ବେଲ୍‌ଜିୟମ ପାଇଁ ବଦଳିବ ଭାରତ ରଣନୀତି  

ପେନାଲ୍ଟି କର୍ନର, ବଲ୍ ପଜେସନ୍ ଓ ଗତି ଉପରେ ବିଶେଷ ଧ୍ୟାନ

ଭୁବନେଶ୍ବର: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ ଭାରତ ଏକତରଫା  ବିଜୟ ହାସଲ କରିଥିଲା। ତଥାପି ହରେନ୍ଦ୍ର ସିଂହଙ୍କ ଦଳ ଅନେକ କ୍ଷେତ୍ରରେ ନିଜ ଦକ୍ଷତା ମୂଳକ ଖେଳି ପାରି ନଥିଲା। ବିଶେଷ କରି ପେନାଲ୍ଟି କର୍ନରକୁ ଗୋଲ୍‌ରେ ରୂପାନ୍ତର ନକରିବା‌ର ପୁରୁଣା ଦୋଷକୁ ସଂପୂର୍ଣ୍ଣ ଦୂର କରି ପାରି ନଥିଲା। ଭାରତ ଅବଶ୍ୟ  ଜାକର୍ତା ଏସୀୟ କ୍ରୀଡ଼ାର ‌ମାଲେସିଆ ବିପକ୍ଷ ସେମିଫାଇନାଲରେ କରିଥିବା କେତେକ ଗୁରୁତର ଭୁଲକୁ ସୁଧାରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲା।  ବୁଧବାରର ପ୍ରଥମ ମୁକାବିଲାରେ ଭାରତ ବଲ୍ ପଜେସନ୍ ୬୦ ପ୍ରତିଶତ ଥିଲା। ସେହିଭଳି ଘରୋଇ ଅଗ୍ରଭାଗ ଖେଳାଳିମାନେ ୩୦ ଥର ସର୍କଲ ଅଞ୍ଚଳକୁ ପ୍ରବେଶ କରିଥିଲେ। ଏହି ପରିସଂଖ୍ୟାନକୁ ଦେଖିଲେ ଭାରତ ୫ରୁ ଅଧିକ ଗୋଲ୍ କରିବା କଥା। ହେଲେ କନଭରସନ୍ (ସୁଯୋଗକୁ ଗୋଲ୍‌ରେ ରୂପାନ୍ତର କରିବା) ହାର କମ୍ ରହିବାରୁ ଦଳ ୫ ଗୋଲ୍‌ରେ ସୀମିତ ରହି ଯାଇଥିଲା। ବେଲ୍‌ଜିୟମ ବିପକ୍ଷରେ ଏହି ଦୁର୍ବଳତାକୁ ଦୂର କରିବାକୁ ହେବ। କାରଣ ଦକ୍ଷିଣ ଆଫ୍ରିକା ତୁଳନାରେ ବେଲ୍‌ଜିୟମର ରକ୍ଷଣଭାଗ ଢେର ଶକ୍ତିଶାଳୀ। ସେହିଭଳି ଭାରତୀୟ ଖେଳାଳିଙ୍କ ଫିଟ୍‌ନେସ୍ ବିଶ୍ବସ୍ତରୀୟ ବୋଲି ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଦାବି କରୁଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ଆରମ୍ଭରୁ‌ ଶେଷ ପର୍ଯ୍ୟନ୍ତ ସମାନ ଗତି ବଜାୟ ରଖି ପାରି ନଥିଲା। ପ୍ରଥମ ଦୁଇଟି ଗୋଲ୍ କରିବା ପରେ ପଡ଼ିଆ ଭିତରେ ଭାରତୀୟ ଖେଳାଳିଙ୍କ ଗତି ଢେର କମି ଯାଇଥିଲା। ସେମାନେ ଟିକିଏ ମାନ୍ଦା ପଡ଼ିଯାଇଥିଲେ।  ଦ୍ବିତୀୟ ଏବଂ ତୃତୀୟ କ୍ବାର୍ଟରରେ ଏହି ଧାରା ବଜାୟ ରହିଥିଲା। ତୃତୀୟ କ୍ବାର୍ଟରରେ ଦକ୍ଷିଣ ଆଫ୍ରିକାର କେତେକ ଆକ୍ରମଣକୁ ଗୋଲ୍ ରକ୍ଷକ ପିଆର୍‌ ଶ୍ରୀଜେଶ ନିଷ୍ଫଳ କରିବା ପରେ ଭାରତୀୟ ଖେଳାଳିଙ୍କ ଚେତା ଫେରିଥିଲା। ବେଲ୍‌ଜିୟମ ବିପକ୍ଷରେ ଡ୍ରାଗ୍ ଫ୍ଲିକିଂରେ ଅଦଳ ବଦଳ କରାଯିବ ବୋଲି ହରେନ୍ଦ୍ର ସୂଚନ ଦେଇ ସାରିଛନ୍ତି। କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୫ ପେନାଲ୍ଟି କର୍ନର ପାଇ ମାତ୍ର ଦୁଇଟିକୁ ଗୋଲ୍ କରି ପାରିଥିଲା। ସେପଟେ ବେଲ୍‌ଜିୟମ କାନାଡା ବିପକ୍ଷରେ ୭ ପେନାଲ୍ଟି କନର୍ର ପାଇ ସେଥିମଧ୍ୟରୁ ଗୋଟିଏକୁ ବି ଗୋଲ୍ କରି ପାରି ନଥିଲା। ତେବେ ଭୁବନେଶ୍ବର ପାଗ ଓ ପରିବେଶକୁ ବୁଝିବା ପରେ ବେଲ୍‌ଜିୟମ ଏଥିରେ ରବିବାର ନିଶ୍ଚିତ ସୁଧାର ଆଣିବା ଲକ୍ଷ୍ୟରେ ଥିବ। ଏସୀୟ କ୍ରୀଡ଼ାରେ ଭାରତର କନଭରସନ୍ ହାର ୫୦ ପ୍ରତିଶତରୁ କମ୍ ଥିଲା। ସେହିଭଳି ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩୩ ପେନାଲ୍ଟି କର୍ନରରୁ ଭାରତ ମାତ୍ର ତିନିଟି ଗୋଲ୍ କରି ପାରିଥିଲା। ବିଶ୍ବକପ୍‌ରେ ଏହି ଦୂର୍ବଳତାକୁ ଦୂର କରି ନପାରିଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର