ପରାମର୍ଶଦାତା ଭୂମିକାକୁ ଉପଭୋଗ କରୁଛି: ବନ୍ଦନା

ବେଙ୍ଗାଲୁରୁ: ମାତ୍ର ୧୫ ବର୍ଷ ବୟସରେ ୨୦୦୭ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ଭାରତୀୟ ମହିଳା ହକି ତାରକା ବନ୍ଦନା କାଟାରିଆ। ଏହି ୧୩ ବର୍ଷ ମଧ୍ୟରେ ସେ ଖେଳାଳି ଭାବେ ବିକାଶିତ ହୋଇଥିଲେ। ଏବେ ସେ କିଛି ଯୁବପିଢ଼ିଙ୍କର‌ ପରାମର୍ଶଦାତା ଅଛନ୍ତି। ଏହି ପରାମର୍ଶଦାତା ଭୂମିକାକୁ ଉପଭୋଗ କରୁଛନ୍ତି ସେ ବୋଲି କହିଛନ୍ତି। ‌ମୋତେ ଯେତେବେଳେ ୧୫ ବର୍ଷ ବୟସ ହୋଇଥିଲା ଅନ୍ତର୍ଜତୀୟ ପଦାର୍ପଣ କରିଥିଲି। ସେତେବେଳ ମୁଁ ନିର୍ଭିକ ଥିଲି, ମୋର ନିଜସ୍ବ କୌଶଳ ବ୍ୟବହାର କରିବା ସହ ଯଥାସମ୍ଭବ ଆଧିପତ୍ୟ ବଜାୟ ରଖୁଥିଲି। କିନ୍ତୁ ପରେ ଯେତେବେଳେ କ୍ରୀଡ଼ାର ବିକାଶ ହେଲା ଏପରି ‌କଲେ ବେଶି ଦିନ ଖେଳିପାରିବି ନାହିଁ ବୋଲି ଅନୁଭବ କରିଥିଲି। ଏଥିପାଇଁ ନିଜକୁ ବିକାଶିତ କରିବାକୁ ପଡ଼ିବ ବୋଲି ଭାବିଥିଲି। ଏବେ ସେହି ଅଭିଜ୍ଞତାଙ୍କୁ ଯୁବ ଖେଳାଳିଙ୍କୁ ପରାମର୍ଶଦାତା ଭାବେ ବାଣ୍ଟୁଛି। ଏହି ପରାମର୍ଶଦାତା ଭୂମିକାକୁ ମୁଁ ଭଲ ଭାବେ ଉପଭୋଗ କରୁଛି ବୋଲି ୨୮ ବର୍ଷୀୟା ବନ୍ଦନା କହିଛନ୍ତି। ପଡ଼ିଆ ଭିତରେ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ସମୟରେ ସେମାନେ କ’ଣ କରିବେ ତାହା ଉପରେ ଆଲୋଚନା କରେ। ଯେପରି କହୁଛି ଠିକ୍ ତାହା ଅନୁସରଣ କରିବାକୁ ମୁଁ ଚାହେଁ ନାହିଁ। କିନ୍ତୁ ସେମାନଙ୍କ ଦୃଷ୍ଟିକୁ ବ୍ୟବହାର କରିବାକୁ ଚେଷ୍ଟା କରେ। ସେମାନେ କେଉଁ ନିଷ୍ପତ୍ତି ନେଇ ପାରିବେ ସେ ବିଷୟରେ ନିଜେ ଚିନ୍ତା କରିବାକୁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥାଏ ବୋଲି ଭାରତ ପାଇଁ ୨୪୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ବନ୍ଦନା କହିଛନ୍ତି।

କରୋନା ପାଇଁ ବାଧ୍ୟତାମୂଳକ ଜାତୀୟ ଲକ୍‌ଡାଉନ୍‌ ଯୋଗୁଁ ତାଲିମ କାର୍ଯ୍ୟକଳାପ ବନ୍ଦ ହୋଇଥିବାରୁ ବନ୍ଦନା କହିଛନ୍ତି ଯେ ବର୍ତ୍ତମାନ ସେମାନଙ୍କର ଧ୍ୟାନ ଶାରୀରିକ ସୁସ୍ଥତା ଏବଂ ବିରୋଧୀଙ୍କ ବିଶ୍ଳେଷଣ ଉପରେ ରହିଛି। ଆଜ୍ଞା ହଁ ଆମ ସମସ୍ତଙ୍କ ପାଇଁ ମୁଖ୍ୟ ବିଷୟ ସର୍ବଦା ପଡ଼ିଆରେ ହକି ଖେଳିବା, କିନ୍ତୁ ଏବେ ଆମେ ଅନ୍ୟ ପ୍ରମୁଖ କାରଣ ଉପରେ ଧ୍ୟାନ ଦେଉଛୁ। ଯାହା ଏକ ଦଳକୁ ଅଧିକ ସଫଳ କରିଥାଏ। ଆମେ ପିଚ୍‌ରେ ରହିବାକୁ ସକ୍ଷମ ନାହୁଁ, କିନ୍ତୁ ଆମର ମନ ସବୁବେଳେ ପିଚ୍‌ରେ ଅଛି ବୋଲି ସେ କହିଛନ୍ତି। ଆମେ ଆମର ଫିଟନେସ୍‌ସ୍ତରକୁ ଯଥାସମ୍ଭବ ବଜାୟ ରଖିବାକୁ ଚେଷ୍ଟା କରୁଛୁ। ଯେତେବେଳେ ଆମେ ମ୍ୟାଚ୍‌କୁ ‌ଫେରିବୁ ସେତେବେଳେ ପ୍ରତିପକ୍ଷଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିବୁ ବୋଲି ସେ କହିଛନ୍ତି। ଉଭୟ ପୁରୁଷ ଏବଂ ମହିଳା ହକି ଦଳ ସଂପ୍ରତି ‘ସାଇ’ କେନ୍ଦ୍ରରେ ଅଛନ୍ତି। ଏହି କଠିନ ସମୟରେ ସକାରାତ୍ମକ ରହିବାର ଆବଶ୍ୟକତା ଉପରେ ବନ୍ଦନା ଗୁରୁତ୍ୱାରୋପ କରିଛନ୍ତି। ଆମେ ଏଭଳି ସ୍ଥିତିରେ ଅଛୁ ଯେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବୁ। ଏଥିପାଇଁ ଆମେ ପାଣ୍ଠି ସଂଗ୍ରହ ପାଇଁ ନୂଆ ତରିକା ଆପଣେଇଥିଲୁ। ଏହି ପାଣ୍ଠିକୁ ଆମେ କରୋନା ବିପକ୍ଷ ଲଢ଼େଇ ଲାଗି ସାହାଯ୍ୟ କରିଥିଲୁ ‌ବୋଲି ବନ୍ଦନା କହିଛନ୍ତି।

ସମ୍ବନ୍ଧିତ ଖବର