ଗଲ୍‌ଫ ପଦକ ଦୌଡ଼ରେ ଅଦିତି

ଟୋକିଓ: ଭାରତୀୟ ଗଲ୍‌ଫର୍‌ ଅଦିତି ଅଶୋକ ଐତିହାସିକ ଅଲିମ୍ପିକ୍ସ ପଦକ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି। ଟୋକିଓରେ ଚାଲିଥିବା ଏହି ବହୁଦେଶୀୟ କ୍ରୀଡ଼ାର ଗଲ୍‌ଫ ଇଭେଣ୍ଟ୍‌ରେ ଗୁରୁବାର ସେ ଦ୍ବିତୀୟ ରାଉଣ୍ଡରେ ୫ ଅଣ୍ଡର ୬୬ କରିଥିଲେ। ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ସେ ମୋଟ ୯ ଅଣ୍ଡର ୧୩୩ ସହ ଯୁଗ୍ମଭାବେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଶୀର୍ଷ ସ୍ଥାନରେ ବିଶ୍ବର ଏକ ନମ୍ବର ଆମେରିକାର ନେଲି କୋର୍ଡା (୧୩ ଅଣ୍ଡର ୧୨୯) ରହିଛନ୍ତି। ଅଦିତି ତାଙ୍କଠୁ ମାତ୍ର ୪ ସଟ୍‌ କମ୍‌ରେ ରହିଛନ୍ତି।

ଅଦିତିଙ୍କ ସହ ସମାନ ସ୍କୋର କରିଥିବା ଡେନ୍‌ମାର୍କର ନାନା କୋଏର୍ଜ ମାଡିସନ (୯ ଅଣ୍ଡର ୧୩୩) ଓ ଇମିଲି କ୍ରିଷ୍ଟିନ୍‌ ପେଡେର୍ସେନ (୯ ଅଣ୍ଡର ୧୩୩) ଯୁଗ୍ମଭାବେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପରବର୍ତ୍ତୀ ଦୁଇ ରାଉଣ୍ଡରେ ଯଦି ଅଦିତି ଏହି ପ୍ରଦର୍ଶନ ଜାରି ରଖନ୍ତି ତେବେ ଗଲ୍‌ଫରେ ଭାରତ ପାଇଁ ପଦକ ଜିତିବାର ଗୌରବ ଅର୍ଜନ କରିବେ। ଅଦିତି ଦ୍ବିତୀୟ ଥର ଲାଗି ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିଲା ବେଳେ ରିଓରେ ୪୧ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଅନ୍ୟପକ୍ଷରେ ଦ୍ବିତୀୟ ଭାରତୀୟ ଭାବେ ଏହି କ୍ରୀଡ଼ାରେ ଭାଗ ନେଇଥିବା ଦୀକ୍ଷା ଡଗର (୬ ଓଭର ୧୪୮) ୫୩ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର