ଭାରତ ୩-୦ରେ ପୋଛିନେଲା

ଗାୟନା: ଆମେରିକା ଏବଂ କାରବୀୟ ଗସ୍ତରେ ଥିବା ବିରାଟ କୋହଲିଙ୍କ ଦଳ ମଙ୍ଗଳବାର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ଫ୍ଲୋରିଡାରେ ଯୁଗଳ ବିଜୟ ସହ ୱେଷ୍ଟଇଣ୍ଡିଜ୍ ଆସିଥିବା ଭାରତୀୟ ଦଳ ମଙ୍ଗଳବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦କୁ ବି ସହଜରେ ୭ ୱିକେଟ୍‌ରେ ଜିତି ନେଇଥିଲା। ଭାରତ ସମ୍ମୁଖରେ ୧୪୭ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ଲୋକେଶ ରାହୁଲ ଏବଂ ଶିଖର ଧାୱନ ବିଫଳ ହୋଇଥିଲେ ମଧ୍ୟ ବିରାଟ କୋହଲି (୫୯, ୪୫ ବଲ, ୬ ଚୌକା) ଏବଂ ଋଷବ ପନ୍ତ୍‌ (୬୫*, ୪୨ ବଲ୍, ୪ ଚୌକା, ୪ ଛକା) ଭାରତକୁ ବିଜୟୀ କରାଇଥିଲେ। ନରିନଙ୍କୁ କୋହଲି ଏବଂ କଟ୍ରେଲଙ୍କୁ ଋଷବ ଚୌକା ମାରି ସମାନ ଢ଼ଙ୍ଗରେ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ଆକର୍ଷଣୀୟ ପାଳି ଖେଳି ପନ୍ତ୍‌ ନିଜ ଖେଳ ଜୀବନର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ସ୍କୋର୍ କରିଥିଲେ। ବ୍ରାଥୱେଟଙ୍କୁ ତାଙ୍କ ମୁଣ୍ଡ ଉପରେ ଛକା ମାରି ପନ୍ତ୍‌ ୫ ବଲ୍‌ ପୂର୍ବରୁ ମ୍ୟାଚ୍‌କୁ ଶେଷ କରିଥିଲେ। ଦୀପକ ଚହର (୩-୧-୪-୩) କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ।

ଏକାଠି ଖେଳିଲେ ଚହର ଭାଇ
ପଠାନ୍‌, ପାଣ୍ଡ୍ୟାଙ୍କ ଭଳି ଚହର ଭାଇ ବି ଖେଳିଲେ ଭାରତୀୟ ଦଳରୁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ‌ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଲେଗ୍ ସ୍ପିନର୍ ରାହୁଲ ଚହରଙ୍କ ପଦାର୍ପଣ ସହିତ ତାଙ୍କ ମାଉସୀ ପୁଅ ଭାଇ ଦୀପକ ବି ଖେଳିଥିଲେ। ନିକଟ ଅତୀତରେ ଇରଫାନ୍-ୟୁସୁଫ ପଠାନ, କ୍ରୁନାଲ-ହାର୍ଦିକ ପାଣ୍ଡ୍ୟା ଭାରତୀୟ ଦଳରୁ ଖେଳିଥିଲେ। କିନ୍ତୁ ରାହୁଲ-ଦୀପକଙ୍କ ସମ୍ପର୍କ ନିଆରା ଥିଲା। ଉଭୟଙ୍କ ବାପା ଦୁଇ ଭାଇ ଏବଂ ମା’ ଦୁଇ ଭଉଣୀ। ପୂର୍ବରୁ ଦ୍ରୁତ ବୋଲର ଦୀପକ ଭାରତ ପାଇଁ ଖେଳି ସାରିଥିଲେ। ରାହୁଲଙ୍କ ପଦାର୍ପଣ ଚହର ପରିବାର ପାଇଁ ସ୍ବପ୍ନ ସାକାର ହେବାର ମାହେନ୍ଦ୍ର ମୁହୂର୍ତ ଆଣିଥିଲା। ସାତ ବର୍ଷ ବଡ଼ ଦୀପକ କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଳିକୁ ପ୍ରଥମରୁ ବିପର୍ଯ୍ୟୟ ମୁହଁକୁ‌ ଠେଲି ଦେଇଥିଲେ। ମିଳିତ ଭାବେ ୬ ଓଭର ବୋଲିଂ କରିଥିବା ଚହର ଭ୍ରାତା ୩୧ ରନ୍ ବିନିମୟରେ ୪ ୱିକେଟ୍ ନେଇଥିଲେ। ୱେଷ୍ଟଇଣ୍ଡିଜ୍‌ ଅଧିନାୟକ କାର୍ଲୋସ୍ ବ୍ରାଥ୍‌ୱେଟ୍‌ଙ୍କୁ ୱାସିଂଟନ୍ ସୁନ୍ଦରଙ୍କ ହାତରେ କ୍ୟାଚ୍‌ କରାଇ କନିଷ୍ଠ ଭ୍ରାତା ରାହୁଲ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ୱିକେଟ୍ ଅକ୍ତିଆର କରିଥିଲେ। ବର୍ଷା ପାଇଁ ଏହି ମ୍ୟାଚ୍‌ ପ୍ରାୟ ଏକ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ବିରାଟ କୋହଲି ଟସ୍ ବିଜୟରେ ହ୍ୟାଟ୍ରିକ୍ କରିଥିଲେ। ଭାରତ ୩ ପରିବର୍ତନ କରି ଏହି ମ୍ୟାଚ୍‌ ‌ଖେଳିଥିଲା। ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜା, ଖଲିଲ୍‌ ଅହମ୍ମଦଙ୍କ ବଦଳରେ ଲୋକେଶ ରାହୁଲ, ଦୀପକ ଚହର, ରାହୁଲ ଚହର ଖେଳିଥିଲେ। ବିରାଟ କୋହଲି କ୍ଷେତ୍ରରକ୍ଷଣ ପାଇଁ ନିଷ୍ପତ୍ତି ନେବା ପରେ ଦୀପକ ଚହର ହିଁ ଚମକ ଦେଖାଇଥିଲେ। ଇଣ୍ଡିଜ୍ ଦଳର ପ୍ରଥମ ୩ ୱିକେଟ୍‌ ସେ ଦଖଲ କରିନେଇଥିଲେ। ନିଜର ୭ ବଲ୍ ଭିତରେ ସେ ଏହି ୩ ୱିକେଟ୍ ଦଖଲ କରିବାରୁ ଇଣ୍ଡିଜ୍‌ ୩.୫ ଓଭର ବେଳକୁ ୧୪/୩ରେ ସଂଘର୍ଷ କରିଥିଲା। ଏଭିନ୍ ଲୁଇସ୍‌, ସୁନିଲ ନରିନ୍ ଏବଂ ସିମରନ୍ ହେଟମେୟରଙ୍କୁ ସେ ପ୍ୟାଭିଲିଅନ୍ ପଠାଇ ୩-୧-୪-୩ ବୋଲିଂ ଚିତ୍ର ବି ପାଇଥିଲେ। ଏହା ପରେ ଅନ୍ୟତମ ଉଦୀୟମାନ ଦ୍ରୁତ‌‌ ବୋଲର ନଭଦୀପ ସଇନି ୨ ୱିକେଟ୍ ବାହାର କରି ନେଇଥିଲେ। ମଧ୍ୟକ୍ରମରେ କିରଣ ପୋଲାର୍ଡ (୫୮, ୪୫ ବଲ, ୧ ଚୌକା, ୬ ଛକା) ଏବଂ ରୋଭମନ୍ ପାୱେଲ (୩୨*, ୨୦ ବଲ୍‌, ୧ ଚୌକା, ୨ ଛକା) ବିସ୍ଫୋରକ ବ୍ୟାଟିଂ କରି ଦଳକୁ ୧୪୬/୬ରେ ପହଞ୍ଚାଇ ଦେଇଥିଲେ।

ସମ୍ବନ୍ଧିତ ଖବର