌ ବିଜ୍ଞାନୀମାନେ ମେଣ୍ଢାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।

ମେଣ୍ଢାମାନଙ୍କର ଭାବନା ପ୍ରକ୍ରିୟା ଦକ୍ଷତାର ଅନୁଧ୍ୟାନ କରିବା ନିମନ୍ତେ କରାଯାଇଥିବା କେତେକ ପରୀକ୍ଷା ମଧ୍ୟରେ ଏହା ଅନ୍ୟତମ।

ମେଣ୍ଢାମାନଙ୍କର ଅପେକ୍ଷାକୃତ ବୃହତ୍‌ ମସ୍ତିଷ୍କ ଏବଂ ଦୀର୍ଘ ଜୀବନ କାରଣରୁ ହଣ୍ଟିଙ୍ଗ୍‌ଟନ୍‌ ଭଳି ନ୍ୟୁରୋଡିଜେରେଟିଭ୍‌ ରୋଗର ଅଧ୍ୟୟନ ପାଇଁ ମେଣ୍ଢା ଏକ ଉତ୍ତମ ପଶୁ।

ଫିଓନା ବ୍ରୁସ୍‌, ଜେକ୍‌ ଜିଲେନ୍‌ହାଲ୍‌, ବରାକ୍‌ ଓବାମା ଏବଂ ଇମ୍ମା ଓ୍ଵଟ୍‌ସନ୍‌ ଆଦି ଚାରି ଜଣ ସେଲିବ୍ରେଟିଙ୍କୁ କମ୍ପ୍ୟୁଟର୍‌ ସ୍କ୍ରିନ୍‌ରୁ ଦେଖି ଚିହ୍ନିବା ନିମନ୍ତେ ଗବେଷକମାନେ ଆଠଟି ମେଣ୍ଢାଙ୍କୁ ତାଲିମ ଦେଇଥିଲେ।

ସ୍ୱତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ଏକ ଖୁଆଡ଼ ପାଖରେ ବୁଲି ନିଷ୍ପତ୍ତି ନେବାକୁ ମେଣ୍ଢାମାନଙ୍କୁ ତାଲିମ୍‌ ଦିଆଯାଇଥିଲା।

ଖୁଆଡ଼ରେ ଗୋଟିଏ ମୁଣ୍ଡରେ ସେମାନେ ଦେଖିବେ କମ୍ପ୍ୟୁଟର୍‌ ସ୍କ୍ରିନ୍‌ରେ ପ୍ରଦର୍ଶୀତ ଦୁଇଟି ଫଟୋ। ସେଥିରୁ ସେଲିବ୍ରିଟିଙ୍କର ଫଟୋଟି ଚିହ୍ନି ପାରିଲେ ସେ ମେଣ୍ଢାକୁ କିଛି ଖାଦ୍ୟ ପୁରସ୍କାର ଆକାରରେ ମିଳିବ।

ସେମାନେ ଭୁଲ୍‌ ଫଟୋ ବାଛିଲେ ଏକ ବଜର୍‌ ବାଜିବ ଏବଂ ସେମାନଙ୍କୁ କୌଣସି ପୁରସ୍କାର ମିଳିବ ନାହିଁ। ଥରକୁ ଥର ଏ ଭଳି ପରୀକ୍ଷା କରାଯିବା ପରେ ସେମାନେ କ୍ରମେ ସେଲିବ୍ରେଟିଙ୍କ ଫଟୋ ବାଛିବାକୁ ଲାଗିଲେ।

ତାଲିମ୍‌ ପରେ ମେଣ୍ଢାମାନଙ୍କୁ ଦୁଇଟି ଫଟୋଗ୍ରାଫ୍‌ ଦେଖାଇ ଦିଆଗଲା- ଜଣେ ସେଲିବ୍ରେଟି ଏବଂ ଜଣେ ସାଧାରଣ। ଏ ଭଳି ଦଶ ଥର ସେ ଫଟୋ ଦେଖା ଯାଇଥିଲା। ସେଥିରୁ ମେଣ୍ଢାମାନେ ୮ ଥର ସେଲିବ୍ରିଟିକୁ ଚିହ୍ନଟ କରିଥିଲେ।

ଏହି ପ୍ରାରମ୍ଭିକ ପରୀକ୍ଷାରେ ମେଣ୍ଢାମାନେ କେବଳ ମୁହଁର ସମ୍ମୁଖ ଭାବ ଦେଖି ଲୋକଙ୍କୁ ଚିହ୍ନି ଥିଲେ। ତା’ପରେ ତାଙ୍କୁ ପାର୍ଶ୍ୱ ଫଟୋରୁ ମଣିଷଙ୍କୁ ଚିହ୍ନିବା ପରୀକ୍ଷା କରାଯାଇଥିଲା। କିନ୍ତୁ, ଏଥିରେ ମାତ୍ର ୧୫% ମେଣ୍ଢା ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର