ଗୋଆରେ କୋଭିଡ୍ ‌‌‌ଯୋଦ୍ଧାଙ୍କ ସେବାରେ ଜର୍ମାନ ଖେଳାଳି

ନୂଆଦିଲ୍ଲୀ : ଖେଳାଳି ଭିତରେ ଥିବା ମଣିଷ ପଣିଆ ନିଶ୍ଚିତ ଭାବେ ଦୁର୍ଦିନରେ ବାହାରି ଆସିଥାଏ। ଏହାର ଏକ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ଭାରତରେ ରହୁଥିବା ଜଣେ ଜର୍ମାନ ହକି ଖେଳାଳି। ଜର୍ମାନିରେ କ୍ଲବ୍‌ସ୍ତରୀୟ ହ‌କି ଖେଳିଥିବା ଆନ୍ଦ୍ରିଆ ଥମଶିର୍ଣ୍ଣ ରାଜସ୍ଥାନରେ ନିଜ ‘ହକି ଭିଲେଜ୍ ଇଣ୍ଡିଆ’ ଅଭିଯାନରେ ନିନ୍ଦିତ ହେବା ପରେ ପୁଣେରେ ଚାକିରି କରିଥିଲେ। ସେଠାରେ ମଧ୍ୟ ଠିକ୍‌ଠାକ୍ ସବୁକିଛି ନ ଚାଲିବାରୁ ସେ ଏହାକୁ ଛାଡ଼ି ଏବେ ଗୋଆ ପଳାଇଛନ୍ତି। ସାମ୍ପ୍ରତିକ କୋଭିଡ୍‌ ପରିସ୍ଥିତିରେ କିନ୍ତୁ ସେ ଅପ୍ରତ୍ୟାଶିତ ନାୟିକା ପାଲଟିଛନ୍ତି। ସେଠାକାର ଏକ ଆଞ୍ଚଳିକ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ରୋଷେଇ କରୁଛନ୍ତି। ପ୍ରତିଟି ପ୍ୟାକେଟ୍‌ରେ ଲେଖି ଦେଉଛନ୍ତି ‘ହିରୋ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ’। ନିଜ ଭିତରୁ ଏଭଳି ପ୍ରବୃତ୍ତି ବାହାରିଥିବା ହସି ହସି କହିଛନ୍ତି ଆନ୍ଦ୍ରିଆ। ତେବେ ଡାକ୍ତରଖାନାର କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ନିଜେ ବି ଏହି ଅସମୟର ବନ୍ଧୁ ପାଲଟିଯାଇଛନ୍ତି।

୨୦୧୭ ମସିହାରେ ଭଲ ଆଭିମୁଖ୍ୟ ରଖି ରାଜସ୍ଥାନର ଦୁଇଟି ଗାଁ ଗଡ଼ ହିମ୍ମତ ସିଂହ ଏବଂ ଜାଠୱାରାକୁ ‘ହକି ଭିଲେଜ୍ ଇଣ୍ଡିଆ’ ଯୋଜନାରେ ରଖି ଶିକ୍ଷିତ କରିବାକୁ ଚାହିଁଥିଲେ। କିନ୍ତୁ ଠକେଇ ଅଭିଯୋଗ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶତ୍ରୁତା କାରଣରୁ ଏହା ଫସର ଫାଟିଥିଲା। ଏହା ପରେ ସେ କର୍ଣ୍ଣାଟକର କୁର୍ଗରେ ଘରଭଡ଼ା ବ୍ୟବସାୟ କରିଥିଲେ। ଏହା ମଧ୍ୟ ଠିକଠାକ୍ ଚାଲିଲା ନାହିଁ। ଫଳରେ ସେ ପରିବାର ସହ ପୁଣେ ପଳାଇଯାଇଥିଲେ। ସେଠାରେ ସେ ସ୍ବାମୀଙ୍କ ସହ ଚାକିରି କରିଥିଲେ ମଧ୍ୟ ଏହା ମଧ୍ୟ ତାଙ୍କୁ ସୁହାଇନଥିଲା। ଏବେ ଗୋଆରେ ପହଞ୍ଚି ସେ କୋଭିଡ୍ ଯୋଦ୍ଧାଙ୍କ ସେବାରେ ସ୍ବାମୀ ସ୍ତ୍ରୀ ନିୟୋଜିତ ରହିଛନ୍ତି। ‘ଗତ ନଭେମ୍ବର ମାସରେ ଆମେ ଏଠାରେ ଜର୍ମାନ ବେକରି କାମ ଆରମ୍ଭ କରିଥିଲୁ। ମହାମାରୀ କାରଣରୁ ଏହା ରିକ୍ସପୂର୍ଣ୍ଣ ଥିଲା। ଜର୍ମାନ ସରକାରଙ୍କ ସହାୟତା ପରେ ଅମେ ଅନ୍‌ଲାଇନ୍‌ରେ ଏହାର ଦକ୍ଷତା ଶିକ୍ଷା କରିଥିଲୁ। ଲକ୍‌ଡାଉନ୍‌ ଆମକୁ ପ୍ରଭାବିତ କରିଛି କିନ୍ତୁ ଆମେ ମଧ୍ୟ କେବଳ ଘର ଘର ସେବା ସହିତ ପାର୍ସଲ ବି ଦେଉଛୁ’ ବୋଲି ଆନ୍ଦ୍ରିଆ ପ୍ରକାଶ କରିଛନ୍ତି। ତେବେ ସ୍ବାସ୍ଥ୍ୟ କର୍ମୀମାନେ ଏତେ କଠିନ ପରିଶ୍ରମ କରୁଥିବାରୁ ଆମେ ସେମାନଙ୍କୁ ସାମୟିକ ଭାବେ ଆଶ୍ବସ୍ତି ଦେବାକୁ ରୋଷେଇ ଓ ଖାଦ୍ୟ ଯୋଗାଉଛୁ। ଏହି ହସ୍ପିଟାଲରେ ୫୦ ଲୋକ କାମ କରୁଛନ୍ତି ଏବଂ ଆମେ ସେମାନଙ୍କୁ ୫୦ ଚିନାମନ୍‌ ରୋଲ୍, ମ୍ୟାଙ୍ଗୋ ମଫିନ୍ସ ଦେଉଛୁ। ଆମ ପକ୍ଷରୁ ଏହି ଛୋଟ ସହାୟତା ସହିତ ଭବିଷ୍ୟତରେ ଆମ ବେକରିକୁ ଆସିବାକୁ ଏକ କୁପନ ମଧ୍ୟ ଦେଉଛୁ’ ବୋଲି ଆନ୍ଦ୍ରିଆ ପ୍ରକାଶ କରିଥିଲେ। ଆନ୍ଦ୍ରିଆଙ୍କୁ ମଧ୍ୟ ତାଙ୍କ ଡାକ୍ତର ସ୍ବାମୀ ଜୟେଶ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି।

ସମ୍ବନ୍ଧିତ ଖବର