ଘଟଣାରେ ନୂଆ ମୋଡ଼: ଆମ୍ବେଦକରଙ୍କ ବିରୋଧରେ ପୋଷ୍ଟ୍‍ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆକଉଣ୍ଟ୍‌ ନକଲି

ଯୋଧପୁର: ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଆମ୍ବେଦକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆଡୁଆରେ ପଡ଼ିଥିବା କଥା ସାରା ଦେଶରେ ଚର୍ଚ୍ଚା ହୋଇଥିବା ବେଳେ ଏହି ଘଟଣା ଏବେ ଅନ୍ୟ ମୋଡ଼ ନେଇଛି। ହସ୍ତଗତ ହୋଇଥିବା ସୂଚନା ମୁତାବକ ଆମ୍ବେଦକରଙ୍କ ବିରୋଧରେ ପୋଷ୍ଟ୍‍ ହୋଇଥିବା ଟୁଇଟର୍‌ ଆକାଉଣ୍ଟ୍‌ଟି ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ନୁହେଁ, ଏହା ଏକ ନକଲି ଆକାଉଣ୍ଟ୍‌। ଆମ୍ବେଦକରଙ୍କ ବିରୋଧରେ ପୋଷ୍ଟ୍‍ ହୋଇଥିବା ଆକାଉଣ୍ଟ୍‌ଟି @sirhardik3777 ହୋଇଥିବା ବେଳେ ବାସ୍ତବରେ ପାଣ୍ଡ୍ୟାଙ୍କ ଆନୁଷ୍ଠାନିକ ଆକାଉଣ୍ଟ୍‌ ହେଉଛି @hardikpandya7। ଯାହାବି ହେଉ ନକଲି ବୋଲି ସନ୍ଦେହ କରାଯାଉଥିବା ଟୁଇଟର୍‌ ଆକାଉଣ୍ଟ୍‌ଟି ଏବେ ସୁଦ୍ଧା ଡିଲିଟ୍‌/ଡିଆକ୍ଟିଭେଟ୍‌ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୦ ତାରିଖ ଦିନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଭୀମ୍‌ ରାମ ଆମ୍ବେଦକରଙ୍କ ସରଂକ୍ଷଣ ନୀତି ଉପରେ କଟୁମନ୍ତବ୍ୟ ଦେଇଥିବାରୁ ରାଜସ୍ଥାନ ଜାଲୋର ଜିଲ୍ଲାର ରାଷ୍ଟ୍ରୀୟ ଭୀମ ସେନା ସଭ୍ୟ ଡି.ଆର୍‌. ମେଘଓ୍ଵାଲ ଯୋଧପୁରର ସ୍ୱତନ୍ତ୍ର ବିଚାରାଳାୟରେ ଏକ ମାନହାନୀ ମାମଲା ରୁଜୁ କରିଥିଲେ।

୨୦୧୭ ଡିସେମ୍ବର ୨୬ରେ ଟ୍ଵିଟ୍‌ କରି ପାଣ୍ଡ୍ୟା କହିଥିଲେ, ଆମ୍ବେଦକର କିଏ? ଯାହାଙ୍କ ପ୍ରସ୍ତୁତ ଆଇନ ଓ ସମ୍ବିଧାନ ଯୋଗୁଁ ଦେଶରେ ସଂରକ୍ଷଣ ରୂପକ ବ୍ୟାଧି ସମଗ୍ର ଦେଶରେ ବ୍ୟାପି ଯାଇଛି। ମେଘଓ୍ଵାଲ କହିଛନ୍ତି ଯେ ପାଣ୍ଡ୍ୟାଙ୍କ ଏହି ମନ୍ତବ୍ୟ ଘୃଣା ଓ ବିଦ୍ୱେଷ ମନୋଭାବ ଆଣିବା ସହିତ ଦେଶରେ ଭେଦଭାବ ସୃଷ୍ଟି କରିବ। ଜଣେ ଭଲ ଖେଳାଳି ହେଁ ଏପରି ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିବ ବୋଲି କହିଛନ୍ତି। ମେଘଓ୍ଵାଲଙ୍କ ଦ୍ୱାରା ରୁଜୁ ମାମଲାର ବିଚାର କରି ଅଦାଲତ ପୁଲିସକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ଏଫଆଇଆର ଜାରି ଲାଗି ନିର୍ଦ୍ଦେଶ ଦେଇଥିଲେ।

ବରୋଦାର ଅଲ-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆର ସଦସ୍ୟ ଭାବେ ଛଅଟି ଟେଷ୍ଟମ୍ୟାଚ୍‌, ୩୮ଟି ଦିନିକିଆ ଓ ୩୦ଟି ଟି-ଟେ୍ଵଣ୍ଟି ମ୍ୟାଚ୍‌ ଖେଳିିଛନ୍ତି। ଆଇପିଏଲ୍‌(ଇଣ୍ଡିୟାନ୍‌ ପ୍ରିମିୟର ଲିଗ୍‌)ର ୧୧ତମ ସଂସ୍କରଣରେ ସେ ମୁମ୍ବାଇ ଇଣ୍ଡିଆନ୍‌ସ୍‌ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧିତ ଖବର