ବିସିସିଆଇ ଏଜିଏମ୍‌ ସ୍ଥଗିତ

ମୁମ୍ବାଇ : ପ୍ରତିବର୍ଷ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେଉଥିବା ବିସିସିଆଇର ବାର୍ଷିକ ସାଧାରଣ ପରିଷଦ‌ ବୈଠକ (ଏଜିଏମ୍‌)କୁ ଏଥର କୋଭିଡ୍‌ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ ସମ୍ପାଦକ ଜୟ ସାହା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତାମିଲନାଡୁ‌ ସୋସାଇଟି ରେଜିଷ୍ଟ୍ରେସନ୍‌ ଆକ୍ଟ-୧୯୭୫ ଅନୁସାରେ ପ୍ରତିବର୍ଷ ସେପ୍ଟେମ୍ବର ୩୦ ଭିତରେ ଏଜିଏମ୍‌ ଆହୂତ ହୋଇଥାଏ। କିନ୍ତୁ କୋଭିଡ୍‌-୧୯ ପରିସ୍ଥିତି କାରଣରୁ ଗତବର୍ଷ ତାମିଲନାଡୁ ସରକାର ଗତ ଜୁନ୍ ୩୦ ତାରିଖରେ ଜାରି କରିଥିବା ଆଦେଶ ଅନୁସାରେ ଏହାକୁ ୩ ମାସ ପାଇଁ ଘୁଞ୍ଚାଇ ଦିଆଯାଇପାରିବ। ଫଳରେ ୨୦୨୧ ଡିସେମ୍ବର ମଧ୍ୟରେ ବିସିସିଆଇ ଏହାର ଏଜିଏମ୍‌ ଆହୂତ କରିପାରିବ।

ଅନ୍ୟପକ୍ଷରେ ବିସିସିଆଇ ମଧ୍ୟ ଏହାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ରାଜ୍ୟ ସିକେ ନାୟୁଡୁ ପ୍ରତିଯୋଗିତା ଏବଂ ରାଜ୍ୟ ‘ଏ’ ଦିନିକିଆ ପ୍ରତିଯୋଗିତାରେ ରଣଜୀ ଖେଳାଳିଙ୍କ ସଂଖ୍ୟାକୁ ନେଇ ଥିବା କଟକଣାକୁ ଉଠାଇ ଦିଆଯାଇଥିବା ସ୍ପଷ୍ଟ କରିଛି। ଏ ସମ୍ପର୍କରେ ସବୁ ରାଜ୍ୟ ସଂଘକୁ ଜଣାଇ ଦିଆଯାଇଥିବା ଜୟ ସାହା ପ୍ରକାଶ କରିଛନ୍ତି। ପୂର୍ବରୁ ସିକେ ନାୟୁଡୁରେ ସର୍ବାଧିକ ୨ ଜଣ ରଣଜୀ ଖେଳାଳି ଅଂଶଗ୍ରହଣର ନିୟମ ଥିଲା। ସେହିଭଳି ସିକେ ନାୟୁଡୁକୁ ୨୩ ବ‌ର୍ଷରୁ କମ୍‌ ପରିବର୍ତେ ୨୫ ବର୍ଷରୁ କମ୍‌ କରାଯିବା ସହ ନୂଆ କରି ରାଜ୍ୟ ‘ଏ’ ପ୍ରତିଯୋଗିତା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଜୟ ସାହା।

ସମ୍ବନ୍ଧିତ ଖବର