ବର୍ଣ୍ଣବୈଷମ୍ୟ ବିବାଦ ଘନେଇଲା : ମୁହଁ ଖୋଲିଲେ ବ୍ରାଭୋ; ସାମିଙ୍କୁ ପୁଣି ସମର୍ଥନ କଲେ ଗେଲ୍

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ କ୍ରି‌କେଟ୍ ଦଳର ପୂର୍ବତନ ଅଧିନାୟକ ଡାରେନ ସାମି ୬ ବର୍ଷ ତଳେ ଆଇପିଏଲ୍‌ରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ଅଭିଯୋଗ ଆଣି କ୍ରିକେଟ୍ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଏବେ ଏହି ବିବାଦ କ୍ରମଶଃ ଘନେଇବାରେ ଲାଗିଛି। ସାମିଙ୍କୁ ଇଣ୍ଡିଜ୍ ଦଳର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ପୁଣି ଥରେ ସମର୍ଥନର ହାତ ବଢ଼ାଇଛନ୍ତି। ସେପଟେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡ୍ବେନ୍ ବ୍ରାଭୋ। ବ୍ରାଭୋ ସଂପ୍ରତି ସାରା ବିଶ୍ବରେ ଚାଲିଥିବା ଜାତିଆଣ ଭେଦଭାବ, ଅସମାନତା ଓ ରଙ୍ଗଭେଦକୁ ସମା‌ଲୋଚନା କରି କହିଛନ୍ତି ଯେ ଆମେ ସମାନତା ଚାହୁଁଛୁ, ପ୍ରତିଶୋଧ କିମ୍ବା ଯୁଦ୍ଧ ଚାହୁଁନୁ। ଆମେ କେବଳ ସମ୍ମାନ ଚାହୁଁଛୁ। ଜିମ୍ବାୱେର ପୂର୍ବତନ ଦ୍ରୁତ ବୋଲର ପମି ବାଙ୍ଗୱାଙ୍କ ସହ ଅନଲାଇନ୍‌ରେ କଥା ହେଲା ବେଳେ ସଂପ୍ରତି ବିଶ୍ବରେ ଯାହା ଚାଲିଛି, ତାକୁ ଦେଖି ଦୁଃଖ ଲାଗୁଛି। ଜଣେ କୃଷ୍ଣକାୟ ବ୍ୟକ୍ତି ଭାବେ, କୃଷ୍ଣକାୟମାନେ କି କି କଟକଣା ଓ ଅତ୍ୟାଚାରର ସମ୍ମୁଖୀନ ହୋଇ ଆସିଛନ୍ତି, ସେ ବିଷୟ ଆମେ ଭଲଭାବରେ ଜାଣିଛୁ। ମୁଁ ଚାହେଁ ଆମ ଭାଇ ଭଉଣୀମା‌‌‌ନେ ହୃଦବୋଧ କରନ୍ତୁ ଯେ ଆମେ ସୁନ୍ଦର ଓ ସକ୍ଷମ। ନେଲସନ ମା‌ଣ୍ଡେଲା, ମହମ୍ମଦ ଅଲ୍ଲୀ ଓ ମାଇକେଲ ଜୋର୍ଡାନଙ୍କ ଭଳି ମହାନ ବ୍ୟକ୍ତିତ୍ବ ଏହା ପ୍ରମାଣ କରିସାରିଛନ୍ତି। ବହୁତ ହୋଇଗଲା, ଆଉ ନୁହେଁ। ସେପଟେ ପୂର୍ବରୁ ସାମିଙ୍କୁ ସମର୍ଥନ ଦେଇ ସାରିଥିବା ଗେଲ୍ ପୁଣି ଥରେ ଏହି ମାମଲାରେ ନିଜ ମତାମତ ରଖିଛନ୍ତି। ‘କୌଣସି ଭଲ କଥା ପାଇଁ ଲଢ଼େଇ ଆରମ୍ଭ କରିବା କେବେ ବି ବିଳମ୍ବିତ ହୋଇନଥାଏ’ ବୋଲି ସେ କହିଛନ୍ତି। ଗେଲ୍ ବୁଧବାର ଟ୍ବିଟ୍ କରିଛନ୍ତି ଯେ କୌଣସି ଭଲ କଥା ପାଇଁ କିମ୍ବା ବର୍ଷ ବର୍ଷ ଧରି ଆପଣ କରିଥିବା ଅଭିଜ୍ଞତା ଲାଗି ଲଢ଼େଇ କରିବା ପାଇଁ କୌଣସି ସମୟ ନିର୍ଘଣ୍ଟ ନଥାଏ। ଏହା କେବେ ବି ବିଳମ୍ବିତ ହୋଇନଥାଏ। ସେହିଭଳି ସେ ମଧ୍ୟ ନିଜ ଖେଳ ସମୟ ମଧ୍ୟରେ ଅନେକ ଥର ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ଗେଲ୍ ମତ ଦେଇଛନ୍ତି। କ୍ରିକେଟ୍‌ରୁ ତୁରନ୍ତ ଏହା ଦୂର ହେବା ଉଚିତ ବୋଲି ଗେଲ୍ ଦାବି କରିଛନ୍ତି। ମଙ୍ଗଳବାର ଏକ ଭିଡିଓ ଜାରି କରି ୨୦୧୩-୧୪ ଋତୁରେ ଆଇପିଏଲ୍‌ ଦଳ ସନରାଇଜର୍ସ ହାଇଦ୍ରାବାଦରୁ ଖେଳୁଥିଲା ବେଳେ କେଉଁ ଖେଳାଳିମାନେ ତାଙ୍କୁ ‘କାଳୁ’ ବୋଲି ଡାକୁଥିଲେ, ତାର ପର୍ଦାଫାସ କରିବାକୁ ସାମି ଧମକ ଦେଇଥିଲେ। ହେଲେ ସାମିଙ୍କ ଏହି ଅଭିଯୋଗକୁ ତାଙ୍କ ସନରାଇଜର୍ସ ସାଥୀ ଇର୍ଫାନ ପଠାନ, ଭେନୁଗୋପାଳ ରାଓ ଏବଂ ଓଡ଼ିଆ ତାରକା ବିପ୍ଳବ ସାମନ୍ତରାୟ ମଧ୍ୟ ଖଣ୍ଡନ କରିଥିଲେ। ବିପ୍ଳବ ମଧ୍ୟ ସନ୍‌ରାଇଜର୍ସ ପକ୍ଷରୁ ଆଇପିଏଲ୍ ଖେଳି ସାରିଛନ୍ତି।

ଇଂଲଣ୍ଡରେ ମୋତେ ‘ପାକି’ ଡାକୁଥିଲେ
‘କାଳୁ’ ଡାକ ପାଇଁ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ଅଭିଯୋଗ ସାମି ଆଣିବା ପରେ ଇଂଲଣ୍ଡରେ ଏକଦା ସେ ମଧ୍ୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲେ ବୋଲି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆକାଶା ଚୋପ୍ରା କହିଛନ୍ତି। ୨୦୦୭ ମସିହାରେ ଇଂଲଣ୍ଡର ପ୍ରସିଦ୍ଧ ଏମ୍‌ସିସି କ୍ଲବ୍ ପକ୍ଷରୁ ଲିଗ୍ କ୍ରିକେଟ୍ ଖେଳୁଥିଲା ବେଳେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ଏବଂ ଗୋରା ଖେଳାଳିମାନେ ତାଙ୍କୁ ‘ପାକି’ ଡାକୁଥିଲେ ବୋଲି ଆକାଶ ଅଭିଯୋଗ କରିଛନ୍ତି। ଇଂଲିସ୍ ଭାଷାଭାଷୀ ଲୋକମାନେ ଦକ୍ଷିଣ ଏସୀୟ ଅଞ୍ଚଳର ଲୋକମାନଙ୍କୁ ସାଧାରଣତଃ ଏହି ନାମରେ ‌ସମ୍ବୋଧନ କରନ୍ତି। ଯାହା ରଙ୍ଗଭେଦଠାରୁ କିଛି କମ୍ ନୁହେଁ। ଆକାଶ ଏହି ବିଷୟ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ‘‘ ଆମେ (କ୍ରିକେଟରମାନେ) କେବେ ନା କେବେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛୁ। ମୋର ମନେ ଅଛି, ମୁଁ ଯେତେବେଳେ ଇଂଲଣ୍ଡରେ କ୍ଲବ୍ କ୍ରିକେଟ୍ ଖେଳୁଥିଲି, ପ୍ରତିପକ୍ଷ ଦଳରେ ଦୁଇ ଜଣ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଥିଲେ। ଉଭୟ ଅନେକ ସମୟରେ ଗାଳିଗୁଲଜ ଓ ଅପମାନଜନକ କଥା କହୁଥିଲେ। ମୁଁ ନନ୍‌ଷ୍ଟ୍ରାଇକର ଥିଲେ ମଧ୍ୟ ସେମାନେ ମୋତେ ଛାଡ଼ୁ ନଥିଲେ। ସେମାନେ ନିୟମିତ ଭାବେ ମୋ‌ତେ ‘ପାକି’ ଡାକୁଥିଲେ। ଅନେକ ଲୋକ ଏବେ ଭାବିବେ ଯେ ‘ପାକି’ ମାନେ ପାକିସ୍ତାନୀଙ୍କୁ ବୁଝାଏ। ହେଲେ ଏହା ସତ ନୁହେଁ। ଯଦି ଆପଣଙ୍କ ଶରୀର ରଙ୍ଗ ଧୁଷର, ଯଦି ଆପଣ ଏସୀୟ ମହାଦେଶର, ତାହାଲେ ଏହି ଶବ୍ଦ ଆପଣଙ୍କୁ ନୀଚ ଦେଖାଇବା ଲାଗି ବ୍ୟବହାର କରାଯାଏ। ସେତେବେଳେ ଅବଶ୍ୟ ‌ମୋ ଦଳ ମୋତେ ପୂର୍ଣ୍ଣ ସମର୍ଥନ କରିଥିଲା। ଯଦିବି ଆପଣ ଗୋରା ଚମର ଅଧିକାରୀ ‌ହୋଇଥାଆନ୍ତି, ତାହାଲେ ମଧ୍ୟ ଏଭଳି ଘଟଣା ଘଟିଥାଏ। ସେମାନେ ମଧ୍ୟ ଏସିଆ ମହାଦେଶକୁ ଆସିଲେ, ଏମିତି ଘଟଣାର ସମ୍ମୁଖୀନ ହୁଅନ୍ତି’’ ବୋଲି ଆକାଶ କହିଛନ୍ତି।

ବର୍ଣ୍ଣବୈଷମ୍ୟ କେବଳ ଶରୀର ରଙ୍ଗରେ ସୀମିତ ନୁହେଁ: ପଠାନ
କୃଷ୍ଣକାୟ ଆମେରିକୀୟ ନାଗରିକ ଜର୍ଜ ଫ୍ଲଏଡ୍ ପୁଲିସ ବର୍ବରତାରେ ପ୍ରାଣ ହରାଇବା ପରେ ସମଗ୍ର ବିଶ୍ବରେ ବର୍ଣ୍ଣବୈଷମ୍ୟକୁ ନେଇ ତର୍କ ବିତର୍କ, ବିରୋଧ ଓ ବି‌କ୍ଷୋଭ ପ୍ରଦର୍ଶନ ଚାଲିଛି। ଏହି ପ୍ରସଙ୍ଗକୁ ନେଇ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ମୁହଁ ଖୋଲିଛନ୍ତି। ‘‘ବର୍ଣ୍ଣବୈଷମ୍ୟ କେବଳ ଶରୀର ରଙ୍ଗରେ ସୀମିତ ନଥାଏ। ଧାର୍ମିକ ଭାବନା ପାଇଁ କାହାକୁ ଏକ ନିର୍ଦିଷ୍ଟ ସୋସାଇଟିରେ ଘର କିଣିବାର ସୁଯୋଗ ନଦେବା ମଧ୍ୟ ଏହାର ଅନ୍ତର୍ଭୁକ୍ତ’’ ବୋଲି ପଠାନ ଟ୍ବିଟ୍ କରିଛନ୍ତି। ଏହା କରି ମୁସଲିମ ଧର୍ମାବଲମ୍ବୀ ହୋଇଥିବାରୁ ଘର କିଣିଲା ବେଳେ ବ୍ୟକ୍ତିଗତ ଭାବେ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା କଥା ଜଣାଇ ଦେବାକୁ ଚାହିଁଛନ୍ତି ଇର୍ଫାନ୍‌। ‌ତେବେ ପୂର୍ବରୁ ସାମି ଆଇପିଏଲ୍‌ରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିସାରିଛନ୍ତି।

ସମ୍ବନ୍ଧିତ ଖବର