ବିଶାଖାପାଟଣା ଟେଷ୍ଟ: ଦକ୍ଷିଣ ଆଫ୍ରିକାକୁ ୩୯୫ ରନ୍‌ ଟାର୍ଗେଟ ଦେଲା ଭାରତ

ରୋହିତ ଶର୍ମାଙ୍କ ଶତକ, ଚେତେଶ୍ୱର ପୂଜାରାଙ୍କ ୮୧ ରନ୍‌

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକାକୁ ଭାରତ ପ୍ରଥମ ଟେଷ୍ଟରେ ୩୯୫ ରନ୍‌ ଟାର୍ଗେଟ ଦେଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଓ୍ଵାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଜାରି ଥିବା ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଶନିବାର ଭାରତ ୪ ଓ୍ଵିକେଟ ହରାଇ ୩୨୩ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ଭାରତ ପ୍ରଥମ ଇନିଂସରେ ୭ଟି ଓ୍ଵିକେଟ ହରାଇ ୫୦୨ ରନ୍‌ କରି ପାଳି ଘୋଷଣା କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ସମସ୍ତ ଓ୍ଵିକେଟ ହରାଇ ୪୩୧ ରନ୍‌ କରିଥିଲା।

ଚତୁର୍ଥ ଦିନର ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ୯ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୧୧ ରନ୍‌ କରିଛି। ଫଳରେ ଭାରତ ଠାରୁ ଦକ୍ଷିଣ ଆଫ୍ରିକା ୩୮୪ ରନ୍‌ ପଛରେ ଅଛି।

ଭାରତର ୨ୟ ପାଳିରେ ରୋହିତ ଶର୍ମା ପୁଣି ଥରେ ଚମକିଛନ୍ତି। ସେ ୧୪୯ଟି ବଲ ଖେଳି ୧୨୭ ରନ୍‌ କରିଛନ୍ତି। ଏଥିରେ ୧୦ଟି ଚୌକା ଓ ୭ଟି ଛକା ସାମିଲ ଅଛି। ପ୍ରଥମ ପାଳିରେ ଦ୍ୱି-ଶତକ ହାସଲ କରିଥିବା ମୟଙ୍କ ଅଗ୍ରଓ୍ଵାଲ ଦ୍ୱିତୀୟ ପାଳିରେ ମାତ୍ର ୭ ରନ୍‌ କରିଥିଲେ। ଚେତେଶ୍ୱର ପୂଜାରା ୮୧ ରନ୍‌ କରି ଏଲବିଡବ୍ଲୁ ହୋଇଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୪୦ ରନ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ଅପରାଜିତ ୩୧ ରନ୍‌ ଓ ଆଜିଙ୍କ୍ୟ ରାହାଣେ ଅପରାଜିତ ୨୭ ରନ୍‌ ଯୋଡ଼ିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ କେଶବ ମହାରାଜ ୨ଟି ଓ୍ଵିକେଟ ନେଇଥିବା ବେଳେ ଭେରନନ ଫିଲେଣ୍ଡର ଓ କାମିସୋ ରବାଦାଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର