ଭାରତ ବାହାରକୁ ଯିବ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ୟୁଏଇ ଓ ଓମାନ ସ୍ଥାନାନ୍ତର ସମ୍ଭାବନା

ମୁମ୍ବାଇ: ଆଇପିଏଲ୍‌ର ଅବଶିଷ୍ଟାଂଶ ୟୁଏଇରେ ଖେଳାଯିବା ନିଷ୍ପତ୍ତି ପରେ ଏବେ ଭାରତରେ ‌ଚଳିତ ବର୍ଷ ଖେଳାଯିବାକୁ ଥିବା ‌ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ମଧ୍ୟ ସେଠାକୁ ସ୍ଥାନାନ୍ତର ହେବା ସମ୍ଭାବନା ଦେଖାଦେଇଛି। ଏଭଳି ହେଲେ ଭାରତୀୟ ପ୍ରଶଂସକମାନେ ନିଶ୍ଚିତ ଭାବେ ଘରୋଇ ମାଟିରେ ଆଉ ଏକ ବିଶ୍ବକପ୍‌ ଦେଖିବାରୁ ବଞ୍ଚିତ ହେବେ। ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ହେବାକୁ ଥିବା ବିଶ୍ବକପ୍‌କୁ କୋଭିଡ୍‌ ମହାମାରୀର ତୃତୀୟ ଲହରକୁ ନଜରରେ ରଖି ସ୍ଥାନାନ୍ତର କରିବାକୁ ବିସିସିଆଇ ମନସ୍ଥ କରିସାରିଛି। ଆନୁଷ୍ଠାନିକ ଭାବେ ଆଇସିସିକୁ ବିସିସିଆଇ ଜଣାଇନଥିଲେ ମଧ୍ୟ ଆଭ୍ୟନ୍ତରୀଣ ଭାବେ ଧାର୍ଯ୍ୟ ସଂସ୍କରଣକୁ ନେଇ ଭାରତ ପ୍ରସ୍ତୁତ ରହିଛି ବୋଲି ସ୍ପଷ୍ଟ କରି ଦେଇଛି। ତଦନୁଯାୟୀ ଭାରତ ନିଜ ପ୍ରସ୍ତୁତି ଚଳାଇଛି ବୋଲି ନିଜ ନାମ ଗୋପନ ରଖି ଜଣେ ଆଇସିସି ଅଧିକାରୀ ଏହା ପ୍ରକାଶ କରିଛନ୍ତି।

ୟୁଏଇ ସବୁବେଳେ ଭାରତ ପାଇଁ ପ୍ରଥମ ବିକଳ୍ପ ରହିଥିବା ବେଳେ ଏଥର ଓମାନକୁ ଯୋଡ଼ି ଦିଆଯାଇଛି। ଓମାନର ରାଜଧାନୀ ମସ୍କାଟରେ ଆଇସିସି ବିଶ୍ବକପ୍‌ର ପ୍ରାରମ୍ଭିକ ଯୋଗ୍ୟତା ମ୍ୟାଚ୍‌ଗୁଡିକ ଖେଳାଯିବାର ଯୋଜନା କରାଯାଇଛି। ସାରଜା, ଆବୁଧାବି, ଦୁବାଇରେ ଅକ୍ଟୋବର ଶେଷ ସପ୍ତାହରୁ ଆଇସିସି ବିଶ୍ବକପ୍‌ (ଟ୍ବେଣ୍ଟି-୨୦)ର ମ୍ୟାଚ୍‌ଗୁଡିକ ଖେଳାଯିବାର ଯୋଜନା କରାଯାଇଛି। ଏଭଳି ଯୋଜନା ଦ୍ବାରା ବିସିସିଆଇ ମଧ୍ୟ ନିଜ ପୂର୍ବ ଯୋଜନା ଅନୁସାରେ ଆଇପିଏଲ୍‌-୧୪ରୁ ଅବଶିଷ୍ଟ ୩୧ ମ୍ୟାଚ୍‌କୁ ସେହି ୟୁଏଇରେ କରିନେଇଥିବ। ମସ୍କାଟରେ ୧୬ ଦଳୀୟ ବିଶ୍ବକପ୍‌ର ପ୍ରାରମ୍ଭିକ ରାଉଣ୍ଡ୍ ମ୍ୟାଚ୍‌ ଖେଳାଯିବା ପରେ ମଧ୍ୟ ବିସିସିଆଇକୁ ସମୟ ମିଳିଯିବ।

ଭାରତରେ କୋଭିଡ୍ ପରିସ୍ଥିତିରେ ସୁଧାର ଆସୁଥିଲେ ମଧ୍ୟ ଅକ୍ଟୋବର-ନଭେମ୍ବର ବେଳକୁ ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ବିସିସିଆଇ ଆଉ ଅଧିକ ରିକ୍ସ ନେବାକୁ ଚାହୁଁନାହିଁ। ଜୁନ୍‌ ୨୮ ତାରିଖରେ ବସି ଭାରତରେ ବିଶ୍ବକପ୍‌ ଆୟୋଜନକୁ ହଁ ଭରିଦେଲେ ହେବ ନାହି। କାରଣ ତୃତୀୟ ଲହର ଆଶଙ୍କା ରହିଛି। ଦ୍ବିତୀୟ ପ୍ରଶ୍ନ ହେଉଛି ବିସିସିଆଇ କିଭଳି ଆଇପିଏଲ୍‌ ଶେଷ କରିବ‌ାର ୧ ମାସ ଭିତରେ ୧୬ ଦଳୀୟ ବିଶ୍ବକପ୍‌ ‌ଆୟୋଜନ କରିବ ଏବଂ ନୂଆ ଆହ୍ବାନଗୁଡିକୁ ମୁକାବିଲା କରିବ। କାରଣ ବିଶ୍ବକପ୍‌ ସମୟରେ ଯଦି ଏକାଧିକ କୋଭିଡ୍‌ ପଜିଟିଭ୍ ବାହାରନ୍ତି ତେବେ ଛୋଟ ଛୋଟ ଦଳଗୁଡିକ ଯେଉଁମାନେ ୧୪/୧୫ ଜଣିଆ ଖେଳାଳିଙ୍କୁ ନେଇ ଆସନ୍ତି ବଦଳ ଖେଳାଳିଙ୍କୁ ପାଇବାରେ ଅସୁବିଧା ଭୋଗିବେ। ଭାରତରେ ବିଶ୍ବକପ୍ କରାଗଲେ ବିଦେଶୀ ଖେଳାଳିମାନେ ବି ଆସିବା ନେଇ ଅମଙ୍ଗ ହୋଇପାରନ୍ତି। କିନ୍ତୁ ଅଧିକାଂଶ ଖେଳାଳି ନିଶ୍ଚିତ ପସନ୍ଦ କରୁଛନ୍ତି ୟୁଏଇରେ ଆଇପିଏଲ୍‌ ଖେଳିବା ପରେ ସେହିଠାରେ ହିଁ ବିଶ୍ବକପ୍‌ରେ ଅଂଶଗ୍ରହଣ କରିବା ଶ୍ରେୟସ୍କର ହେବ।

ସମ୍ବନ୍ଧିତ ଖବର