ଭାରତ-ଅଷ୍ଟ୍ରେଲିଆ ଉଦ୍‌ଘାଟନୀ ମୁକାବିଲା

ମହିଳା ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଆଜିଠୁ

ମୁମ୍ବାଇ: ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମହିଳା ଦଳକୁ ନେଇ ଆସନ୍ତାକାଲିଠାରୁ ଏଠାର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଯାଉଛି ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା। ଘରୋଇ ଭାରତ ଏବଂ ଅଷ୍ଟ୍ରେଲିଆ ଗୁରୁବାରର ଉଦ୍‌ଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଏହି ଶୃଙ୍ଖଳା ଭାରତ ପାଇଁ ପ୍ରତିଶୋଧର ସୁଯୋଗ ରଖିଛି। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ୩-୧ରେ ଜିତିଥିବା ଭାରତର ମନୋବଳ ଉଚ୍ଚା ରହିଛି। ହେଲେ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ନିକଟରୁ ଦିନିକିଆ ଶୃଙ୍ଖଳାରେ ଶୋଚନୀୟ ପରାଜୟ ଭାରତକୁ କିଛିଟା ଚିନ୍ତାରେ ପକାଇଛି। ତଥାପି ଟେ୍ଵଣ୍ଟି-୨୦ରେ ଆମେ ଅଷ୍ଟ୍ରେଲିଆଠୁ ଦିନିକିଆ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନେବୁ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର। ଦଳକୁ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଏବଂ ରାଜେଶ୍ୱରୀ ଗାଏକ୍ୱାଡ ଫେରିଥିବାରୁ ଆମର ଶକ୍ତି ବୃଦ୍ଧି ହୋଇଛି ବୋଲି ହର୍‌ମନ୍‌ପ୍ରୀତ୍‌ କହିଛନ୍ତି। ବିଶେଷକରି ସ୍ମୃତି ମାନ୍ଧାନା, ମିତାଲି ରାଜ୍‌, ଭେଡା କୃଷ୍ଣମୂର୍ତ୍ତି, ଅଲ୍‌ରାଉଣ୍ଡର ପୂଜା ଭସ୍ତ୍ରକାର ଏବଂ ଯୁବା ଖେଳାଳି ଜେମିମା ରୋଦ୍ରିଗେ୍ଵଜ୍‌ଙ୍କ ବ୍ୟାଟିଂ ପ୍ରଦର୍ଶନ ଉପରେ ଦଳ ନିର୍ଭର କରିବ। ସେହିପରି ଝୁଲଣ, ଶିଖା ପାଣ୍ଡେ, ସ୍ପିନର ଦୀପ୍ତି ଶର୍ମା ଓ ପୂନମ୍‌ ଯାଦବଙ୍କ ବୋଲିଂ କରିସ୍ମା ହିଁ ଭାରତକୁ ବିଜୟ ଦେଇପାରିବ। ହେଲେ ଅଷ୍ଟ୍ରେଲିଆ ବି ଭାରତକୁ ସହଜରେ ବାଟ ଛାଡ଼ିଲା ମାନସିକତାରେ ନାହିଁ। ଏହି ଦଳ ଦିନିକିଆ ଶୃଙ୍ଖଳାର ପ୍ରଦର୍ଶନକୁ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଦୋହରାଇବା ଲକ୍ଷ୍ୟ ରଖିଛି ବୋଲି ଅଧିନାୟିକା ମେଗ୍‌ ଲାନିଙ୍ଗ୍‌ କହିଛନ୍ତି। ଗୁରୁବାର ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ବୁଧବାର ତିନି ଦଳର ଅଧିନାୟିକା (ହର୍‌ମନ୍‌ପ୍ରୀତ୍‌ କୌର, ମେଗ୍‌ ଲାନିଙ୍ଗ୍‌ ଏବଂ ହିଦର ନାଇଟ୍‌) ଶୃଙ୍ଖଳା ଟ୍ରଫି ସହ ଫଟୋ ପୋଜ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର