‘ଆଲ୍‌ଫା ରୋମିଓ’କୁ ରଖିବା ଲାଗି ସାଥୀ ଖେଳଳିଙ୍କ ଛୁଟି ପ୍ରାୟୋଜନ କରିଥିଲେ ହାଡ୍‌ଲି

ଅକଲାଣ୍ଡ: ଆଜକୁ ୩୪ ବର୍ଷ ତଳେ ଅର୍ଥାତ୍ ୧୯୮୬ ମସିହାରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ହାସଲ କରିଥିଲା। ଆଉ ଏଥିରେ ଏହି ଦେଶର ମହାନ ଦ୍ରୁତ ବୋଲର ରିଚାର୍ଡ ହାଡ୍‌ଲି ପ୍ରମୁଖ ଭୂମିକା ତୁଲାଇଥିଲେ। ଏହି ଶୃଙ୍ଖଳାରେ ସେ ୩୩ ୱିକେଟ୍ କରାୟତ୍ତ କରିଥିଲେ। ସେହିବର୍ଷ ହାଡ୍‌ଲି ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତେବେ ଅଷ୍ଟ୍ରେଲିଆରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟ୍ ଶୃଙ୍ଖଳା ବିଜୟ ଭେଟି ଦେଇଥିବାରୁ ତାଙ୍କୁ ପୁରସ୍କାର ବାବଦରେ ଏକ ଆଲ୍‌ଫା ରୋମିଓ କାର୍ ଉପହାର ଆକାରରେ ମିଳିଥିଲା। କିନ୍ତୁ ସେତେବେଳେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳରେ ଏକ ଅଜବ ନିୟମ ଥିଲା ଯେ ଦଳର ଯିଏ ବି ପୁରସ୍କାର ଜିତନ୍ତୁ ଏହାକୁ ସବୁ ଖେଳାଳିଙ୍କ ଭିତ‌ରେ ସମାନ ଭାବରେ ବାଣ୍ଟିବାକୁ ପଡ଼ୁଥିଲା। ହେଲେ କାର୍ ମୋହ ପାଇଁ ହାଡ୍‌ଲି ଏଭଳି କରିବାକୁ ଚାହୁଁ ନଥିଲେ।

ସେପଟେ ନିମୟ ଭାଙ୍ଗିବା ସପକ୍ଷରେ ମଧ୍ୟ ନଥିଲେ। ଏଣୁ ଦଳୀୟ ଅଧିକାରୀଙ୍କ ପ୍ରସ୍ତାବ ଅନୁସାରେ କାର୍ ବଦଳରେ ସେ ସମଗ୍ର ନ୍ୟୁଜିଲାଣ୍ଡ ଦଳକୁ ୭ ଦିନ ପାଇଁ ଲେକ୍ ଟୁପୋଠାରେ ଥିବା ନିଜ ହଲିଡେ ରିଜୋର୍ଟକୁ ଛୁଟି କଟାଇବାକୁ ନେଇଥିଲେ। ଏହାର ସମସ୍ତ ଖର୍ଚ ସେ ନିଜ ପକେଟରୁ ବହନ କରିଥିଲେ। ସେତେବେଳେ ସେହି କାର୍‌ର ଦାମ୍ ପାଖାପାଖି ୩୫୦୦୦ ନ୍ୟୁଜିଲାଣ୍ଡ ଡଲାର ଥିଲା। ସାଥୀ ଖେଳାଳିଙ୍କ ପାଇଁ ସମାନ ମୂଲ୍ୟର ଅର୍ଥ ବ୍ୟୟ କରିବା ପରେ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ହାଡ୍‌ଲିଙ୍କୁ ତାଙ୍କ ପ୍ରିୟ କାର୍‌କୁ କଂପାନିର ସ୍ଥାନୀୟ ଡିଲରଙ୍କଠାରୁ ଗ୍ରହଣ କରିବାର ଅନୁମତି ଦେଇଥିଲା। ହେଲେ ତାଙ୍କର ଏହି ନିଷ୍ପତ୍ତି ଅନେକ ସାଥୀ ଖେଳାଳିଙ୍କୁ କ୍ଷୁବ୍ଧ କରିଥିଲା ବୋଲି ଏକ ସାକ୍ଷାତକାର ଅବସରରେ ସେହି ଘଟଣାକୁ ମନେ ପକାଇ କହିଛନ୍ତି।

ସମ୍ବନ୍ଧିତ ଖବର