ରାଜ୍ୟରେ ଆରମ୍ଭ ହେଲା ସମ୍ଭାବନାପୂର୍ଣ୍ଣ କ୍ରୀଡ଼ା ଟାର୍ଗେଟ ବଲ୍‌

୮ମ ଜାତୀୟ ସିନିୟର୍‌ ଟାର୍ଗେଟ ବଲ୍‌ ଚାମ୍ପିଅନ୍‌ସିପରେ ପ୍ରଥମଥର ପାଇଁ ଅଂଶଗ୍ରହଣ କରିବ ଓଡ଼ିଶା ଦଳ

ବାରିପଦା : ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଫିଟ୍‌ ଇଣ୍ଡିଆ ଅଭିଯାନରେ ସାମିଲ ହୋଇଥିବା ସମ୍ଭାବନାପୂର୍ଣ୍ଣ କ୍ରୀଡ଼ା ଟାର୍ଗେଟ୍‌ ବଲ। ଉତ୍ତରପ୍ରଦେଶ ରାଜ୍ୟର ସିକନ୍ଦରାବାଦ ବୁଲନ୍ଦସହର ବୈଦିକ ଇଣ୍ଟରନେସନାଲ ସ୍କୁଲ୍‌ରେ ଚଳିତ ମାସ ୨୦ରୁ ୨୩ ପର୍ଯ୍ୟନ୍ତ ‌ଅନୁଷ୍ଠିତ ହେଉଥିବା ୮ମ ଜାତୀୟ ସିନିୟର୍‌ ଟାର୍ଗେଟ୍‌ ବଲ ଚାମ୍ପିଅନସିପ୍‌ରେ ପ୍ରଥମଥର ପାଇଁ ଅଂଶଗ୍ରହଣ କରିବ ଓଡ଼ିଶା ଦଳ। ମାତ୍ର ୧୫ ଦିନର ପ୍ରସ୍ତୁତି ମଧ୍ୟରେ ଗଠନ ହୋଇଛି ଏହି ଦଳ। ଏହି ଚାମ୍ପିଅନସିପ୍‌ରେ ଅଂଶଗ୍ରହଣ ନିମନ୍ତେ ଓଡ଼ିଶାରୁ ଏକ ୭ ଜଣିଆ ଦଳ ଆଜି ରାତିରୁ ଉତ୍ତରପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ମାତ୍ର ଉଲ୍ଲେଖନୀୟ ବିଷୟ ଏହାଯେ ଏହି ଦଳରେ ସ୍ଥାନ ପାଇଥିବା ସମସ୍ତ ୭ ଜଣ ସଦସ୍ୟ ମୟୂରଭଞ୍ଜ ଜିଲ୍ଲାରୁ ରହିଛନ୍ତି। ଯାହାକି ଜାତୀୟ ସ୍ତରରେ ଓଡ଼ିଶା ପାଇଁ ମୟୂରଭଞ୍ଜ ଗୌରବ ଆଣିଥିବା କହିଲେ ଅତ୍ୟୁକ୍ତି ହେବ ନାହଁ। ଏହି କ୍ରୀଡ଼ା ନିମନ୍ତେ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କୌଣସି ଭିତ୍ତିଭୂମି ନାହିଁ। ତଥାପି ଭାରତୀୟ ଟାର୍ଗେଟ୍‌ ବଲ ଆସୋସିଏସନ୍‌ ଅନୁବନ୍ଧନରେ ପ୍ରାଥମିକ ଭାବେ ଟାର୍ଗେଟ୍‌ ବଲ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଗଠନ ହୋଇଛି। ଆଉ ଏହି ଆସୋସିଏସନ୍‌ ସହାୟତାରେ ଓଡ଼ିଶାର ପ୍ରଥମ ଦଳ ଭାବେ ଜାତୀୟସ୍ତରରେ ଟାର୍ଗେଟ୍‌ ବଲ ଖେଳିବାକୁ ଉତ୍ତରପ୍ରଦେଶ ଯାଇଛି। ସମସ୍ତ ୭ ଜଣ ଖେଳାଳୀ ମୟୂରଭଞ୍ଜରୁ ହୋଇଥିବାରୁ ବାରିପଦାରୁ କୋଚ ଦୁର୍ଗାଚରଣ ମହାନ୍ତଙ୍କ ସହିତ ଦଳ ଉତ୍ତରପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଦଳରେ ସ୍ଥାନ ପାଇଥିବା ୭ ଜଣ ଖେଳାଳୀ ହେଲେ ବିକାଶ ରଞ୍ଜନ ଦାସ, ସୌଭାଗ୍ୟ ରଞ୍ଜନ ସାହୁ, ଏମ. ବାଲକ୍ରିଷ୍ଣ, ମହେଶ ମହାନ୍ତ, ହରିଶ ଚନ୍ଦ୍ର ହାତୀ, ଦେବବ୍ରତ ସ ଏବଂ ପ୍ରତ୍ୟୁଷ କୁମାର ସିଂ। କଲେଜ୍‌ରେ ପାଠ ପଢ଼ୁଥିବା ଏହି ଖେଳାଳୀମାନେ ନିଜ ଖର୍ଚ୍ଚରେ ପ୍ରସ୍ତୁତି ସହିତ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି। ଗତ ମାସ ଶେଷ ଭାଗରେ ଜଗବନ୍ଧୁ ସରକାରୀ ଉଚ୍ଚବିଦ୍ୟାଳୟ, ବାଲିଯୋଡ଼ା ମୟୂରଭଞ୍ଜର ଗଣିତ ଶିକ୍ଷକ ତଥା କ୍ରୀଡ଼ା ପ୍ରଶିକ୍ଷକ ଦୀପକ ରାମଙ୍କ ନିକଟକୁ ଭୁବନେଶ୍ବରରୁ ଜିଲ୍ଲାରେ ଏହି କ୍ରୀଡ଼ାକୁ ଆରମ୍ଭ କରିବାକୁ ସୂଚନା ଆସିଥିଲା। ଏପରିକି ଟାର୍ଗେଟ୍‌ ବଲ୍‌ କ୍ରୀଡ଼‌ାରେ ଆସନ୍ତା ମାସରେ ହେବାକୁ ଥିବା ଜାତୀୟ ଚାମ୍ପିଅନସିପ୍‌ରେ ଅଂଶଗ୍ରହଣ ନିମନ୍ତେ ମଧ୍ୟ ଖେଳାଳୀ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ସେହି ଅନୁସାରେ ଦୀପକ ରାମ ଖେଳାଳୀ ଖୋଜି ସେମାନଙ୍କୁ ଏହି ନୂତନ ଖେଳରେ ପ୍ରସ୍ତୁତ କରିବାକୁ ଲାଗିପଡ଼ିଥିଲେ। ନିଜର କିଛି ପୁରୁଣା ଛାତ୍ରଙ୍କ ସହିତ ବାରିପଦା ମଧୁବନସ୍ଥିତ ଚର୍ଚ୍ଚ ପଡ଼ିଆରେ ଆରମ୍ଭ ହୋଇଥିଲା ଟାର୍ଗେଟ୍‌ ବଲ୍‌ । ବାସ୍କେଟ୍ ବଲ୍‌ ଖେଳ ସହିତ ଟାର୍ଗେଟ୍‌ ବଲ୍‌ର ପ୍ରାୟତଃ ସାମଞ୍ଜସ୍ୟ ରହିଛି। ତେଣୁ ଚର୍ଚ୍ଚ ପଡ଼ିଆରେ ଥିବା ବାସ୍କେଟ ବଲ୍‌ କୋର୍ଟରେ ଏହି ଖେଳର ଭିତ୍ତିପ୍ରସ୍ଥର ପଡ଼ିଥିଲା। ଏହି ଖେଳରେ ପ୍ରତି ଟିମ୍‌ରେ ୬ ଜଣ ଖେଳାଳୀ ରହିଥାଆନ୍ତି। ବାସ୍କେଟ ବଲ୍‌ରେ ଗୋଟିଏ ଗୋଲ୍ ପୋଷ୍ଟ ଥିବାବେଳେ ଟାର୍ଗେଟ୍‌ ବଲ୍‌ରେ ଦୁଇଟି କରି ପୋଷ୍ଟ ଥାଏ। ଶ୍ରୀ ରାମ ଖେଳାଳୀଙ୍କୁ ଡ୍ରିବଲିଙ୍ଗ୍‌, କିପିଂ, ପାସିଙ୍ଗ୍‌, ନେଟ୍‌ କୁ ଥ୍ରୋ ଆଦି ଶିଖାଇଥିଲେ। ଏହି ଖେଳ ମୋଟ ୪୦ ମିନିଟ୍‌ ଖେଳାଯାଇଥାଏ। ୨୦ ମିନିଟ୍‌ରେ ଥରେ ବ୍ରେକ୍‌ ହୋଇଥାଏ। ତେଣୁ ଖେଳାଳୀଙ୍କ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଶାରିରୀକ ଗଠନ ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା। ତେବେ ଏହି ଖେଳର ଟେକ୍‌ନିକ ୟୁଟ୍ୟୁବ୍‌ରୁ ଦେଖି ଶିଖିଥିଲେ ଖେଳାଳୀ। ତେବେ ମାତ୍ର ୧୫ ଦିନ ମଧ୍ୟରେ ମୟୂରଭଞ୍ଜରୁ ପ୍ରସ୍ତୁତ ହୋଇଥିବା ଏହି ଦଳର ସମସ୍ତ ୭ ସଦସ୍ୟ ଯେ ଓଡ଼ିଶା ଦଳକୁ ଜାତୀୟସ୍ତରରେ ପ୍ରତିନିଧିତ୍ବ କରିବେ, ତାହା ଦେଖି ଖୁସି ଲାଗୁଥିବା ପ୍ରକାଶ କରିଛନ୍ତି ଶ୍ରୀ ରାମ। ଆଜି ସନ୍ଧ୍ୟାରେ ବାରିପଦାରୁ ଉତ୍ତରପ୍ରଦେଶ ଅଭିମୁଖେ ଯାଇଥିବା ଖେଳାଳୀମାନେ ମଧ୍ୟ ରାଜ୍ୟରୁ ପ୍ରଥମ ଟାର୍ଗେଟ୍‌ ବଲ ଦଳ ଭାବେ ଜାତୀୟ ଚାମ୍ପିଅନସିପ୍‌ ଖେଳିବାକୁ ଯାଉଥିବାରୁ ବେଶ୍‌ ଖୁସି ଓ ଉତ୍ସାହିତ ଅଛନ୍ତି। ସେଠାରେ ଉତ୍ତମ ପ୍ରଦର୍ଶନ କରି ରାଜ୍ୟର ଟେକ ରଖିବା ଆଶାରେ ଯୁବଖେଳାଳୀ ମାନେ ଯାତ୍ରା ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ୨୦୧୨ରେ ଉତ୍ତରପ୍ରଦେଶର ମଥୁରା ସହରରୁ ଜନ୍ମ ନେଇଥିଲା ଏହି କ୍ରୀଡ଼ା। ଏହି ଖେଳକୁ ଆରମ୍ଭ କରିଥିବା ଡ. ସୋନୁ ଶର୍ମା ଅଧୁନା ଭାରତୀୟ ଟାର୍ଗେଟ୍‌ ବଲ ଆସୋସିଏସନ୍‌(ବିଟିଏ)ର ସେକ୍ରେଟାରୀ ଜେନେରାଲ୍‌ ସହିତ ସିଇଓ ଅଛନ୍ତି। ବିଟିଏ ସହିତ ଅନୁବନ୍ଧିତ ଟାର୍ଗେଟ୍‌ ବଲ ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ସାଧାରଣ ସମ୍ପାଦିକ ଭାବେ ରାଗିଣୀ ମିତ୍ର କାର୍ଯ୍ୟ କରୁଛନ୍ତି। ୨୦୧୪ରେ ଭୁଟାନ୍‌ରେ ଏହି ଖେଳର ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଚଳିତ ମାସ ୨୦ରୁ ହେବାକୁ ଥିବା ଜାତୀୟ ଚାମ୍ପିଅନସିପ୍‌ରେ ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜୁରାଟ, ଉତ୍ତରପ୍ରଦେଶ, ହରିୟାଣା, ଓଡ଼ିଶା ସମେତ ୧୭ଟି ରାଜ୍ୟ ଅଂଶଗ୍ରହଣ କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଫିଟ୍‌ ଇଣ୍ଡିଆ ଅଭିଯାନରେ ସାମିଲ ହେବା ପରେ ଏହି କ୍ରୀଡ଼ାର ବହୁଳ ପ୍ରସାର ଘଟୁଛି। ଖୁବ୍‌ କମ ସମୟ‌ ମଧ୍ୟରେ ଏହି କ୍ରୀଡ଼ା ଅଲମ୍ପିକ୍‌ରେ ସାମିଲ ହେବାର ଆଶା ଥିବା ପ୍ରକାଶ। ତେବେ ଏହି କ୍ରୀଡ଼ାରେ ଜାତୀୟସ୍ତରରେ ଅଂଶଗ୍ରହଣ କରୁଥିବା ଖେଳାଳୀମାନଙ୍କୁ ଅନ୍ୟ କ୍ରୀଡ଼ାର କ୍ରୀଡ଼ାବିତ୍‌ଙ୍କ ପରି ସରକାରୀ ନିଯୁକ୍ତି ଆଦି କ୍ଷେତ୍ରରେ ସମସ୍ତ ସୁଯୋଗ ମିଳିବ ବୋଲି ‌ପ୍ରକାଶ। ପ୍ରୋତ୍ସାହନ ପାଇଲେ ଏହି କ୍ରୀଡ଼ା ଯେ ରାଜ୍ୟରେ ନାମ କମାଇବ ଏଥିରେ ସନ୍ଦେହ ନାହିଁବୋଲି ଖେଳାଳୀମାନେ ପ୍ରକାଶ କରିଛନ୍ତି। ପ୍ରଥମଥର ପାଇଁ ଜାତୀୟସ୍ତରରେ ରାଜ୍ୟରୁ ପ୍ରତିନିଧିତ୍ବ କରୁଥିବା ମୟୂରଭଞ୍ଜର ଏହି ଯୁବଖେଳାଳୀମାନଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ଶୁଭେଛା ଓ ଶୁଭକାମନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର