ଆଇପିଏଲ୍ : ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୫ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନରେ  ପରାସ୍ତ କରିଛି। ଆଜିର ମ୍ୟାଚରେ ଟସ୍ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୦୮ ରନ୍‌ କରି ଦିଲ୍ଲୀ ଆଗରେ ୨୦୯ ରନର ବିଜୟ ଲକ୍ଷ୍ୟ ରଖିଥିଲା। ମାତ୍ର ଦିଲ୍ଲୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ୧୧୭ ରନରେ ସମସ୍ତ ଉଇକେଟ୍ ହରାଇ ପରାଜିତ ହୋଇଥିଲା।

ସ୍ଥାନୀୟ ଡ. ଡିଓ୍ଵାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚରେ  ଦିଲ୍ଲୀ ଦଳର କୌଣସି ବ୍ୟାଟସମ୍ୟାନ୍ ଭଲ ପ୍ରଦର୍ଶନ କରିପାରି ନଥିଲେ। ଦିଲ୍ଲୀ ପକ୍ଷରୁ ମିଚେଲ୍ ମାର୍ସ ସର୍ବାଧିକ ୨୫ ରନ୍ କରିଥିବା ବେଳେ ଶାର୍ଦ୍ଦୁଲ ଠାକୁର ୨୪ ରନ୍ କରିଥିଲେ। ଅଧିନାୟକ ଋଷଭ ପନ୍ଥ ମାତ୍ର ୨୧ ରନ୍ କରି କ୍ରିଜରୁ ବିଦାୟ ନେଇଥିଲେ। ଚେନ୍ନାଇ ପକ୍ଷରୁ ମୋଇନ୍ ଅଲ୍ଲୀ ସର୍ବାଧିକ ୩ ଉଇକେଟ୍ ନେଇଥିବା ବେଳେ ବ୍ରାଭୋ, ସିମରଜିତ୍ ସିଂ, ମୁକେଶ ଚୌଧୁରୀଙ୍କୁ ୨ଟି ଲେଖାଏଁ ଉଇକେଟ୍ ମିଳିଥିଲା।

ଚେନ୍ନାଇର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ୱାର୍ଡ ଓ ଡେଓ୍ଵନ କନ୍‌ୱେ। ଋତୁରାଜ ଆଉଟ୍‌ ହେବା ପୂର୍ବରୁ କନ୍‌ୱେଙ୍କ ସହିତ ପ୍ରଥମ ଓ୍ଵିକେଟ୍‌ ପାଇଁ ୧୧୦ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ସେ ୩୩ଟି ବଲ୍‌ର ସମ୍ମୁଖୀନ ହୋଇ ୪୧ ରନ୍‌ କରିଥିଲେ। ଏଥିରେ ୪ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ଚେନ୍ନାଇ ପାଇଁ ଡେଓ୍ଵନ୍‌ କନ୍‌ୱେ ସର୍ବାଧିକ ରନ୍‌ କରିଥିଲେ। ସେ ୪୯ଟି ବଲ୍‌ ସାମ୍ନା କରିଥିଲେ। ଏଥିରୁ ସେ ୭ ଟି ଚୌକା ଓ ୫ଟି ଛକା ବଳରେ ୮୭ ରନ୍‌ ସଂଗ୍ରହ କରିଥିଲେ। ଶିଭମ ଦୁବେ ୧୯ଟି ବଲ୍‌ ଖେଳି ୨ଟି ଚୌକା ଓ ୨ଟି ଛକା ବଳରେ ୩୨ ରନ୍‌ କରିଥିଲେ। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୨୧ ରନ୍‌ କରିଥିଲେ। ଧୋନି ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ। ଦିଲ୍ଲୀ ପକ୍ଷରୁ ଅନ୍‌ରିଜ୍‌ ନୋର୍ଟଜେ ସର୍ବାଧିକ ୩ଟି ଓ୍ଵିକେଟ୍‌ ନେଇଥିଲେ। ଖଲିଲ ଅହମଦ୍‌ ୨ଟି ଓ ମିଚେଲ୍‌ ମାର୍ସ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର