ପ୍ୟାରିସ: ଅନ୍ତର୍ଜାତୀୟ ଟେନିସ୍ ମହାସଂଘ (ଆଇଟିଏଫ୍) ବହୁରାଷ୍ଟ୍ରୀୟ ଟେନିସ୍ ପ୍ରତିଯୋଗିତା ‘ଡେଭିସ୍ କପ୍’ର ପୁନର୍ଗଠନ ପାଇଁ ସଜବାଜ ହେଉଥିଲା ବେଳେ ଏହାକୁ ନେଇ ଭାରତୀୟ ଟେନିସ୍ ବିଭାଜିତ ହୋଇଛି। ଗୋଟିଏ ଗୋଷ୍ଠୀ ଆଇଟିଏଫ୍ର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ହେଲେ ଅନ୍ୟମାନେ ଏହାର ବିରୋଧ କରିଛନ୍ତି। କିମ୍ବଦନ୍ତୀ ତାରକା ମହେଶ ଭୂପତି ଡେଭିସ୍ କପ୍ର ଘରୋଇ ଏବଂ ବାହାରେ ଖେଳିବା ପଦ୍ଧତିକୁ ଉଚ୍ଛେଦ କରାଯିବାକୁ ସମର୍ଥନ କରି ନାହାନ୍ତି। ଅନ୍ୟ ପକ୍ଷରେ ଦେଶର ଏକ ନମ୍ବର ଏକକ ଖେଳାଳି ୟୁକି ଭାମ୍ବ୍ରି ଡେଭିସ୍ କପ୍ ସ୍ଥାନରେ ବିଶ୍ୱକପ୍ ଭଳି ଏକ ପ୍ରତିଯୋଗିତା ଆୟୋଜନ କରିବାରେ ଅସୁବିଧା ନାହିଁ ବୋଲି ମତ ପୋଷଣ କରିଛନ୍ତି। ସଂପ୍ରତି ଡେଭିସ୍ କପ୍ ଆଞ୍ଚଳିକ ଭିତ୍ତିରେ ବିଭିନ୍ନ ଦେଶ ମଧ୍ୟରେ ଭିନ୍ନ ଭିନ୍ନ ସ୍ତରରେ ଖେଳା ଯାଉଛି। ଦଳଗୁଡ଼ିକୁ ଘରୋଇ ଏବଂ ବିଦେଶ ଭିତ୍ତିରେ ଭାଗ କରି ବିଜେତା ବଛା ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ ଏହା ବଦଳରେ ଏକ ୧୮ ଦଳୀୟ ଟେନିସ୍ ବିଶ୍ୱକପ୍ ଆୟୋଜନ କରିବାକୁ ଆଇଟିଏଫ୍ ଚିନ୍ତା କରୁଛି। ଏହି ପ୍ରତିଯୋଗିତା କିନ୍ତୁ ଗୋଟିଏ ସହରରେ ଖେଳାଯିବ। ପେସାଦାର ଟେନିସ୍ ଖେଳାଳି ସଂଘ (ଏଟିପି) ଏବଂ ମହିଳା ଟେନିସ୍ ସଂଘ (ଡବ୍ଲ୍ୟୁଟିଏ) ସହ ମିଶି ଆଇଟିଏଫ୍ ବିଶ୍ୱକପର ଆୟୋଜନ କରିବ। ଏଥିନେଇ ମହାସଂଘ କସମସ୍ ନାମକ ଏକ ନିବେଶକାରୀ ସଂସ୍ଥା ସହ ଚୁକ୍ତି କରି ସାରିଛି। ଏହି ଯୋଜନାକୁ ଆଇଟିଏଫର ନିର୍ଦେଶକ ମଣ୍ଡଳି ମଧ୍ୟ ମଞ୍ଜୁରୀ ଦେଇ ସାରିଛି। ହେଲେ ଭୂପତି କହିଛନ୍ତି ଯେ ଡେଭିସ୍ କପ୍ ଗୁଣସୂତ୍ର ବା ଡିଏନ୍ଏରେ ଘରେ ଏବଂ ବାହାରେ ଖେଳିବା ଅଛି। ଏହା ହିଁ ଏହି ପ୍ରତିଯୋଗିତାକୁ ଅଧିକ ରୋମାଞ୍ଚକର କରିଥାଏ। ଅନ୍ୟ ପକ୍ଷରେ ୟୁକି କହିଛନ୍ତି ଯେ ବିଶ୍ୱକପ୍ ହେଲେ ଅସୁବିଧା ନାହିଁ। ଘରୋଇ ଓ ବିଦେଶ ଭିତ୍ତିିକୁ ଉଚ୍ଛେଦ କରାଗଲେ ଏଥିନେଇ କାହାର କିଛି ସମସ୍ୟା ରହିବ ବୋଲି ମୁଁ ଭାବୁନାହିଁ।