ବିଜୟ ଲକ୍ଷ୍ୟ ୪୨୪; ବାଂଲାଦେଶ ୩/୪୯

ପଶ୍ଚଷ୍ଟମ୍‌: ସ୍ଥାନୀୟ ସେନ୍‌େଓ୍ଵସ୍‌ ପାର୍କରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ଦକ୍ଷିଣ ଆଫ୍ରିକା ବିଜୟ ସମ୍ଭାବନା ସୃଷ୍ଟି କରିଛି। ରବିବାର ଚତୁର୍ଥ ଦିବସରେ ଦ୍ୱିତୀୟ ପାଳିକୁ ୨୪୭/୬ରେ ଘୋଷଣା କରିଥିବା ଘରୋଇ ଦଳ ଭ୍ରମଣକାରୀ ବାଂଲାଦେଶ ସମ୍ମୁଖରେ ୪୨୪ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଛି। ଏହି ଲକ୍ଷ୍ୟର ପିଛା କରି ବାଂଲାଦେଶ ଦଳ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୪୯ ରନ୍‌ରେ ୩ ଓ୍ଵିକେଟ୍‌ ହରାଇ ପରାଜୟ ମୁହାଁ ହୋଇଛି। ହାତରେ ୭ ଓ୍ଵିକେଟ୍‌ ଥାଇ ବାଂଲାଦେଶ ଏବେ ବି ଲକ୍ଷ୍ୟଠାରୁ ୩୭୫ ରନ୍‌ ପଛରେ ରହିଛି। ସୋମବାର ମ୍ୟାଚ୍‌ର ପଞ୍ଚମ ତଥା ଶେଷ ଦିବସ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ପ୍ରାରମ୍ଭିକ ଯୋଡ଼ି ଡିନ୍‌ ଏଲଗାରଙ୍କ ୧୯୯ ଓ ଐଦନ୍‌ ମର୍କରାମ୍‌ଙ୍କ ୯୭ ପରେ ହାସିମ୍‌ ଆମ୍‌ଲାଙ୍କ ୧୩୭ ରନ୍‌ ବଳରେ ୩ ଓ୍ଵିକେଟ୍‌ ହରାଇ ୪୯୬ ରନ୍‌ କରିଥିଲା ବେଳେ ପ୍ରଥମ ପାଳି ଘୋଷଣା କରିଥିଲା। ଦ୍ୱିଶତକରୁ ମାତ୍ର ୧ ରନ୍‌ ପାଇଁ ବଞ୍ଚିତ ହୋଇଥିବା ଏଲ୍‌ଗାର ଏବଂ ଶତକରୁ ୩ ରନ୍‌ ଦୂରରେ ରହିଯାଇଥିବା ମର୍କରାମ ମିଳିତ ଭାବେ ପ୍ରଥମ ଓ୍ଵିକେଟ୍‌ରେ ୧୯୬ ରନ୍‌ ଯୋଡ଼ିବା ପରେ ଏଲ୍‌ଗାର ଓ ଆମ୍‌ଲା ଦ୍ୱିତୀୟ ଓ୍ଵିକେଟ୍‌ରେ ୨୧୫ ରନ୍‌ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ବଡ଼ ସ୍କୋର୍‌ ଦେଇଥିଲେ। ଜବାବରେ ମର୍ନି ମର୍କେଲ ଓ କାଗିସୋ ରବାଡାଙ୍କ ୨ ଲେଖାଏଁ ସାଙ୍ଗକୁ କେଶବ ମହାରାଜଙ୍କ ୩ ଓ୍ଵିକେଟ୍‌ ଦଖଲ ଯୋଗୁଁ ବାଂଲାଦେଶ ପ୍ରଥମ ପାଳି ୩୨୦ରେ ଶେଷ ହୋଇଯାଇଥିଲା। ମୋମିନୁଲ୍‌ ହକ୍‌ (୭୭) ଓ ମହମୁଦୁଲ୍ଲା (୬୬) କେବଳ ଅର୍ଧଶତକ ହାସଲ କରିପାରିଥିଲେ। ତେବେ ୧୭୬ ରନ୍‌ର ଅଗ୍ରଣୀ ପାଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିରେ ୬ ଓ୍ଵିକେଟ୍‌ ହରାଇ ୨୪୭ ରନ୍‌ କରିଥିଲା ବେଳେ ଚତୁର୍ଥ ଦିବସରେ ଘୋଷଣା କରିଦେଇଛି। ଫାଫ୍‌ ଡୁପ୍ଲେସିସ୍‌ (୮୧) ଓ ତେମ୍ବା ବାଭୁମା (୭୧) ଅର୍ଧଶତକ ଜମାଇଥିଲେ। ଏଥି ସହିତ ଘରୋଇ ଦଳ ବାଂଲାଦେଶ ସମ୍ମୁଖରେ ୪୨୪ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଏହାର ପିଛା କରିବାକୁ ଯାଇ ବାଂଲାଦେଶ ତମିମ୍‌ ଇକ୍‌ବାଲ୍‌ (୦) ଓ ମୋମିନୁଲ୍‌ ହକ୍‌ (୦)ଙ୍କୁ ଖାତା ଖୋଲିବା ପୂର୍ବରୁ ଏବଂ ଇମ୍ରୁଲ୍‌ କେୟସ (୩୨)ଙ୍କୁ ହରାଇ ସଂକଟରେ ପଡ଼ିଯାଇଛି। ବର୍ଷା ଯୋଗୁଁ ଚା’ପାନ ବିରତି ପରେ ଖେଳରେ ବାଧା ସୃଷ୍ଟି ହୋଇଥିଲା। ପ୍ରଥମ ଓଭରରେ ହିଁ ମର୍କେଲ ତମିମ୍‌ ଓ ମୋମିନୁଲଙ୍କୁ ଖାତା ଖୋଲିବାକୁ ନଦେଇ ପାଭିଲିୟନ୍‌ ପଠାଇ ଦେଇଥିଲେ। ତେବେ ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଅଧିନାୟକ ମୁସ୍‌ଫିକର ରହିମ୍‌ (୧୬) ଅପରାଜିତ ରହିଛନ୍ତି। ମର୍ନି ମର୍କେଲ ୨ ଓ କେଶବ ମହାରାଜ ଗୋଟିଏ ଓ୍ଵିକେଟ୍‌ ଦଖଲ କରିନେଇଛନ୍ତି।

ସମ୍ବନ୍ଧିତ ଖବର