ଦର୍ଶକଙ୍କୁ ଅନୁମତି ମିଳିଲେ ବକ୍ସିଂ ଡେ’ ଟେଷ୍ଟ୍ ମେଲବର୍ନରେ ରହିବ

ମେଲବର୍ନ: ଦର୍ଶକଙ୍କୁ ଷ୍ଟାଡିୟମ୍‌ ପ୍ରବେଶ ଅନୁମତି ମିଳିଲେ ଐତିହାସିକ ମେଲବର୍ନ କ୍ରିକେଟ୍ ପଡ଼ିଆ (ଏମସିଜି) ଭାରତ- ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍‌ର ଆୟୋଜନ ଅଧିକାର ହରାଇବ ନାହିଁ। କ୍ରିକେଟ୍ ଅଷ୍ଟ୍ରେଲିଆର ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ ହକଲି ଶନିବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ଏମ୍‌ସିଜି ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରଦେଶରେ ଅବସ୍ଥିତ ହୋଇଥିଲା ବେଳେ ସେଠାରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବଢ଼ି ଚାଲିଛି। ସେଥିପାଇଁ ଏହି ବହୁ ପ୍ରତୀକ୍ଷିତ ଟେଷ୍ଟ୍ ମ୍ୟାଚ୍ ଆଡିଲେଡ୍‌କୁ ସ୍ଥାନାନ୍ତର ହେବାର କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ତେବେ ଏବେଠାରୁ ଏହି ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା କରିବା ସମ୍ଭବ ନୁହେଁ ବୋଲି ହକ୍‌ଲି ସ୍ପଷ୍ଟ କରିଦେଇଛନ୍ତି।

ଏକ କ୍ରିକେଟ୍ ୱେବସାଇଟ୍‌କୁ ସାକ୍ଷାତକାର ଦେଇ ସେ ଆହୁରି କହିଛନ୍ତି ଯେ ମେଲବର୍ନର ଅନେକ ସ୍ଥାନରେ ଏବେ ଲକଡାଉନ୍ ଓ ସଟଡାଉନ୍ ଚାଲିଛି। ସାଧାରଣ ଜନତାଙ୍କୁ ବହୁ କଟକଣା ଭିତରେ ଜୀବନ ଯାପନ କରିବାକୁ ପଡ଼ୁଛି। ଆମେ ଆଶା କରୁଛୁ ଯେ ଏସବୁ କଟକଣା ଖୁବଶୀଘ୍ର ହଟିଯିବ। କଟକଣା ଉଠିଗଲେ ମେଲବର୍ନରେ ବକ୍ଦିଂ ଡେ’ ଟେଷ୍ଟ୍ ଆୟୋଜନ ନେଇ କୌଣସି ଅସୁବିଧା ରହିବ ନାହିଁ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ବିସିସିଆଇ ସହ ଆଲୋଚନା ପରେ ନିଆଯିବ। ଅଷ୍ଟ୍ରେଲିଆ କ୍ରୀଡ଼ା କ୍ୟାଲେଣ୍ଡରରେ ବକ୍ସିଂ ଡେ’ ଟେଷ୍ଟ୍‌ର ଢେର ମହତ୍ବ ରହିଛି। ଏଣୁ ଏହାକୁ ମେଲବର୍ନରେ ରଖିବାକୁ ଆମେ ସବୁ ପ୍ରକାର ଚେଷ୍ଟା କରିବୁ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଶେଷ ଆଡ଼କୁ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ଚାରି ଟିକିଆ ଶୃଙ୍ଖଳା ଖେଳିବାର ଅଛି। ବକ୍ସିଂ ଡେ’ ଟେଷ୍ଟ୍ ସାଧାରଣତଃ ଡିସେମ୍ବର ୨୬ରୁ ଆରମ୍ଭ ‌ହୋଇ ୩୦ରେ ଶେଷ ‌ହୋଇଥାଏ। ଏହି ଧାରା ୧୯୫୦ ମସିହାରୁ ଆରମ୍ଭ ହୋଇଥିଲା ବେଳେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଏମସିଜିରେ ଭ୍ରମଣକାରୀ ଦଳ ବିପକ୍ଷରେ ଏହି ମୁକାବିଲା ଖେଳିଥାଏ।

ସମ୍ବନ୍ଧିତ ଖବର