ମଣିପୁର ମଣି

ଭୁବନେଶ୍ବରରେ ବିଶ୍ବକପ୍ ଖେଳିବାକୁ ଯାଉଥିବା ୧୮ ଜଣିଆ ଭାରତୀୟ ଦଳରେ ମଣିପୁରର ତିନି ଜଣ ଖେଳାଳି ଚିଙ୍ଗଲାସନା ସିଂହ, ନୀଳକଣ୍ଠ ଶର୍ମା ଓ ‌କୋଠାଜିତ ସିଂହ ସ୍ଥାନ ପାଇଛନ୍ତି। ବିଭିନ୍ନ ଘାତ ପ୍ରତିଘାତ ଦୂର କରି ଏହି ତିନି ଜଣ ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତା ଖେଳିବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି। ଏପରିକି ଚିଙ୍ଗଲାସନା ଭାରତୀୟ ଦଳର ଉପ ଅଧିନାୟକ ପଦରେ ରହିଛନ୍ତି। ନୀଳକଣ୍ଠ ଓ କୋଠାଜିତ ମଧ୍ୟକ୍ରମ ଏବଂ ରକ୍ଷଣଭାଗ ଦାୟିତ୍ବରେ ରହିବେ। ବ୍ୟକ୍ତିଗତ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଚିଙ୍ଗଲାସନା ଏକ ମାଇଲଖୁଣ୍ଟ ଛୁଇଁବେ। ଏହି ମ୍ୟାଚ୍‌ ତାଙ୍କ ଖେଳ ଜୀବନର ୨୦୦ତମ ମ୍ୟାଚ୍ ହେବ। ମଣିପୁରରେ କଙ୍ଗଜେଇ ନାମକ ଏକ ଖେଳ ଖେଳା ଯାଉଥିଲା ବେଳେ ଏହାର ଢେର ସାମଜ୍ଞସ୍ୟ ହକି ସହ ରହିଛି। ଏହି ଖେଳ ପାଇଁ ମଣିପୁର ଖେଳାଳି ହକି ପ୍ରତି ଅଧିକ ଆକର୍ଷିତ ହୁଅନ୍ତି। କୋଠାଜିତଙ୍କ ତିନି ଭାଇ ଧନେଶ୍ବର, ରିନେକୁମାର ଓ ଜୟନ୍ତ ମଧ୍ୟ ହକି ଖେଳନ୍ତି। ଗତବର୍ଷ ଭାରତୀୟ ଦଳରେ ସ୍ଥାନ ପାଇଥିବା ନୀଳକଣ୍ଠ ପିଲାବେଳୁ ହକି ଖେଳିବାର ସ୍ବପ୍ନ ଦେଖିଥିଲେ। ଏହି ସ୍ବପ୍ନ ତାଙ୍କର ବିଶ୍ବକପ୍ ପାଇଁ ଆହୁରି ସ୍ବତନ୍ତ୍ର ହୋଇ ଯାଇଛି। ୨୬ ବର୍ଷୀୟ କୋଥାଜିତ ୧୮୬ ମ୍ୟାଚ୍‌ରେ ଭାରତର ପ୍ରତିନଧିତ୍ବ କରି ସାରିଛନ୍ତି। ଭାରତୀୟ ରକ୍ଷଣଭାଗର ସେ ଅନ୍ୟତମ ପ୍ରମୁଖ ସଦସ୍ୟ। ମଧ୍ୟକ୍ରମରେ ଖେଳୁଥିବା ସମବୟସ୍କ ଚିଙ୍ଗଲାସନା ୧୯୯ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି। ମଧ୍ୟଭାଗରେ ଖେଳୁଥିବା ୨୩ ବର୍ଷୀୟ ନୀଳକଣ୍ଠ ଭାରତ ପକ୍ଷରୁ ୨୫ ମ୍ୟାଚ୍ ଖେଳିଛନ୍ତି। ଏମାନଙ୍କ ସହ ମଣିପୁରରୁ ନିଳକମଲ ସିଂହ, ଥୋଇବା ସିଂହ, ତିଙ୍ଗୋଙ୍ଗଲେମିଆ ଦେବୀ ଓ ସୁଜାତା ଦେବୀ ଭଳି ଖେଳାଳି ସୃଷ୍ଟି ହୋଇଛନ୍ତି।

ସମ୍ବନ୍ଧିତ ଖବର