୧୯୪୭ରେ ବିଛିନ୍ନ, ୨୦୧୯ରେ ଏକତ୍ର, ଭାରତ-ପାକିସ୍ତାନକୁ ଏକାଠି କଲା ଇଂଲଣ୍ଡ

‌ଲଣ୍ଡନ୍‌: ଯେଉଁ ଦେଶ ଦିନେ ଭାରତ ଏବଂ ପାକିସ୍ତାନକୁ ଅଲଗା ଅଲଗା କରିବାରେ ଅନ୍ୟତମ ପ୍ରମୁଖ ଭୂମିକା ତୁଲାଇଥିଲା ଏବେ ସେହି ଦେଶ ପାଇଁ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ପଡ଼ୋଶୀ ଏକାଠି ହୋଇପାରିଛନ୍ତି। ଅବଶ୍ୟ ଏହା ପଛରେ କ୍ରିକେଟ୍ ଖେଳର ବଡ଼ ଭୂମିକା ରହିଛି। କଥାଟା ଭୌଗୋଳିକ ଦୃଷ୍ଟିକୋଣରୁ ନୁହେଁ ସାମାଜିକ ଗଣମାଧ୍ୟମରେ ତଥା ମାନସିକ ସ୍ତରରେ ଥିବାରୁ ଏହାକୁ ନେଇ ଢେର ଚର୍ଚା ମଧ୍ୟ ଚାଲିଛି। ସିଧା କଥାଟା ହେଉଛି ଚଳିତ ବିଶ୍ବକପ୍‌ରେ ରବିବାର ଭାରତ ଏବଂ ଇଂଲଣ୍ଡ ପରସ୍ପରକୁ‌ ଭେଟିବାକୁ ଯାଉଛନ୍ତି। ଏହି ମୁକାବିଲା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର୍ ହୁସେନ୍‌ ଏକ ଟ୍ବିଟ୍ କରି ଲେଖିଥିଲେ, ‘ପାକିସ୍ତାନୀ ପ୍ରଶଂସକମାନଙ୍କ ପାଇଁ ପ୍ରଶ୍ନ: ରବିବାର ଭାରତ-ଇଂଲଣ୍ଡ ଖେଳିବେ, ଆପଣ କାହାକୁ ସମର୍ଥନ କରୁଛନ୍ତି’। ଏଭଳି କିଛି ଶବ୍ଦ ହିଁ ଦୁଇ ଦେଶର କ୍ରିକେଟ୍‌ ପ୍ରେମୀଙ୍କୁ ଏକାଠି କରି ଦେଇଛି। ଏହାର ଜବାବରେ ଆସିଥିବା ଉତ୍ତର ଅନେକଙ୍କୁ ବି ଆଶ୍ଚର୍ଯ୍ୟ କରି ଦେଇଛି। ଏକ ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ପାକିସ୍ତାନୀ ପ୍ରଶଂସକମାନେ ନିଜ ଶତ୍ରୁତା ପଣକୁ ପଛକୁ ଠେଲି ଦେଇଛନ୍ତି। ହୁସେନଙ୍କ ଟ୍ବିଟ୍ ପରେ ପରେ ପାକିସ୍ତାନୀ ପ୍ରଶଂସକମା‌ନେ ସ୍ପଷ୍ଟ କରିଥିଲେ, ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ବେଳେ କୋହଲିଙ୍କ ନୀଳ ବାହିନୀକୁ ସମର୍ଥନ କରିବେ। ଏପରିକି ଭାରତ ଏବଂ ପାକିସ୍ତାନ ପରସ୍ପରକୁ ସେମିଫାଇନାଲ୍‌ କିମ୍ବା ଫାଇନାଲରେ ଭେଟିଲେ ମଜାଦାର ହେବ ବୋଲି କହିଥିଲେ କିଛି ପ୍ରଶଂସକ। ଭାରତ ନିକଟରୁ ହାରିବା ପରେ ପାକିସ୍ତାନ ଚମତ୍କାର ପ୍ରତ୍ୟାବର୍ତନ କରି ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡକୁ ହରାଇ ସମ୍ଭାବନା ସୃଷ୍ଟି କରିଛି। ପାକିସ୍ତାନଠୁ ପରାଜୟ ମଧ୍ୟ ଇଂଲଣ୍ଡକୁ ବିପଦରେ ପକାଇ ଦେଇଛି। ଯିଏକି ଗତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ହାରି ୮ ପଏଣ୍ଟରେ ସୀମିତ ରହିଛି। ବାଂଲାଦେଶ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଯଥାକ୍ରମେ ୭, ୭, ୬ ପଏଣ୍ଟ୍‌ରେ ଥିବାରୁ ଇଂଲଣ୍ଡର ସମ୍ଭାବ୍ୟ ଚତୁର୍ଥ ସେମିଫାଇନାଲ୍ ସ୍ପଟ୍‌କୁ ପାକିସ୍ତାନ ଛଡ଼ାଇନେବା ଆଶାରେ ରହିଛି।

ନାସିର୍ ହୁସେନଙ୍କ ଟ୍ବିଟ୍ ପରେ ସାଗର ନାମକ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଇଂଲଣ୍ଡ-ପାକିସ୍ତାନ ମ୍ୟାଚ୍‌ ବେଳେ ଭାରତୀୟମାନେ ପାକିସ୍ତାନକୁ ସମର୍ଥନ କରିଥିଲ। ୧୯୪୭ ମସିହାରେ ଇଂଲଣ୍ଡ ଏହି ଦୁଇ ଦେଶ (ଭାରତ ଓ ପାକିସ୍ତାନ)କୁ ଅଲଗା କରିଥିଲା, ଏବେ ଏକାଠି କରି ଦେଇଛି। ରାଣା ସଜିବ ନାମକ ଅନ୍ୟ ଜଣେ ପାକିସ୍ତାନୀ ଲେଖିଛନ୍ତି, ନିଶ୍ଚିତ ଭାରତକୁ ସମର୍ଥନ କରିବୁ। ଏହାର ଦୁଇଟି କାରଣ-୧-ପଡ଼ୋଶୀ, ୨-ସେମାନେ କ୍ରିକେଟ୍ ଉତ୍ସାହୀ। ଆଲାମା ଇକବାଲ୍‌ ଲେଖିଛନ୍ତି, ‘ସାରା ଜାହାଁ ସେ ଆଚ୍ଛା, ହିନ୍ଦୁସ୍ତାନ ହମାରା’। ଡକ୍ଟର ଆଲିଆ କରିମ୍ ଲେଖିଛନ୍ତି, ‘ଇଷ୍ଟ ଇଣ୍ଡିଆ କମ୍ପାନି ବିରୋଧରେ ମୁଁ ମୋ ପଡ଼ୋଶୀକୁ ସମର୍ଥନ କରିବି’।

ସମ୍ବନ୍ଧିତ ଖବର