ଦ୍ରାବିଡ ଦ୍ରୋଣ

ଖେଳ ସମୟରେ ନିଜ ଦାୟିତ୍ୱବାନ ବ୍ୟାଟିଂ ଏବଂ ପିଚ୍‌ରେ ଦୀର୍ଘ ସମୟ ରହିବାର ଦକ୍ଷତା ପାଇଁ ‘ଦି ଓ୍ଵାଲ’ ଉପାଧୀ ପାଇଥିବା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ପ୍ରଶିକ୍ଷକ ଭାବେ ମଧ୍ୟ ଐତିହାସିକ ସଫଳତା ସାଉଣ୍ଟିଛନ୍ତି। ପୃଥ୍ଵୀ ସ’ଙ୍କ ଦଳକୁ ନିଜ ହାତରେ ଗଢ଼ିଥିବା ଦ୍ରାବିଡଙ୍କ ବଳିଷ୍ଠ ମାର୍ଗଦର୍ଶନ ହିଁ ଭାରତକୁ ଚତୁର୍ଥ ବିଶ୍ୱକପ୍‌ ଦେଇଛି। ଏକାଧିକ ଲାଭକର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦ୍ରାବିଡ ଦୁଇ ବର୍ଷ ତଳେ କନିଷ୍ଠ ଦଳର ଦାୟିତ୍ୱ ନେଇଥିଲେ। ସେବେଠାରୁ ସେ ଏହି ଦଳକୁ ବିଶ୍ୱ ବିଜୟୀ କରାଇବା ଅଭିଯାନରେ ଲାଗିପଡ଼ିଥିଲା। ଗୁଣ ଚିହ୍ନେ ଗୁଣିଆ ଭଳି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଦ୍ରାବିଡ ନିଜ ହାତରେ ବାଛିିିଥିଲେ। ଦ୍ରୋଣାଚାର୍ଯ୍ୟ ଦ୍ରାବିଡଙ୍କ ପରାମର୍ଶକୁ ଦଳର ସମସ୍ତ ସଦସ୍ୟ ଏକଲବ୍ୟ ଭଳି ପାଳନ କରିଥିଲେ। ସେଥିପାଇଁ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ଦ୍ରାବିଡ ମଧ୍ୟ ବ୍ୟକ୍ତିିଗତ ଭାବେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ବିଜୟୀ ଦଳର ଅଂଶୀଦାର ହୋଇଥିଲେ। ୧୯୯୯, ୨୦୦୩, ୨୦୦୭ରେ ବିଶ୍ୱକପ୍‌ ଖେଳିଥିବା ଭାରତୀୟ ବରିଷ୍ଠ ଦଳର ସଦସ୍ୟ ଥିଲେ ମଧ୍ୟ ସେ ଆଗରୁ କେବେ ବି ବିଶ୍ୱକପ୍‌ ଜିତି ନଥିଲେ। ଭାରତ ବିଜୟ ପରେ ସେ ନିଜ ଉତ୍ସାହକୁ ମଧ୍ୟ ରୋକି ପାରି ନଥିଲେ। ଭାବବିହ୍ଵଳ କଣ୍ଠରେ ଦ୍ରାବିଡ କହିଥିଲେ ପିଲାଙ୍କ ପ୍ରଦର୍ଶନ ନେଇ ମୁଁ ବେଶ୍‌ ଗର୍ବିତ, ସେମାନେ ଯେଭଳି ସାହସ ଦେଖାଇଲେ ତାହା ପ୍ରଶଂସନୀୟ। ପିଲାମାନେ ବିଜୟର ହକ୍‌ଦାର ଥିଲେ।

ପୃଥ୍ଵୀଙ୍କ ବିଶ୍ୱବିଜୟ
ଫାଇନାଲରେ ବଡ଼ ପାଳି ଖେଳି ନଥିଲେ ମଧ୍ୟ ଭାରତୀୟ ଅଧିନାୟକ ପୃଥ୍ଵୀ ସ’ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ସର୍ବାଧିକ ରନ୍‌ ହାସଲକାରୀ ଅଧିନାୟକ ହୋଇଛନ୍ତି। ସେ ପୂର୍ବତନ ଭାରତୀୟ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କୁ ଟପିଛନ୍ତି। ପ୍ରତିଯୋଗିତାରେ ସ’ ୬୫.୨୫ ହାରରେ ୨୬୧ ରନ୍‌ କରିଛନ୍ତି। ନିଜ ସଫଳତାର ଶ୍ରେୟ ସେ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଦେଇଛନ୍ତି। ରାହୁଲ ସାର୍‌ଙ୍କ ପାଇଁ ଆମେ ଶୃଙ୍ଖଳିତ ହୋଇ ପାରିଛୁ। ତାଙ୍କ ପାଇଁ ହିଁ ଦଳକୁ ମଧ୍ୟ କୌଣସି ନକାରାତ୍ମକ ଚିନ୍ତାଧାରା ଛୁଇଁ ପାରି ନଥିଲା ବୋଲି ଶନିବାର ବିଜୟ ପରେ ଅବେଗପୂର୍ଣ୍ଣ କଣ୍ଠରେ ପୃଥ୍ଵୀ କହିଥିଲେ। ସେହିଭଳି ତାଙ୍କ ସଫଳତରେ ପିଲାବେଳର ପ୍ରଶିକ୍ଷକ ଜ୍ୱାଳା ସିଂହଙ୍କର ମଧ୍ୟ ବଳିଷ୍ଠ ଯୋଗଦାନ ରହିଥିବା ପୃଥ୍ଵୀ କହିଥିଲେ। ବିଜୟ ପରେ ନିଜ ପ୍ରଥମେ ନିଜ ପିତାଙ୍କ ସହ କଥା ହୋଇଥିବା ପୃଥ୍ଵୀ ଅନ୍ୟତମ ଭାରତୀୟ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ତଥା ସାଂପ୍ରତିକ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରେରଣା କରି ଏତେ ବାଟ ଆଗେଇ ଥିବା ମତ ରଖିଥିଲେ। ମହମ୍ମଦ କୈଫ, ବିରାଟ କୋହଲି, ଉନ୍ମୁକ୍ତ ଚାନ୍ଦଙ୍କ ପରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିବାରେ ସ’ ଚତୁର୍ଥ ଭାରତୀୟ ଅଧିନାୟକ ହୋଇଥିଲେ।

ସମ୍ବନ୍ଧିତ ଖବର