୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦

କାଜଲଙ୍କ ବିସ୍ଫୋରକ ଶତକ ଓଡ଼ିଶାର ବୃହତ୍‌ ବିଜୟ

କଟକ: କାଜଲ ଜେନାଙ୍କ ଅପରାଜିତ ଶତକ ବଳରେ ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ରେ ଓଡ଼ିଶା ବୃହତ୍‌ ବିଜୟ ପାଇଛି। ବୁଧବାର ଖେଳିଥିବା ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ୨୦୪ ରନ୍‌ରେ ମିଜୋରାମକୁ ପରାସ୍ତ କରିଦେଇଛି। ରାଜକୋଟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ବ୍ୟାଟି˚ କରିଥିଲା। କାଜଲଙ୍କ ବିସ୍ଫୋରକ ଶତକ (୫୬ ବଲ୍‌, ୧୧୨* ରନ୍‌) ବଳରେ ଦଳ ୨ ଵିକେଟ ବିନିମୟରେ ୨୨୧ ରନ୍‌ କରିଥିଲା। ଆରମ୍ଭରୁ ପ୍ରହାର କରି ଚାଲିଥିବା କାଜଲ ଶେଷ ପର୍ଯ୍ୟନ୍ତ ଆଉଟ୍‌ ହୋଇନଥିଲେ। ତାଙ୍କୁ ସହଯୋଗ ଦେଇ ରାଣୀ ଟୁଡୁ ୩୦ ଓ ଅଞ୍ଜଳି ସି˚ହ ୧୯ ରନ୍‌ କରିଥିଲେ। କାଜଲଙ୍କ ସହ ସୁମିତ୍ରା ସାହୁ ୨୧ ରନ୍‌ କରି ଅପରାଜିତ ରହିଥିଲେ। ଜବାବରେ ବ୍ୟାଟି˚ ବିପର୍ଯ୍ୟୟର ସାମ୍‌ନା କରି ମିଜୋରାମ ମାତ୍ର ୧୭ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ମିଜୋରାମର ୭ ଜଣ ଖାତା ଖୋଲିପାରିନଥିଲେ। ଓଡ଼ିଶା ପାଇଁ ଲୌସା ଦାଶ ୩, ଇନ୍ଦ୍ରାଣୀ ଛତ୍ରିଆ ଓ ତରନ୍ନା ପ୍ରଧାନ ୨ ଵିକେଟ ଲେଖାଏଁ ପାଇଥିଲେ।

ସମ୍ବନ୍ଧିତ ଖବର