ଭିମ୍‌ସାର୍‌ରେ ତଦନ୍ତ କମିଟିର ତନାଘନା : ନିର୍ଦେଶକଙ୍କୁ ୫ ଘଣ୍ଟା ଧରି ପଚରାଉଚୁରା, ପକ୍ଷ ରଖିଲେ କନିଷ୍ଠ ଡାକ୍ତର, ସଂଗଠନ

ସମ୍ବଲପୁର : ଭିମ୍‌ସାର୍‌ ନିର୍ଦ୍ଦେଶକ ଡା. ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ କନିଷ୍ଠ ଡାକ୍ତରମାନେ ଆଣିଥିବା ଅଭିଯୋଗ ଉପରେ ସୋମବାର ତଦନ୍ତ ଆରମ୍ଭ ହୋଇଛି। ଅତିରିକ୍ତ ସଚିବ ଶରତ ଚନ୍ଦ୍ର ମିଶ୍ର, ବିଭୂତି ଭୂଷଣ ଦାସ, ସ୍ବାସ୍ଥ୍ୟ ସେବା ନିର୍ଦେଶକ ଡା. ହର ପ୍ରସାଦ ପଟ୍ଟନାୟକ ଏବଂ ମେଡିକାଲ ଶିକ୍ଷା ଓ ତାଲିମର ଯୁଗ୍ମ ନିର୍ଦେଶକ ଡା. ଉମାକାନ୍ତ ଶତପଥୀଙ୍କୁ ନେଇ ଗଠିତ ୪ ଜଣିଆ କମିଟି ବିଭିନ୍ନ ପକ୍ଷଙ୍କୁ ତୁହାକୁତୁହା ପଚରାଉଚୁରା କରିଛନ୍ତି। ଦିନ ୧୦ଟାରୁ ଏହି ତଦନ୍ତକାରୀ କମିଟି ଭିମ୍‌ସାରର ମେଟୁ ହଲ୍‌ରେ ବସି ବିଭିନ୍ନ ପକ୍ଷଙ୍କୁ ଶୁଣିଥିଲେ। ନିରବିଚ୍ଛିନ୍ନ ଭାବେ ପ୍ରାୟ ୧୨ ଘଣ୍ଟା ଧରି ତନାଘନା ଚାଲିଥିଲା।

ଦିନ ୧୦ଟା ୩୦ରେ ପ୍ରଥମେ ଅଭିଯୋଗକାରୀ କନିଷ୍ଠ ଡାକ୍ତର ସଂଘର ପ୍ରତିନିଧିଙ୍କୁ ଡାକରା ହୋଇଥିଲା। ଜେଡିଏ ସଭାପତି ଡା. ଦେବବ୍ରତ ରାୟ, ଉପସଭାପତି ଡା. ହିମାଂଶୁ ମିଶ୍ର ଏବଂ ଡା. ସଦାନନ୍ଦ ରାଉତ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ସେମାନେ ନିଜ ଯୁକ୍ତିର ପ୍ରମାଣ ସ୍ବରୂପ ୩୦ ପୃଷ୍ଟା ବିଶିଷ୍ଟ ଲେଖା ପ୍ରଦାନ କରିଥିବା ଜଣାପଡ଼ିଛି। ସେମାନେ ନିର୍ଦ୍ଦେଶକଙ୍କ ବିରୋଧରେ ଚିକିତ୍ସା ବେଳେ ଲୁଣର ପ୍ରୟୋଗ ଅଭିଯୋଗକୁ ମୁଖ୍ୟ ଆୟୂଧ କରିଥିବାବେଳେ ଜଣେ ରୋଗୀଙ୍କ ଚୁଟି କଟା, ଏକଚ୍ଛତ୍ରବାଦୀ ଶାସନ, ୨ କୋଟି ଟଙ୍କାର ଦୁର୍ନୀତି ଆଦି ଅଭିଯୋଗ ଆଣିଥିବା ଜଣାପଡ଼ିଛି। ଚୁଟି କଟା ଓ ଲୁଣ ପ୍ରୟୋଗର ଫଟୋ ଓ ଭିଡିଓ ଆଦି ପ୍ରଦାନ କରିଛନ୍ତି। ସେମାନେ ତଦନ୍ତ ପ୍ରକୋଷ୍ଠରୁ ବାହାରି ନଥିବାବେଳେ ଦିନ ୧୨ଟା ୩୦ରେ ଦ୍ବିତୀୟ ପକ୍ଷ ‘ଓମ୍‌ଟା’ର ସଭାପତି ପ୍ର. କୈଳାସ ଅଗ୍ରୱାଲଙ୍କୁ ଡକାଯାଇଥିଲା। ଭିମସାର୍‌ ପାଥୋଲଜି ବିଭାଗର ମୁଖ୍ୟ ପ୍ର. ଅଗ୍ରୱାଲ ମଧ୍ୟ ନିର୍ଦ୍ଦେଶକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ରଖିଥିଲେ।

ଅପରାହ୍‌ଣ ୩ଟାରେ ନିର୍ଦ୍ଦେଶକ ଡା. ପୂଜାହାରୀ ତଦନ୍ତକାରୀଙ୍କ ପ୍ରକୋଷ୍ଠକୁ ପଶିଥିଲେ। ତାଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ଘଣ୍ଟା ଧରି ମାରାଥନ ପଚରାଉଚୁରା କରାଯାଇଥିଲା। ୭ଟା ୫୦ରେ ସେ ବାହାରିଥିଲେ। ରାତି ୮ଟାରେ ମିଳିତ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଫୁଲ୍ଲ ହୋତା, ମହେନ୍ଦ୍ର ମିଶ୍ର, ଜୟଦେବ ବଗର୍ତୀ, ସଂଜୀବ ମିଶ୍ର, ସରୋଜ ଦାଶ ଏବଂ ସୁଧୀର ପୂଜାରୀ ନିଜ ପକ୍ଷ ରଖିବାକୁ ଯାଇଥିଲେ। ସେମାନେ ନିର୍ଦ୍ଦେଶକଙ୍କ ବିରୋଧରେ ଆଣିଥିବା ବିଭିନ୍ନ ଅଭିଯୋଗର ପ୍ରମାଣ ସ୍ବରୂପ କିଛି କାଗଜପତ୍ର, ଖବରକାଗଜ କ୍ଲିପିଂ, ଭିଡିଓ ଆଦି ଦେଇଥିବା ଜଣାପଡ଼ିଛି। ସେମାନଙ୍କ ସହ ପ୍ରାୟ ଅଧଘଣ୍ଟା ଆଲୋଚନା ପରେ ପୂର୍ବ ନିର୍ଧାରିତ ସୂଚୀରେ ନଥିଲେ ବି ବୁର୍ଲା ବିଜେଡିର ଟାଉନ୍‌ ସଭାପତି ଦେବାଶିଷ ନନ୍ଦ, ତରଣୀସେନ ଚାନ୍ଦ ଏବଂ ପ୍ରଦ୍ୟୁମ୍ନ ମିଶ୍ର ତଦନ୍ତକାରୀଙ୍କ ସମ୍ମୁଖରେ ପହଞ୍ଚିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ନିର୍ଦ୍ଦେଶକ ଏକଚ୍ଛତ୍ରବାଦୀ ଭଳି ବ୍ୟବହାର କରୁଛନ୍ତି। ନିଜ ସୀମା ଅତିକ୍ରମ କରୁଛନ୍ତି। ସେମାନେ ବାହାରିବା ପରେ ରାତି ୯ଟାରେ‌ ଜେଡିଏ ପ୍ରତିନିଧି ଏବଂ ନାଗରିକ କ୍ରିୟାନୁଷ୍ଠାନ ସମିତିର ସଦସ୍ୟମାନଙ୍କୁ ପୁଣି ମିଳିତଭାବେ ଦ୍ବିତୀୟ ପର୍ଯ୍ୟାୟରେ ଡକାଯାଇଥିଲା। ସେମାନଙ୍କ ପରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ରାତିରେ ନିର୍ଦ୍ଦେଶକଙ୍କୁ ପୁଣିଥରେ ଡକାଯାଇଥିଲା। ମିସନ୍‌ ଭିମସାର୍‌ ଓ ପଶ୍ଚିମାଞ୍ଚଳ ପିପୁଲ୍‌ସ ଫୋରମ୍‌ର କର୍ମକର୍ତ୍ତାମାନେ ମଧ୍ୟ ତଦନ୍ତକାରୀ ଦଳ ସମ୍ମୁଖରେ ନିଜ ପକ୍ଷ ରଖିବାକୁ ପହଞ୍ଚିଥିଲେ। ସେହିପରି ବୁର୍ଲା ନାଗରିକ କଲ୍ୟାଣ ସମିତି ଓ ଭିମସାର୍‌ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ତଦନ୍ତକାରୀ ଦଳଙ୍କୁ ଭେଟିବାକୁ ଯାଇଥିଲେ ବି ସେମାନଙ୍କୁ ସୁଯୋଗ ଦିଆଯାଇ ନଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର