ଦିବାରାତ୍ର ଲଢ଼େଇ ଦୁଇ ଦିନରେ ଶେଷ, ୧୦ ୱିକେଟ୍ ବିଜୟ ସହ ଭାରତ ୨-୧ରେ ଆଗୁଆ

ଅଶ୍ବିନ, ଅକ୍ଷର ସ୍ପିନ୍‌ରେ ଘାଇଲା ହେଲା ଇଂଲଣ୍ଡ, ୫ ଅଧିବେଶନରେ ୩୦ ୱିକେଟ୍‌ର ପତନ

ମୋଟେରା: ବିଶ୍ବର ସବର୍ବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଭାରତ ନିଜ ଗୋଲାପି ବଲ୍ ଇତିହାସର ସବୁଠୁ ବଡ଼ ବିଜୟ ହାସଲ କରିଛି। ସ୍ଥାନୀୟ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦିବାରାତ୍ର ଗୋଲାପି ବଲ୍ ଟେଷ୍ଟ୍‌କୁ ମାତ୍ର ‌ଦୁଇ ଦିନ ଭିତରେ ୧୦ ୱିକେଟ୍‌ରେ ଜିତି ନେଇଛି କୋହଲି ବାହିନୀ। ଫଳରେ ଗୋଲାପି ବଲ୍ ଟେଷ୍ଟ୍‌ରେ ଘରୋଇ ମାଟିରେ ଶତପ୍ରତିଶତ ସଫଳତା ଜାରି ରଖିଛି। ଭାରତରେ ପ୍ରଥମ ଥର ପାଇଁ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୧୯ ମସିହାରେ ଦିବାରାତ୍ର ଭିତ୍ତିରେ ଖେଳା ଯାଉଥିବା ଗୋଲାପି ବଲ୍ ଟେଷ୍ଟ୍ ପଦାର୍ପଣ କରିଥିଲା। ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ‌ସେହି ମ୍ୟାଚ୍‌କୁ ଅଢ଼େଇ ଦିନ ଭିତରେ ଜିତି ନେଇଥିଲା ଭାରତ। ପାଳି ବିଜୟ ହାସଲ କରି ଅଜଣା ଫର୍ମାଟ୍‌ର ଅଭିଯାନ ସଫଳତାର ସହ ଆରମ୍ଭ କରିଥିଲା। ମୋଟେରାରେ ସେହି ଧାରାକୁ ଆଗେଇ ନେଇ ଆଉ ଏକ ଆଧିପତ୍ୟଭରା ବିଜୟ ପାଇଛି ଟିମ୍ ଇଣ୍ଡିଆ। ତେବେ କୋଭିଡ୍ ସଙ୍କଟ ପରେ ଏବଂ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଗୋଲାପି ବଲ୍ ଟେଷ୍ଟ୍‌ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବା ଆଶାରେ ଥିବା କ୍ରିକେଟ୍‌ପ୍ରେମୀ ନିରାଶ ହୋଇଛନ୍ତି।

ମ୍ୟାଚ୍ ପାଞ୍ଚ ଅଧିବେଶନରୁ କିଛି ଅଧିକ ସମୟରେ ଶେଷ ହୋଇଯିବା ସେମାନଙ୍କ ଉତ୍କଣ୍ଠା ଓ ଉତ୍ସାହକୁ ଟିକିଏ କମାଇ ଦେଇଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ପିନର ପ୍ରଧାନ୍ୟ ବିସ୍ତାର କରିଥିବା ଏହି ମ୍ୟାଚ୍‌କୁ ଜିତି ଭାରତୀୟ କ୍ରିକେଟ୍ ଦଳ କିନ୍ତୁ ଚାରି ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଯାଇଛି। ତା’ ସହ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବାର ଦ୍ବାର ଦେଶରେ ପହଞ୍ଚିଯାଇଛି। ତେବେ ମ୍ୟାଚ୍ ମାତ୍ର ୧୪୦.୨ ଓଭର ଭିତରେ ଶେଷ ହେବା ପରେ ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ପିଚ୍‌ର ମାନକୁ ନେଇ ନାନା ପ୍ରଶ୍ନ ଉଠିଛି। ଗୋଲାପି ବଲ୍ ସହ ଅସ୍ବାଭାବିକ ଟର୍ନ ନେଉଥିବା ଏହି ପିଚ୍‌ରେ ଇଂଲଣ୍ଡ ଟସ୍ ଜିତିଥିଲେ ମଧ୍ୟ ପ୍ରଥମ ପାଳିରେ ୪୮.୪ ଓଭର ଖେଳି ୧୧୨ ରନ୍ କରିପାରିଥିଲା। ଭାରତୀୟ ଦଳ ମଧ୍ୟ ଅନୁରୂପ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୩.୨ ଓଭରରେ ୧୪୫ ରନ୍ କରି ମାତ୍ର ୩୩ ରନ୍‌ର ଅଗ୍ରଣୀ ପାଇଥିଲା। ଦ୍ବିତୀୟ ପାଳିରେ ଇଂଲଣ୍ଡ ପୁଣି ଥରେ ଅପ୍ରତ୍ୟାଶିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୮୧ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ୪୯ ରନ୍‌ର ଲକ୍ଷ୍ୟକୁ ଭାରତ ୭.୪ ଓଭରରେ କୌଣସି ୱିକେଟ୍ ନହରାଇ ହାସଲ କରି ନେଇଥିଲା। ଅନ୍ୟସବୁ ଖେଳାଳିଙ୍କ ପାଇଁ ବଲ୍‌କୁ ଛୁଇଁବା କଷ୍ଟକର ହେଉଥିଲା ବେଳେ ଭାରତର ପ୍ରଥମ ପାଳିରେ ଖେଳ ଜୀବନର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ଗୋଟିଏ ଓଭରରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରି ହିଟ୍ ମ୍ୟାନ୍ ରୋହିତ ଶର୍ମା ଭାରତ ବିଜୟରେ ମୁଣ୍ଡି ମାରିଥିଲେ।

ପ୍ରଥମ ପାଳିରେ ୩୮ ରନ୍ ଦେଇ ୬ ଏବଂ ଦ୍ବିତୀୟରେ ୩୨ ରନ୍ ଦେଇ ୫ ୱି‌କେଟ୍ ନେଇଥିବା ଅକ୍ଷର ପଟେଲ ନିଜ ଦ୍ବିତୀୟ ଟେଷ୍ଟ୍‌ରେ ପ୍ରଥମ ମ୍ୟାଚ୍ ଶ୍ରେଷ୍ଠ ପୁରସ୍କାର ଲାଭ କରିଥିଲେ। ଏହି ସ୍ଥାନୀୟ ତାରକାଙ୍କ ଚମକ ଷ୍ଟାଡିୟମ୍ ଦର୍ଶକଙ୍କୁ ଅଧିକ ଖୁସୀ ଦେଇଥିଲା‌। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପି ଘରୋଇ ବିଜୟରେ ଭାରତର ସଫଳତମ ଅଧିନାୟକ ହୋଇଛନ୍ତି। ତାଙ୍କ ନେତୃତ୍ବରେ ଭାରତ ଘରୋଇ ମାଟିରେ ଏବେ ୨୨ ବିଜୟ ପାଇଛି। ଧୋନି ୨୧ଟି ମ୍ୟାଚ୍‌ରେ ଭାରତକୁ ଜିତାଇଥିଲେ। ତେବେ ଏହି ମ୍ୟାଚ୍‌ରେ ଉଭୟ ଦଳର ବ୍ୟାଟ୍ସମ୍ୟାନ୍ ଅତ୍ୟନ୍ତ ନିମ୍ନ ମାନର କ୍ରିକେଟ୍ ଖେଳିଲେ ବୋଲି ମ୍ୟାଚ୍ ପରବର୍ତ୍ତୀ ସମ୍ମିଳନୀରେ କୋହଲି ସ୍ବୀକାର କରିଥିଲେ। ଆର ଅଶ୍ବିନଙ୍କ ୪୦୦ ୱିକେଟ୍ ପୂରଣ, ଈଶାନ୍ତ ଶର୍ମାଙ୍କ ଶତକୀୟ ଟେଷ୍ଟ୍ ଏବଂ ଭାରତ ଦୁଇ ଦିନ ଭିତରେ ମ୍ୟାଚ୍ ଜିତିବା ରେକର୍ଡ ସହ ସମକକ୍ଷ ହେବା, ୫ ଅଧିବେଶନରେ ପତନ ହୋଇଥିବା ୩୦ ୱିକେଟ୍ ଭିତରୁ ୨୮ଟି ସ୍ପିନର ନେବା ପାଇଁ ଅହମ୍ମଦାବାଦ ଟେଷ୍ଟ୍ ଅବିସ୍ମରଣୀୟ ହୋଇଛି। ସୂଚନାଯୋଗ୍ୟ, ଭାରତ ଏପର୍ଯ୍ୟନ୍ତ ୩ଟି ଗୋଲାପି ବଲ୍‌ ଟେଷ୍ଟ୍‌ ଖେଳିଥିଲା ବେଳେ ବିଦେଶ ମାଟିରେ ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଥିଲା।

ଘରୋଇ ବିଜୟରେ ଧୋନିଙ୍କୁ ଟପିଲେ କୋହଲି
ଚର୍ଚାରେ ମୋଟେରାର ମୋଦି ଷ୍ଟାଡିୟମ୍ ପିଚ୍

ଦୁଇ ଦିନ ଭିତରେ ଫଳାଫଳ: ୧୮୮୨ରେ ପ୍ରଥମ

ଭାରତ ଦୁଇ ଦିନ ଭିତରେ ଟେଷ୍ଟ୍ ମ୍ୟାଚ୍ ଜିତିବା ପରେ ମୋଟେରା ପିଚ୍‌କୁ ନେଇ ନାନାପ୍ରକାର ଚର୍ଚା ହେଉଥିଲେ ମଧ୍ୟ କୌଣସି ଟେଷ୍ଟ୍ ମ୍ୟାଚ୍ ଦୁଇ ଦିନ ଭିତରେ ଶେଷ ହେବା ପ୍ରଥମ ଥର ପାଇଁ ୧୩୯ ବର୍ଷ ତଳେ ଘଟିଥିଲା। ୧୮୮୨ ମସିହାରେ ଦି ଓଭାଲଠାରେ ଖେଳା ଯାଇଥିବା ଟେଷ୍ଟ୍ ମ୍ୟାଚ୍‌ରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ଦୁଇ ଦିନ ଭିତରେ ପରାସ୍ତ କରିଥିଲା। ଭାରତ ଏବେ ଏହି କୀର୍ତ୍ତିମାନର ସମକକ୍ଷ ହୋଇଛି। ଅଷ୍ଟାଦଶ ଶତାବ୍ଦୀରେ କିନ୍ତୁ ଏଭଳି ୯ ଟେଷ୍ଟ୍ ଖେଳାଯାଇଥିଲା। ଊନ୍ନବିଂଶ ଶତାବ୍ଦୀରେ ଏହି ସଂଖ୍ୟା ୬କୁ କମି ଆସିଥିଲା। ବିଂଶ ଶତାବ୍ଦୀରେ ଏଭଳି ଏକ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଏକବିଂଶ ଶତାବ୍ଦୀରେ କିନ୍ତୁ କ୍ରମଶଃ ଏହି ଧାରା ବଢ଼ିବାରେ ଲାଗିଛି। ଗତ ୨୧ ବର୍ଷ ଭିତରେ ୭ଟି ଟେଷ୍ଟ୍ ଦୁଇ ଦିନରୁ କମ୍ ସମୟ ଭିତରେ ସରିଛି। ମୋଟ ଉପରେ ୨୨ତମ ଥର ପାଇଁ କୌଣସି ଟେଷ୍ଟ୍ ମ୍ୟାଚ୍‌ର ଫଳାଫଳା ଦୁଇ ଦିନ ଭିତରେ ମିଳିଛି। ଭାରତ କ୍ଷେତ୍ରରେ ଏହା ଦ୍ବିତୀୟ। ଭାରତୀୟ କ୍ରିକେଟ୍ ଦଳ ୨୦୧୮ ମସିହାରେ ବେଙ୍ଗାଲୁରୁଠାରେ ଆଫଗାନିସ୍ତାନକୁ ଦୁଇ ଦିନ ଭିତରେ ହରାଇଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଚତୁର୍ଥ ଥର ପାଇଁ କୌଣସି ଟେଷ୍ଟ୍‌କୁ ଦୁଇ ଦିନ ଭିତରେ ହାରିଛି।

ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଖେଳିଥିଲେ ସବୁଠୁ ଛୋଟ ଟେଷ୍ଟ୍

କ୍ରିକେଟ୍ ଇତିହାସର ସବୁଠୁ କମ୍ ଅବଧି ବିଶିଷ୍ଟ ଟେଷ୍ଟ୍ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୯୩୨ ମସିହା ଫେବ୍ରୁଆରି ୧୫ ତାରିଖରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ମାତ୍ର ୫ ଘଣ୍ଟା ୫୩ ମିନିଟ୍‌ରେ ଶେଷ ହୋଇ ଯାଇଥିଲା। ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଦକ୍ଷିଣ ଆଫ୍ରିକା ମେଲବର୍ଣ୍ଣରେ ଖେଳିଥିବା ପଞ୍ଚମ ଟେଷ୍ଟ୍‌ର ପ୍ରଥମ ପାଳିରେ ୨୩.୨ ଓଭର ଖେଳି ୩୬ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ପାଳିରେ ୫୪.୩ ଓଭର ଖେଳି ୧୫୩ ରନ୍ କରିଥିଲା। ଅଷ୍ଟ୍ରେଲିଆକୁ ପୁନର୍ବାର ବ୍ୟାଟିଂ ପାଇଁ ଡାକିବା ଲାଗି ଦକ୍ଷିଣ ଆଫ୍ରିକାକୁ ୧୧୭ ରନ୍ କରିବାର ଥିଲା। ହେଲେ ଏହି ଦଳର ଦ୍ବିତୀୟ ପାଳି ୩୧.୩ ଓଭରରେ ଶେଷ ହୋଇଯାଇଥିଲା। ଲଗାତାର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏହି ଦଳ ଦ୍ବିତୀୟ ପାଳିରେ କେବଳ ୪୫ ରନ୍ କରିପାରିଥିଲା। ଫଳରେ ଗୋଟିଏ ପାଳି ଓ ୭୨ ରନ୍‌ରେ ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ସେହି ଶୃଙ୍ଖଳାକୁ ୫-୦ରେ ଜିତି ନେଇଥିଲା।

ସମ୍ବନ୍ଧିତ ଖବର