ବାଉଚର ମୁମ୍ବାଇ ଇଣ୍ଡିଆନ୍ସ , ବେଲିସ ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ

ମୁମ୍ବାଇ : ପୂର୍ବତନ ଦକ୍ଷିଣ ଆଫ୍ରିକା ୱିକେଟ୍‌ରକ୍ଷକ ବ୍ୟାଟର୍‌ ମାର୍କ ବାଉଚର ଆଗାମୀ ଆଇପିଏଲ୍‌ ଋତୁ ଲାଗି ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ ଶୁକ୍ରବାର ନିଯୁକ୍ତ ହୋଇଛନ୍ତି। ୪୫ ବର୍ଷୀୟ ବାଉଚର ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ ଏହି ନିଯୁକ୍ତି ପାଇଛନ୍ତି। ସଂପ୍ରତି ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ବାଉଚର ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ପଦ ଛାଡ଼ିବେ ବୋଲି ଚଳିତ ସପ୍ତାହରେ ଘୋଷଣା କରିଥିଲେ। ୱିକେଟ୍‌ରକ୍ଷକ ଭାବେ ବାଉଚରଙ୍କ ନାମରେ ସର୍ବାଧିକ ଟେଷ୍ଟ ଡିସ୍‌ମିସାଲର କୀର୍ତ୍ତିମାନ ରହିଛି। ଅବସର ପରେ ‌ଦକ୍ଷିଣ ଆଫ୍ରିକାର ପ୍ରମୁଖ ଫ୍ରାଞ୍ଚାଇଜ୍‌ ଟାଇଟାନ୍ସର ପ୍ରଶିକ୍ଷକ ହୋଇ ୫ ଥର ଘରୋଇ ଟ୍ରଫି ଭେଟି ଦେଇଥିଲେ। ୨୦୧୯ରେ ସେ ଦକ୍ଷିଣ ଆଫ୍ରିକାର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ତାଙ୍କ ପ୍ରଶିକ୍ଷଣରେ ଦକ୍ଷିଣ ଆଫ୍ରିକା ୧୧ ଟେଷ୍ଟ, ୧୨ ଦିନିକିଆ ଓ ୨୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଜିତିଥିଲା।

ଆଇପିଏଲ୍‌ ଦଳ ପଞ୍ଜାବ କିଙ୍ଗ୍ସ ଶୁକ୍ରବାର ଅଷ୍ଟ୍ରେଲିଆର ଟ୍ରେଭର ବେଲିସଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ସେ ପୂର୍ବତନ ପ୍ରଶିକ୍ଷକ ଅନିଲ କୁମ୍ବଲେଙ୍କ ସ୍ଥାନ ନେବେ। ଦଳର ଖରାପ ପ୍ରଦର୍ଶନ ପାଇଁ ପଞ୍ଜାବ କିଙ୍ଗ୍ସ ଆଉ କୁମ୍ବଲେଙ୍କ ଚୁକ୍ତି ନବୀକରଣ କରିନଥିଲା। ବେଲିସ୍‌ଙ୍କ ପ୍ରଶିକ୍ଷଣରେ ଇଂଲଣ୍ଡ ୨୦୧୯ ବିଶ୍ବକପ୍‌ ବିଜେତା ହୋଇଥିଲା। ତାଙ୍କର ମଧ୍ୟ ଦୁଇଟି ଆଇପିଏଲ୍‌ ଟ୍ରଫି ବିଜୟର ଅଭିଜ୍ଞତା ରହିଛି। ୨୦୧୨ ଓ ୨୦୧୪ରେ ତାଙ୍କ ପ୍ରଶିକ୍ଷଣରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଏହି ଟ୍ରଫି ଜିତିଥିଲା। ଏଥିସହ ସିଡ୍‌ନି ସିକ୍ସରକୁ ମଧ୍ୟ ବିବିଏଲ୍‌ ବିଜେତା କରାଇଥିଲେ। ୨୦୨୦ ଓ ୨୦୨୧ରେ ସେ ସନ୍‌ରାଇଜର୍ସ ହାଇଦ୍ରାବାଦର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ।

ସମ୍ବନ୍ଧିତ ଖବର