ଗାଏନା: ୱେଷ୍ଟଇଣ୍ଡିଜ୍ରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଅବସରରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପୁରୁଷ ଦଳ କୀର୍ତ୍ତିମାନର ସମକକ୍ଷ ହୋଇଛି। ଶନିବାର ଅଷ୍ଟ୍ରେଲିଆକୁ ହରାଇ ହର୍ମନ୍ପ୍ରୀତଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ଦଳ ଲିଗ୍ ପର୍ଯ୍ୟାୟରେ ଲଗାତାର ଚାରିଟି ବିଜୟ ହାସଲ କରିଛି। ଏହା କରି ହର୍ମନ୍ପ୍ରୀତଙ୍କ ଦଳ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ୨୦୧୫ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆୟୋଜିତ ପୁରୁଷ ବିଶ୍ବକପ୍ର ଲିଗ୍ ପର୍ଯ୍ୟାୟରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଭାରତୀୟ ପୁରୁଷ ଦଳ ହାସଲ କରିଥିବା ସଫଳତାକୁ ଛୁଇଁଛି। ଚଳିତ ବିଶ୍ବକପ୍ର ଗ୍ରୁପ୍-ବିରେ ସ୍ଥାନ ପାଇଥିବା ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ ଓ ଶେଷରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରି ନେଇଛି। ୫୦ ଓଭରିଆ କିମ୍ବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଲିଗ୍ ପର୍ଯ୍ୟାୟର ସମସ୍ତ ଚାରିଟି ମ୍ୟାଚ୍ ଜିତିବାରେ ହର୍ମନ୍ପ୍ରୀତଙ୍କ ଦଳ ତୃତୀୟ ଭାରତୀୟ ଦଳ ହୋଇଛି। ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ପୁରୁଷ ଦଳ ଲଗାତାର ୪ ଏବଂ ୨୦୧୫ ଦିନିକିଆ ବିଶ୍ବକପ୍ରେ ଲଗାତାର ୬ ବିଜୟ ହାସଲ କରିଥିଲା। ଭାରତ ଏହି ଦୁଇ ବିଶ୍ବକପ୍ରେ ଧୋନିଙ୍କ ନେତୃତ୍ବରେ ଖେଳିଥିଲା।