ଆଜି ଯିବେ ଟୋକିଓ: ଯୁଗଳ ପଦକ ଜିତିବା ଲକ୍ଷ୍ୟ

ମାର୍କଣ୍ଡ ରେଡ୍ଡୀ (ବେଜିଂ, ୨୦୦୮)ଙ୍କ ପରେ ଓଡ଼ିଶାର ଦ୍ବିତୀୟ ଖେଳାଳି ଭାବେ ପାରାଲିମ୍ପିକ୍ସ ଖେଳିବାକୁ ଯାଉଥିବା ପ୍ରମୋଦ ଭଗତ ଆସନ୍ତାକାଲି ସକାଳୁ ଟୋକିଓ ଯାତ୍ରା କରିବେ। ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସ ଖେଳିବାକୁ ଯାଉଥିବା ପ୍ରମୋଦ ଏଥର ଦୁଇଟି ପଦକ ଜିତିବାର ସମ୍ଭାବନା ରହିଛି। କାରଣ ସେ ଉଭୟ ଏକକ ଏବଂ ମିଶ୍ରିତ ଯୁଗଳ ବର୍ଗରେ ଅଂଶଗ୍ରହଣ କରିବେ। ୩୩ ବର୍ଷୀୟ ପ୍ରମୋଦ ଏସୀୟ ଏବଂ ବିଶ୍ବ ପ୍ରତିଯୋଗିତା‌ରେ ଏକାଧିକ ପଦକ ଜିତି ସାରିଛନ୍ତି। ତାଙ୍କ ଜାଜ୍ଜ୍କଲ୍ୟମାନ ଖେଳ ଜୀବନରେ କେବଳ ଅଲିମ୍ପିକ୍ସ ପଦକ ଅପୂରଣୀୟ ହୋଇ ରହିଛି। ଏଥର ସେହି ଶୂନ୍ୟସ୍ଥାନ ପୂରଣ କରିବା ଲକ୍ଷ୍ୟରେ ରହିବେ ସେ। ଏଥିଲାଗି ଉଭୟ ମାନସିକ ଓ ଶାରୀରିକ ସ୍ତରରେ କଠିନ ପରିଶ୍ରମ କରିଛନ୍ତି ପ୍ରମୋଦ।

‘‘ପେସାଦାର ଜୀବନରେ ମୁଁ ଏହି କ୍ଷଣକୁ ହିଁ ଅପେକ୍ଷା କରି ରହିଥିଲି। ସଂପ୍ରତି ମୁଁ ଫିଟନେସ୍‌ର ଶ୍ରେଷ୍ଠ ସ୍ତରରେ ଅଛି। ମୁଁ ୧୪୦ କୋଟି ଭାରତୀୟଙ୍କୁ ବି ନିରାଶ କରିବାକୁ ଚାହିଁବିନି। ଦେଶ ପାଇଁ ପ୍ରଥମ ପାରାବ୍ୟାଡମିଣ୍ଟନ୍ ପଦକ ଜିତିବି ବୋଲି ଦୃଢ଼ ଆତ୍ମବିଶ୍ବାସ ରହିଛି। ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବାରୁ ମୋ ଉପରେ କିଛିଟା ଚାପ ରହିଛି। ତେବେ ଏଥିସହ ମୁଁ ଅଭ୍ୟସ୍ତ ହୋଇଗଲିଣି। ଟୋକିଓ ପାରାଲିମ୍ପିକ୍ସରୁ ଆମ ଦଳ ୩ରୁ ୪ ପଦକ ଜିତିବାକୁ ଆଶା ରଖିଛି। ମନୋଜ ଓ ମୁଁ ବିଶ୍ବ ମାନ୍ୟତା ଅନୁସାରେ ଗୋଟିଏ ଗ୍ରୁପ୍‌ରେ ଅଛୁ। ମୁଁ ଏକକ ସ୍ବର୍ଣ୍ଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଭାବୁଛି ଯୁଗଳରେ ବି ପଦକ ଆସିଯିବ’’ ଲକ୍ଷ୍ନୌରୁ ସମ୍ବାଦକୁ ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରମୋଦ। କରୋନା ସଙ୍କଟ ପାଇଁ ଦୀର୍ଘ ବ୍ୟବଧାନ ପରେ କୋର୍ଟକୁ ଫେରି ଗତ ଏପ୍ରିଲ ମାସର ଦୁବାଇ ଓପନରେ ପ୍ରମୋଦ ଦୁଇଟି ସ୍ବର୍ଣ୍ଣ ଜିତିଥିଲେ। ଏଣୁ ଟୋକିଓରେ ମଧ୍ୟ ସେ ଏହି ସଫଳତା ଦୋହରାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କରୋନା ସମୟରେ ଅଭ୍ୟାସ ଜାରି ରଖିବା ତାଙ୍କ ପାଇଁ ଆଦୌ ସହଜ ନଥିଲା ବୋଲି ଏକ ସାକ୍ଷାତକାରରେ କହିଛନ୍ତି ସେ।

ସମ୍ବନ୍ଧିତ ଖବର